ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳି କରି ହତ୍ୟା

Get real time updates directly on you device, subscribe now.

ଭାପୁର, (ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଳା ଭାପୁର ବ୍ଲକ୍ ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମରେ ଘଟିଛି ହତ୍ୟାକାଣ୍ଡ । ସାଙ୍ଗମାନଙ୍କ ସହ ଶୌଚ ହେବାକୁ ଯାଇଥିବା ଜଣେ ଯୁବକଙ୍କୁ ସେହି ଗ୍ରାମର ୮ ଜଣ ଯୁବକ ବଳପୂର୍ବକ ଉଠାଇ ନେବା ପରେ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଛନ୍ତି । ଏ ସମ୍ପର୍କରେ ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ଫତେଗଡ଼ ଥାନା ଘେରାଉ କରିଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ ୩ ଦିନ ମଧ୍ୟରେ ଧରାଯିବ ବୋଲି ଅତିରିକ୍ତ ଏସ୍ପି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ସଂଧ୍ୟାରେ ମଣିପୁର ଗ୍ରାମର ଅର୍ଜୁନ ବଳିଆରସିଂହ (୩୨) ତାଙ୍କର ୨ ଜଣ ସାଙ୍ଗଙ୍କ ସହ କାଚେରା ପାଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ସେହି ଗ୍ରାମର ବାହନ ଖଟେଇ, ତାପସ ଜେନା, ଶଙ୍କର ଦଳେଇ, ଅଶୋକ ଖଟେଇ, ଟୁଲୁ ଜେନା, ଧରମା ରାଉତରାୟ , ପ୍ରତାପ ଦଳେଇ ଓ ଜିତେନ୍ଦ୍ର ଦଳେଇ ୪/୫ ଟି ବାଇକ୍ରେ ଆସି ଅର୍ଜୁନଙ୍କୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ । ଏହା ପରେ ସେମାନେ ଅର୍ଜୁନଙ୍କ ଡାହାଣ ଗୋଡ଼କୁ ଗୁଳି କରି ସେଠାରୁ ତାଙ୍କୁ ବାଇକ୍ରେ ବସାଇ ନେଇ ଯାଇଥିଲେ । ଅଭିଯୁକ୍ତମାନେ ବୈଦେଶ୍ୱର ଥାନା ମଧୁଆପଲ୍ଲୀ ଗ୍ରାମର ଅଚିହ୍ନା ମଠ ପାଖରେ ପହଞ୍ଚôବା ପରେ ରାତି ପ୍ରାୟ ୯ଟା ସମୟରେ ଅତି ନିକଟରୁ ଅର୍ଜୁନଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଅର୍ଜୁନଙ୍କ ସହ ଶୌଚ ହେବା ନିମନ୍ତେ ଯାଇଥିବା ତାଙ୍କର ଦୁଇ ସାଙ୍ଗ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଖବର ଦେବା ପରେ ତାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଅଚିହ୍ନା ମଠ ପାଖରେ ଅର୍ଜୁନ ପଡ଼ି ରହିଥିବା ଦେଖି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଳାପଥର ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା । ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶଶି ଭୁଷଣ ଶତପଥୀ ଏବଂ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀନିବାସ ମହାନ୍ତି ଘଟଣା ସ୍ଥଳରେ ପହଂଚିଥିଲେ । ସେତେବେଳକୁ ସେଠାରେ ଫତେଗଡ଼ ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଗିରିଜା ନାଥ ପଟ୍ଟନାୟକ, ଏସ୍ଆଇ ନିରଞ୍ଜନ କିଶୋର ବଡ଼ଜେନା, ଏସ୍ଆଇ ରଇବାରୀ ତିରିଆ ପ୍ରମୁଖ ଉପସ୍ଥିତ ଥିଲେ । ପୁଲିସ ସେଠାରୁ ଦୁଇଟି ଖୋକା ଜବତ କରିଥଲା । ଗଣ୍ଡଗୋଳ ଆଶଙ୍କାରେ ଶନିବାର ସକାଳେ ମଣିପୁର ଗ୍ରାମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ କୁମାର ସାହାଣୀ , ନୟାଗଡ଼ ଏସ୍ଡିପିଓ ନିରଂଜନ ପାଢ଼ୀ, ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ କୁମାର ମଲିକଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ଅପରାହ୍ନ ପ୍ରାୟ ସାଢେ଼ ୪ଟା ବେଳେ ବ୍ୟବଚ୍ଛେଦ ପରେ ଶବକୁ ଗ୍ରାମକୁ ଅଣାଯିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଗ୍ରାମବାସୀ ଶବକୁ ଫତେଗଡ଼ ଥାନା ସମ୍ମୁଖରେ ରଖି ବାଘମାରୀ-ଦଶପଲ୍ଲା ୪୮ ନମ୍ବର ରାଜ୍ୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ । ତେବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସେମାନଙ୍କ ନିକଟରେ ପହଂଚି ଅପରାଧୀମାନଙ୍କୁ ତିନି ଦିନ ମଧ୍ୟରେ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ଗ୍ରମବାସୀ ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ତେବେ ଅତିରିକ୍ତ ତହସିଲଦାର ବିରଂଚି ନାରାୟଣ ବେହେରା ଜିଲ୍ଲାପାଳଙ୍କୁ କହି କିଛି ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାତିରେ ଶବକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିବା ଜଣାଯାଇଛି । ତେବେ ଖବର ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଆଜି ମଧ୍ୟାହ୍ନରେ ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ତଦନ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ମୃତକଙ୍କର ଗୋଟିଏ ୫ ବର୍ଷର ପୁଅ ଓ ଗୋଟିଏ ୩ ବର୍ଷର ଝିଅ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons