ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ସୂର୍ଯ୍ୟଙ୍କ ଚରମବାଣୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଦଖଲରେ ରହିଛି ଦୁଇଟି ସରକାରୀ କ୍ୱାର୍ଟର୍ସ । ବିଜେପିର ପୂର୍ବତନ ବିଧାୟକ ରବିନାରାୟଣ ନାଏକ ମଧ୍ୟ ଦୁଇଟି କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ଗତ ୫ ବର୍ଷ ହେବ ସରକାରୀ ଘର ବାତିଲ ସତ୍ତେ୍ୱ ଏଯାଏ ଛାଡ଼ି ନାହାନ୍ତି । ବେଆଇନ ଭାବେ ଏମିତି ଘର ମାଡ଼ି ବସିଥିବା ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ପଦ ଗଲାଣି । ଆଉ ସରକାରୀ କ୍ୱାର୍ଟର୍ସ ନିଜ ଦଖଲରେ ରଖିବାର ଅଧିକାର ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ । ତୁରନ୍ତ ଆଇନକୁ ସମ୍ମାନ ଜଣାଇ କବ୍ଜାରେ ରଖିଥିବା ସରକାରୀ କ୍ୱାର୍ଟର୍ସ ଛାଡ଼ । ନଚେତ୍ ପାଣି ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ । ସରକାରୀ ଘର ଛାଡ଼ିନଥିବା ୨୬ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ଏମିତି ନାଲିଆଖି ଦେଖାଇଛନ୍ତି ସୂର୍ଯ୍ୟ । ଲୋକସଭା କମିଟି ଭଳି ଏହି ପୂର୍ବତନମାନଙ୍କୁ ବିଧାନସଭା ପକ୍ଷରୁ ବିଧିବଦ୍ଧ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଯେତେଶୀଘ୍ର ସମ୍ଭବ ଘର ଖାଲି କରିବାକୁ କୁହାଯାଇଛି । ସୂର୍ଯ୍ୟଙ୍କ ଏଭଳି କଡ଼ା ଆଭିମୁଖ୍ୟକୁ ନେଇ ମିଶ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ମାତ୍ର ସେ ଆଇନଗତ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।
ଭୋଟ ଫଳ ପ୍ରକାଶନକୁ ଇତିମଧ୍ୟରେ ୪ ମାସ ପୂରିଲାଣି । ମାତ୍ର ପୁରୁଣା ବିଧାୟକମାନେ ଦଖଲରେ ରଖିଥବା ଘର ଖାଲି କରୁନାହାନ୍ତି । ବିଜେପି ବିଧାୟକରୁ ସାଂସଦ ହୋଇଥିବା ବସନ୍ତ ପଣ୍ଡାଙ୍କ କ୍ୱାର୍ଟର୍ସକୁ ଗତ ଜୁନ୍ ମାସରୁ ବାତିଲ କରାଗଲାଣି । ମାତ୍ର ଏଯାଏ ସେ ଘର ଖାଲି କରିନାହାନ୍ତି । ବିଜେପିର ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମଧ୍ୟ ସମାନ ନୀତି ଆପଣାଇଛନ୍ତି । ଦଳର ପୁରୁଣା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ବେଆଇନ ଭାବେ ଘର ମାଡ଼ି ବସିଛନ୍ତି । ପୁରୁଣା ବିଜେଡି ମନ୍ତ୍ରୀ/ବିଧାୟକ ତଥା ଏବେର ବିଜେପି ନେତା ଦାମୋଦର ରାଉତ ଓ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଦଖଲରେ କ୍ୱାର୍ଟର୍ସ ଥିବାରୁ ନୋଟିସ୍ ଜାରି ହୋଇଛି ।
ଶାସକ ଦଳର ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମଧ୍ୟ ବାତିଲ ସତ୍ତେ୍ୱ ଘର ଛାଡ଼ୁନାହାନ୍ତି । ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ରମେଶ ଚନ୍ଦ୍ର ମାଝୀ (ଏବେ ସାଂସଦ), ପୁଷ୍ପେନ୍ଦ୍ର ସିଂହଦେଓ, ସଂଜୟ କୁମାର ଦାସବର୍ମା ପ୍ରମୁଖ ସରକାରୀ ଘରକୁ ଏଯାଏ ଦଖଲରେ ରଖିଛନ୍ତି । ସେହିଭଳି ପୂର୍ବତନ ବିଧାୟକ ତଥା ଢେ଼ଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ମଧ୍ୟ ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି । ସେହିଭଳି ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ, ସ୍ୱର୍ଗତ ସୁବଳ ସାହୁଙ୍କ ସହ ପୂର୍ବତନ ବିଧାୟକ ଦୋବଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲକ ବିହାରୀ ନାଏକ, ଯୁଗଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ନନ୍ଦିନୀ ଦେବୀ, ପ୍ରଭାତ କୁମାର ତ୍ରିପାଠୀ, ସଂଜୀବ କୁମାର ସାହୁ, ସରୋଜ ସାମଲ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଓ ପୂର୍ବତନ ବିଧାୟକ ଝିନ ହିକକା ପ୍ରମୁଖ ଏଯାଏ ମଧ୍ୟ ସରକାରୀ କ୍ୱାର୍ଟର୍ସ ମୋହ ଭାଙ୍ଗିନାହାନ୍ତି । ବାତିଲ ସତ୍ତେ୍ୱ କ୍ୱାର୍ଟର୍ସ ଦଖଲରେ ରଖିଛନ୍ତି ।
ସୂଚନା ଅଧିକାର ତଥ୍ୟ ଅନୁସାରେ ପୂର୍ବତନ ବିଧାୟିକା ପ୍ରମିଳା ଗିରି ଓ ଅଞ୍ଜଳି ବେହେରାଙ୍କୁ ସରକାରୀ ଘରୁ ଉଚ୍ଛେଦ କରାଯାଇଛି ।
ପୁରୁଣା ବିଧାୟକ ଘର ଛାଡୁନାହାନ୍ତି, ନୂଆ କିଛି ବିଧାୟକ ସରକାରୀ କ୍ୱାର୍ଟର୍ସ ପାଇନାହାନ୍ତି । ଏହାକୁ ନେଇ ଚାଲିଛି ଭିଡ଼ାଓଟରା । ଏପରିକି ବିଧାନସଭାର ଗତ ବଜେଟ ଅଧିବେଶନରେ ଏ ପ୍ରସଙ୍ଗରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ବିଜେପିର ବରିÂ ବିଧାୟକ ମୋହନ ମାଝୀ । ତାଙ୍କୁ କ୍ୱାର୍ଟର୍ସ ମିଳିନଥିବାରୁ ସେ ଫୁଟପାଥରେ ରହୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଆଣିଥିଲେ । ସମାନ ଅବସ୍ଥା ବହୁ ନୂଆ ବିଧାୟକ ଓ ମନ୍ତ୍ରୀଙ୍କର । ବହୁ ପୂର୍ବତନ ମନ୍ତ୍ରୀଙ୍କ କବଜାରେ ଏବେ ସରକାର କ୍ୱାର୍ଟର୍ସ ଥିବା ବେଳେ ମନ୍ତ୍ରୀରୁ ବିଧାୟକ ହୋଇଥିବା ବ୍ୟକ୍ତି ମଧ୍ୟ ମନ୍ତ୍ରୀ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବାରମ୍ବାର ନୋଟିସ୍ ସତ୍ତେ୍ୱ ଘର ସରକାରଙ୍କ ଦଖଲକୁ ଆସିପାରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons