ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଅଞ୍ଚଳରେ କମୁନି ମାଓ ଆତଙ୍କ । ଜାନୁଆରୀ ୨୯ ତାରିଖରେ ଭଣ୍ଡରଙ୍ଗୀଠାରେ ଦୁଇଜଣ ଯୁବକଙ୍କୁ ମାଓବାଦୀମାନେ ପୁଲିସ ଇନ୍ଫର୍ମର କହି ହତ୍ୟା କରିବା ଠାରୁ ସମ୍ପୃକ୍ତ ଅଞ୍ଚଳରେ ଲାଲବାହିନୀ ଲଗାତାର ତାର ଉପସ୍ଥତି ଜାହିର କରିବାରେ ଲାଗିଛି । ଗ୍ରାମକୁ ପୁଲିସ କିମ୍ବା କୌଣସି ସରକାରୀ ଅଧିକାରୀ ନ ଯିବାରୁ ଲୋକଙ୍କୁ ସାହସ ଦେବାକୁ ମଧ୍ୟ କେହି ନାହିଁ । ଆଜି ପୁଣି ମାଓବାଦୀମାନେ ପୋଷ୍ଟର୍ ମାରି ସେମାନଙ୍କ କଥାକୁ ଦୋହରାଇଛନ୍ତି ।
ମଙ୍ଗଳବାର ସକାଳୁ ବେଲଘର ଥାନା ଝିରିପାଣି ପଞ୍ଚାୟତରେ ମାଓ ପୋଷ୍ଟର୍ ଲାଗିଥିବା ଦେଖିବାକୁ ମିଳିଥିଲା । ହାତଲେଖା ଏହି ପୋଷ୍ଟର୍ରେ ସ୍ଥାନୀୟ ଗଣ୍ଡ ସମ୍ପ୍ରଦାୟର ଯୁବକମାନେ ପୁଲିସ୍ ଇନ୍ଫର୍ମର ନହେବା ପାଇଁ ଲାଲବାହିନୀ ଚେତାବନୀ ଦେଇଛି । ଏପରିକି ପୁଲିସ ଇନ୍ଫର୍ମର ଭାବେ କାମ କରୁଥିବା ଯୁବକମାନଙ୍କ ଏକ ତାଲିକା ମଧ୍ୟ ଦେଇଛନ୍ତି ମାଓବାଦୀ । ସେମାନଙ୍କୁ ଏହି କାମରୁ ନିବୃତ୍ତ ରହିବା ପାଇଁ ଅନ୍ତିମ ଚେତାବନୀ ଦିଆଯାଇଛି । ନଚେତ ଭଣ୍ଡରଙ୍ଗୀର ଭବାନୀ ପାତ୍ର ଓ ହେମନ୍ତ ପାତ୍ରଙ୍କ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ପୁଣି ଏକ ନୂଆ ଭୟର ବାତାବରଣ ସୃଷ୍ଟି ହୋଇଛି । ଏକରକମ କୋକୁଆ ଭୟର ପରିସ୍ଥିତି ଆଖପାଖ ଲଙ୍କାଗଡ଼, ଭଣ୍ଡରଙ୍ଗି, ଗୁମୁ ଇତ୍ୟାଦି ସ୍ଥାନରେ ବଳବତ୍ତର ରହିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଜାନୁଆରୀ ୨୯ ତାରିଖର ଘଟଣା ପରଠାରୁ ଏହି ଅଞ୍ଚଳରୁ ଯୁବକ ମାନଙ୍କ ପଳାୟନ ଜାରି ରହିଥିବା କୁହାଯାଉଛି । ପଞ୍ଚାୟତର ବିଭିନ୍ନ ସରକାରୀ କାମ ମଧ୍ୟ ବନ୍ଦ ରହିଛି । ଭଣ୍ଡରଙ୍ଗୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ି ରହିଛି ।
ଇତି ମଧ୍ୟରେ ଲଙ୍କାଗଡ଼, ଝିରିପାଣି ଓ ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚମାନେ ସାମ୍ବାଦିକ ସମ୍ମିଲନୀ କରି ସେମାନଙ୍କର କୌଣସି ମାଓ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ନଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଆଜିର ପୋଷ୍ଟର ଲେଖାରୁ ମାଓବାଦୀ ମାନେ ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନଥିବା ପ୍ରମାଣିତ ହେଉଛି । ଆଜି ମରାଯାଇଥିବା ପୋଷ୍ଟର୍ରେ ସିଧାସଳଖ ଗଣ୍ଡ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଥିବାରୁ ସେମାନଙ୍କ ଭୟ ଅଧିକ ବଢ଼ିଛି । ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶ୍ୱାସନା ଦିଆଯାଉଥିଲେ ମଧ୍ୟ ଲୋକ ଏହାକୁ ଆଧାର କରି ସାହସ ବାନ୍ଧି ପାରୁନାହନ୍ତି । ପାଖ ଜଙ୍ଗଲରେ ପୁଲିସ ଓ ସିଆର୍ପିଏଫ୍ର କମ୍ବିଂ ଚାଲିଥିବା କୁହାଯାଉଥିଲେ ବି ଗ୍ରାମରେ କାହାର ପାଦ ନ ପଡ଼ିବା କାରଣରୁ ଲୋକ ଏକ ପ୍ରକାର ଆତଙ୍କ ଭିତରେ କାଳ କାଟୁଥିବା କୁହାଯାଇଛି ।


Comments are closed, but trackbacks and pingbacks are open.