ପୁଲିସ ପରିଚୟରେ ଲୁଟ୍:ନେଇଗଲେ ୬ ତୋଳାର ମଙ୍ଗଳସୂତ୍ର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ପୁଣି ନକଲି ପୁଲିସ ଲୁଟିଲେ ୬ ତୋଳା ସୁନା । ପୁଲିସ ପରିଚୟ ଦେଇ ଜଣେ ମହିଳାଙ୍କ ଠାରୁ ନେଇଗଲେ ତାଙ୍କ ମଙ୍ଗଳସୂତ୍ର । ବ୍ରହ୍ମପୁରର ଜନାକୀର୍ଣ୍ଣ ଦଳୁଆସାହିରେ ଦିନ ୧୧ଟା ୪୦ରେ ଘଟିଛି ଘଟଣା । ନକଲି ପୁଲିସ ପରିଚୟରେ କ୍ରମାଗତ ସୁନା ଲୁଟିରେ ଯୋଡ଼ି ହୋଇଛି ଆଉ ଏକ ଘଟଣା ।
‘ପୁଲିସ ପରିଚୟ ଦେଲେ ବି କାହାକୁ ସୁନା ଦିଅନ୍ତୁ ନାହିଁ । କାରଣ ପୁଲିସ କାହାକୁ ସୁନା ମାଗେ ନାହିଁ ।’ ଗଣମାଧ୍ୟମ, ସୋସିଆଲ୍ ମିଡିଆରେ ବ୍ରହ୍ମପୁର ପୁଲିସ ଏଭଳି ସଚେତନତା ଦେଇଛି । ଡାକବାଜି ଯନ୍ତ୍ରରେ ବି ସାହି ସାହିରେ ପ୍ରଚାର କରୁଛି । ସୁନା ଲୁଟେରାଙ୍କୁ ଧରିବାକୁ ୨୨ ଜଣିଆ ବାଇକ୍ ପାଟ୍ରୋଲିଂ ଟିମ୍ ଅଛନ୍ତି । ହେଲେ ବି ସୁଫଳ ମିଳୁନି । ଜନସଚେତନତା ଅଭାବର ସୁଯୋଗ ନେଇ ସକ୍ରିୟ ରହିଛନ୍ତି ଲୁଟେରା । ଆଜି ପୁଣି ମିଲିଟାରୀ ଲାଇନ୍ର ଜଣେ ମହିଳା ଭି.ଭି ଶାରଦାଙ୍କୁ ପୁଲିସ ପରିଚୟ ଦେଇ ୬ ତୋଳା ଓଜନର ସୁନା ମଙ୍ଗଳସୂତ୍ର ନେଇଯାଇଛନ୍ତି ଲୁଟେରା । ଦୀର୍ଘମାସ ହେଲା ଲୁଟେରା ବରିଷ୍ଠ ନାଗରିକ ଓ ମହିଳାଙ୍କୁ ଟାର୍ଗେଟ୍ କରି ସୁନା ଅଳଙ୍କାର ଲୁଟ୍ କରୁଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ଦଳୁଆ ସାହି ମୁକ୍ତେଶ୍ୱର ମନ୍ଦିର ନିକଟରେ ମହିଳାଙ୍କ ମଙ୍ଗଳସୂତ୍ର ନେଇଯିବା ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ନିଜେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଭି.ଭି. ଶାରଦା ଅଭିଯୋଗ କରିଛନ୍ତି ଯେ, ଆଜି ସେ ଦଳୁଆ ସାହି ମୁକ୍ତେଶ୍ୱର ମନ୍ଦିରକୁ ଯାଇଥିଲେ । ପୂର୍ବାହ୍ନ ୧୧ଟା ୪୦ରେ ଘରକୁ ଫେରୁଥିଲା । ଦୁଇଜଣ ଯୁବକ ଆସି ତାଙ୍କ ସହ କଥା ହୋଇଥିଲେ । ସେମାନଙ୍କ ପାଖରେ ଆଉ ଜଣେ ଯୁବକ ଥିଲେ । ‘ସୁନା ପିନ୍ଧନ୍ତୁ ନାହିଁ, ଲୁଟେରା ନେଇଯାଉଛନ୍ତି’ ବୋଲି କହି ସେ ପିନ୍ଧିଥିବା ମଙ୍ଗଳସୂତ୍ର ସୁରକ୍ଷିତ ଭାବେ ରଖିବା ପାଇଁ ମାଗିଥିଲେ । ଶାରଦା ସୁନା ମଙ୍ଗଳସୂତ୍ର ବାହାର କରିବା ପାଇଁ ମନା କରି ଦେଇଥିଲେ । ତେବେ ଲୁଟେରା ମାନେ ମଙ୍ଗଳସୂତ୍ର ନ ଦେଲେ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଶାରଦାଙ୍କୁ କହିଥିଲେ । ଜରିମାନାକୁ ଭୟ କରି ଶାରଦା ମଙ୍ଗଳସୂତ୍ର ବାହାର କରି ଦେଇଥିଲେ । ତିନିଜଣ ଯୁବକ ମଙ୍ଗଳସୂତ୍ରକୁ ଗୋଟିଏ କାଗଜରେ ଗୁଡ଼ାଇ ଶାରଦାଙ୍କ ହାତକୁ ଦେଇଥିଲେ । ଏହାପରେ ସେମାନେ ଚାଲିଯାଇଥିଲେ । ଶାରଦା ଘରେ ପହଞ୍ଚି କାଗଜ ପ୍ୟାକେଟ୍ ଖୋଲିବା ବେଳେ ସେଥିରେ କିଛି ଗୋଡ଼ି ବାହାରିଥିଲା । ସେ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ।
ଟାଉନ୍ ଥାନା ଆଇଆଇସି ସନ୍ତୋଷିନୀ ଓରାମ୍ ଏବଂ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଲୁଟେରାଙ୍କ ସମ୍ପର୍କରେ ନିଜେ ପଚରାଉଚରା କରିଥିଲେ । ଆଖପାଖରେ ଲାଗିଥିବା ସମସ୍ତ ସିସି କ୍ୟାମେରା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁରରେ ଏଭଳି ଭାବେ ୬ଟି ଠକେଇ ହୋଇଛି ଏବଂ ଲୁଟେରାଙ୍କୁ ଧରିବାକୁ ଯୋଜନା ଚାଲିଥିବା ଏସ୍ପି ମିଶ୍ର କହିଛନ୍ତି । ଅଭିଯୋଗକାରୀଙ୍କ କହିବା ପ୍ରକାରେ ଲୁଟେରା ମାନେ ହିନ୍ଦୀ ଓ ଓଡ଼ିଆରେ କଥା ହେଉଥିଲେ । ଏମାନେ ବାହାର ରାଜ୍ୟରୁ ଆସିଥିବା ସନ୍ଦେହ କରାଯାଉଛି । କଟକରେ ଗୋଟିଏ ଗ୍ୟାଙ୍ଗ୍ ଧରାପଡ଼ିଛନ୍ତି , ସେହି ଗ୍ୟାଙ୍ଗ୍ର ସଦସ୍ୟ ମାନେ ହିଁ ବ୍ରହ୍ମପୁରରେ ଲୁଟ୍ କରୁଥିବା ସନ୍ଦେହ କରାଯାଉଛି ବୋଲି ଏସ୍ପି ସୂଚନା ଦେଇଛନ୍ତି । ସନ୍ଧ୍ୟାରେ ବ୍ରହ୍ମପୁର ଏସ୍ପି ‘ସୁନା ପୁଲିସ ମାଗେ ନାହିଁ ଓ ସୁନା କାହାକୁ ଦିଅନ୍ତୁ ନାହିଁ’ ବୋଲି ଟ୍ୱିଟ୍ କରିଛନ୍ତି । ସୁନା ଲୁଟେରାଙ୍କୁ ଧରିବାକୁ ପୁଲିସ ୨୨ଜଣିଆ ବାଇକ୍ ପାଟ୍ରୋଲିଂ ଟିମ୍ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons