ପୁଲିସ ସହ ମୁହାଁମୁହିଁ ଗାଁ ଲୋକ

Get real time updates directly on you device, subscribe now.

ପୋଲସରା: ଚିରିକିପଡ଼ା ଶାସନ ଗ୍ରାମରେ ଶୁକ୍ରବାର ଗୁଣି ସନେ୍ଦହରେ ଗୋଟିଏ ପରିବାର ତିନି ଜଣଙ୍କୁ ଆକ୍ରମଣ ଅଭିଯୋଗ । ଖଦାଳ ସାହି ଲୋକଙ୍କ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି ।
ଦେଢ ମାସ ମଧ୍ୟରେ ଚିରିକିପଡ଼ା ଶାସନ ବସ୍ଷ୍ଟାଣ୍ଡ୍ ନିକଟ ଖଦାଳ ସାହିର ମୁଳିଆ ନାହାକ (୫୫), ବିଶୁ ନାହାକ (୫୩), ପାଣ୍ଡି ନାହାକ (୪୭)ଙ୍କ ମୃତୁ୍ୟ ହୋଇଥିଲା । ଅଢେଇ ସପ୍ତାହ ପୂର୍ବେ ଅଜିତ ନାହାକ (୨୪) ଓ ଗତ ସପ୍ତାହରେ ଟୁକୁନା ନାହାକ (୩୩)ଙ୍କ ଜୀବନ ଯାଇଥିଲା ବେଳେ ଶୁକ୍ରବାର ସକାଳେ କୀର୍ତ୍ତନ ନାହାକ (୬୭)ଙ୍କ ମୃତୁ୍ୟ ଘଟିଥିଲା । ଫଳରେ ମାତ୍ର ଦେଢ଼ ମାସ ମଧ୍ୟରେ ସାହିର ଛ’ ଜଣଙ୍କ ମୃତୁ୍ୟ ଘଟଣାରେ ଗୁଣି ଯୋଗୁଁ ଏପରି ଘଟୁଥିବା ଗ୍ରାମବାସୀ ସନେ୍ଦହ କରିଥିଲେ । ଅପରପକ୍ଷରେ ବିମଳ ନାହାକ ପୂର୍ବରୁ ଗୁଣିଗାରେଡ଼ିି କରୁଥିବା ସାହି ଲୋକ ଜାଣିଥିଲେ । ଶୁକ୍ରବାର ସକାଳେ ବିମଳ ନିଜ ଘରେ କିଛି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ବିମଳ ହିଁ ଗୁଣି କରି ସମସ୍ତଙ୍କୁ ମାରିଥିବା ସନେ୍ଦହ କରି ପୂର୍ବାହ୍ନ ପ୍ରାୟ ଏଗାରଟାରେ ବିମଳ ନାହାକ, ପୁଅ ପୂର୍ଣ୍ଣ ନାହାକ ଏବଂ ସ୍ତ୍ରୀ ରଞ୍ଜୁ ନାହାକଙ୍କୁ ଆକ୍ରମଣ କରିଥିଲେ ସାହି ବାସିନ୍ଦା । ଗ୍ରାମବାସୀଙ୍କ ଆକ୍ରମଣରେ ବିମଳଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି ।
ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସାହି ଲୋକେ ପୁଲିସକୁ ମଧ୍ୟ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ଗୁରୁବାର ଦିନ ଖଦାଳ ସାହି ଗ୍ରାମବାସୀ ପୋଲସରା ଥାନା ଆସି ବିମଳ ନାହାକ ଗୁଣି କରି ସାହି ଲୋକଙ୍କୁ ମାରୁଥିବା ଅଭିଯୋଗ କରିଥିଲେ । ତେବେ ଗୁଣିଗାରେଡ଼ି କିଛି ନାହିଁ କହି ଗ୍ରାମବାସୀଙ୍କ ଅଭିଯୋଗକୁ ପୁଲିସ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ହୋଇଛି । ଏଣୁ ସାହି ଲୋକ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ମାତ୍ର ପୋଲସରା ଓ ବୁଗୁଡ଼ା ଥାନା ପୁଲିସ ମିଶି ଘଟଣାକୁ ଆୟତ୍ତ କରିଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons