
ଗଞ୍ଜାମ,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ତଥା ପାଟପୁର ଥାନା ଇଲାକାରେ ଶନିବାର ଅପରାହ୍ଣରେ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତୁ୍ୟ ଓ ଆଉ ଜଣେ ଆହତ ହେବା ପରେ ଲୋକେ ଲଙ୍କାକାଣ୍ଡ ଘଟାଇଛନ୍ତି । ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ରୁ ଟାଣି ଆଣି ଟ୍ରକ୍ ଡ୍ରାଇଭର୍, ହେଲ୍ପର୍ ସମେତ ନିକଟରେ ନିୟୋଜିତ ଏକ ଜେସିବି ଅପରେଟର୍ଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସ ସହ ଅଞ୍ଚଳବାସୀଙ୍କ ଧସ୍ତାଧସ୍ତି ଘଟିଥିଲା । ତିନିଜଣଙ୍କୁ ଉଦ୍ଧାର କରି ପୁଲିସ ଆଡ଼ପଡ଼ା ଡାକ୍ତରଖାନାକୁ ଆଣିଥିଲେ ହେଁ ଡ୍ରାଇଭରଙ୍କୁ ଡକ୍ତର ମୃତ ଘୋଷଣା କରିଛନ୍ତି । ଏଥିସହ ଉତ୍ତ୍ୟକ୍ତ ଲୋକେ ବାଇକ୍ ଚାଳକଙ୍କ ଶବ ରଖି ଓ ଟାୟାର୍ ଜାଳି ଜଗନ୍ନାଥପୁର- ରମୁଣି ତିନି ଛକରେ ୫ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତିନି ଥାନା ଅଧିକାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଏକ ପ୍ଲାଟୁନ୍ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ମୃତ ବାଇକ୍ ଚାଳକ ହେଉଛନ୍ତି ଆଡ଼ପଡ଼ାର କାହ୍ନୁଚରଣ ଜେନା ଓ ମୃତ ଟ୍ରକ୍ ଡ୍ରାଇଭର୍ ହେଉଛନ୍ତି ଭଞ୍ଜନଗର ନିକଟ ତାରାସିଂର ବସନ୍ତ ବାଘ । ଏ ନେଇ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ କହିଛନ୍ତି ଯେ- ଆଇନକୁ ଯେଉଁମାନେ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।
ଶନିବାର ଅପରାହ୍ନରେ କଳା ରଙ୍ଗର ବାଇକ୍ରେ ରାମଚନ୍ଦ୍ରପୁରରୁ ଆଡ଼ପଡ଼ା ଯାଉଥିବା ବାଇକ୍କୁ ଧକ୍କା ଦେଇଥିଲା ମାଟି ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ବାଇକ୍ ଚାଳକ କାହ୍ନୁଚରଣ ଜେନା (୨୩)ଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଆରୋହୀ ଗୁରୁତର ହୋଇଥିଲେ । ତାଙ୍କୁ ଆଡ଼ପଡ଼ା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ପରେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ହୋଇ ରମୁଣି ତିନି ଛକରେ ମୃତଦେହ, ବାଇକ୍ ରଖି ଟାୟାର୍ ଜାଳି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପାଟପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଉତ୍ତ୍ୟକ୍ତ ଲୋକେ ବୁଝି ନଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର୍ ଏବଂ ହେଲ୍ପର୍କୁ ନିଜ ଗାଡ଼ିରେ ବସାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ହସ୍ତାନ୍ତର କରିବାକୁ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ଫଳରେ ପୁଲିସ- ଜନତା ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ନ ହେବାରୁ ଶେରଗଡ଼ ଓ ହିଞ୍ଜିଳିକାଟୁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ତଥାପି ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର୍, ହେଲ୍ପର୍କୁ ପୁଲିସ ଭ୍ୟାନ୍ରୁ ଟାଣି ଆଣି ନିସ୍ତୁକ ପିଟିଥିଲେ । ଏପରିକି ନିକଟରେ ମାଟି ଖୋଳାରେ ନିୟୋଜିତ ଜେସିବି ଅପରେଟର୍କୁ ମଧ୍ୟ ମାଡ଼ ମାରିଥିଲେ । ଉକ୍ତ ଟ୍ରକ୍୍ ଜେସିବି ଦ୍ୱାରା ଖୋଳା ହୋଇଥିବା ମାଟି ପରିବହନ କରୁଥିଲା । ପୁଲିସ ଡ୍ରାଇଭର୍, ହେଲ୍ପର୍ ଓ ଅପରେଟର୍ଙ୍କୁ ଉଦ୍ଧାର କରିଥିଲେ ହେଁ ଆଡ଼ପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତାକ୍ତ ଓ ଗୁରୁତର ଡ୍ରାଇଭର୍ ବସନ୍ତ ବାଘଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଉତ୍ତ୍ୟକ୍ତ ଅଞ୍ଚଳବାସୀ ଜିଦ୍ ଧରିଥିଲେ ଯେ- ସାନଖେମୁଣ୍ଡି ତହସିଲଦାର ଏବଂ ଟ୍ରକ୍ ମାଲିକ ଘଟଣାସ୍ଥଳକୁ ଆସୁ । କିନ୍ତୁ ତହସିଲଦାରଙ୍କ ଦେଖା ନମିଳିବାରୁ ଅବସ୍ଥା ଅଧିକ ଗମ୍ଭୀର ହୋଇ ପଡିଥିଲା ବୋଲି କୁହାଯାଉଛି । ସନ୍ଧ୍ୟାରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ୧ ପ୍ଲାଟୁନ୍ ଫୋର୍ସ ସହ ପହଞ୍ଚିଥିଲେ । ଆଡ଼ପଡ଼ା ସରପଞ୍ଚ ନୀଳମାଧବ ରାଉତଙ୍କ ଉପସ୍ଥିତିରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା । ପାଟପୁର ପୁଲିସ ବ୍ରହ୍ମପୁରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।


Comments are closed, but trackbacks and pingbacks are open.