ମନମୁଣ୍ଡା,(ବି.ବି.ନୁ୍ୟଜ୍): ମନମୁଣ୍ଡା ଥାନା ଦପଲା(ଆରମୂଲ) ଗାଁରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଗାଁର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗାଁର ସମ୍ବାରୁ ସାହୁଙ୍କ ପୁଅ ଦିଗାମ୍ବର(୩୫) । ସେ ଆଜି ସକାଳ ପ୍ରାୟ ୬ଟାରେ ନିଜ ଜମିରେ ହଳ ଯୋତିବା ପାଇଁ ତାଙ୍କ ଘରଠୁ ଦୂରରେ ରହୁଥିବା ତାଙ୍କ ବଡ଼ଭାଇ ରାଧାକାନ୍ତଙ୍କଠାରୁ ହଳ ଧରି ଫେରୁଥିଲେ । ପୂର୍ବ ଯୋଜନା ମୁତାବକ ବନ୍ଧମୁଡ଼ାରେ ତାଙ୍କ ଗାଁର ବାବୁଲୁ ଦେହେରୀ, ସାନ ଦେହେରୀ, ମନୋଜ ସାହୁ ଏବଂ ସେମାନଙ୍କ ସହ ଆସିଥିବା ୪ଜଣ ଗୁଣ୍ଡା କାତି, ଲୁହାଛଡ ଇତ୍ୟାଦି ମାରଣାସ୍ତ୍ରଧରି ଦିଗାମ୍ବରକୁ ଗାଳିଗୁଲଜ କରିଥିଲେ । ଏହାପରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ମାଡ଼ଖାଇ ପ୍ରାଣ ବିକଳରେ ଦିଗାମ୍ବର ଧାଇଁ ପଳାଇଥିଲେ ମଧ୍ୟ ସେମାନେ ତାକୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ । ମୃତକର ମା ଉକିଆ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଠେଲାପେଲା କରି ତଳେ ପକାଇ ଦେଇଥିଲେ । ଗାଁଲୋକେ ଘଟଣାସ୍ଥଳକୁ ଆସିବାର ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ ।
ଆକ୍ରମଣରେ ମାଡ଼ରେ ମୃତକର ଡାହାଣ ଏବଂ ମୁଣ୍ଡ ପଛପଟ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏ ନେଇ ମୃତକର ମା ଉକିଆ ମନମୁଣ୍ଡା ଥାନାରେ ଲିଖିତ ଏତଲା ଦେବା ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ସୋନପୁରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରକାଶ ଯେ, ଗତ ଫଗୁଣ ମାସରେ ମୃତକର ପତ୍ନୀକୁ ବାବୁଲୁ ଦେହେରୀ ମାଡ଼ ମାରିଥିଲା ଓ ତହିଁରୁ ପ୍ରତିବାଦରେ ମୃତକ ମଧ୍ୟ ବାବୁଲୁକୁ ମାଡ଼ ମାରିଥିଲା । ସେନେଇ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଉକ୍ତ ଘଟଣାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଶତ୍ରୁତା ରହି ଆସିଥିଲା, ଯାହାର ପରିଣାମ ହତ୍ୟା ରୂପରେ ଆଜି ଦେଖିବାକୁ ମିଳିଲା । ଏତଲା ପାଇଲା କ୍ଷଣି ଆଇଆଇସି ଗୋପୀନାଥ ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗାଁକୁ ପୁଲିସ ଦଳ ପଠାଇଥିଲେ । ପୁଲିସ ଜଣେ ଅଭିଯୁକ୍ତ ମନୋଜ ସାହୁକୁ ଧରି ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇଥିବା ଜାଣିବାକୁ ମିଳିଛି ।
Comments are closed, but trackbacks and pingbacks are open.