ଜୟପୁର: ସ୍ଥାନୀୟ ଲାଲ୍ସାହି ବ୍ୟାଙ୍କ କଲୋନି ଲୋକେଶ୍ୱରୀ ମନ୍ଦିରରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୁଲିସ । ସେ ହେଲା ସହର ଢେପସାହିର କୁଖ୍ୟାତ ଅପରାଧୀ ସଞ୍ଜିତ ମହାନନ୍ଦିଆ(୨୫) । ତା’ ପାଖରୁ ଚୋରି ହୋଇଥିବା ଠାକୁରଙ୍କ ରୁପା ମୁକୁଟ ଏବଂ ଛତ୍ରୀ ଉଦ୍ଧାର କରାଯାଇଛି । ଉଦ୍ଧାର ଅଳଙ୍କାର ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି । ସଞ୍ଜିତ ନାଁରେ କେବଳ ଟାଉନ ଥାନାରେ ୧୮ଟି ମାାମଲା ରହିଛି । ଚୋରିର ୩ ଦିନ ପୂର୍ବରୁ ସେ ଜେଲ୍ରୁ ମୁକୁଳିଥିଲା । ମାମଲାର ଅନ୍ୟତମ ଅଭିଯୁକ୍ତ ସୁରେନ୍ଦ୍ର ହରିଜନ ଫେରାର ଅଛି ।
ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି, ସଞ୍ଜିତ ଜଣେ ପେସାଦାର ଅପରାଧୀ । ଗତ ୧୦ ବର୍ଷ ହେବ ସେ ସହରର ବିଭିନ୍ନ ଚୋରି, ଡକାୟତି, ଗଞ୍ଜେଇ ଏବଂ ଅସ୍ତ୍ରଶସ୍ତ୍ର ମାମଲାରେ ସମ୍ପୃକ୍ତ । ଏ ପର୍ଯ୍ୟନ୍ତ ତା ନାଁରେ କେବଳ ଟାଉନ ଥାନାରେ ୧୮ଟି ମାମଲା ରୁଜୁ ହୋଇଛି । ସେଥିରୁ ୩ଟି ଆର୍ମସ ଆକ୍ଟ, ଗୋଟିଏ ଗଞ୍ଜେଇ ଏବଂ ବଳକା ୧୪ଟି ଚୋରି, ଡକାୟତି ଇତ୍ୟାଦି । ଅନ୍ୟ ଥାନାରେ କେତୋଟି ମାମଲା ରହିଛି, ସେ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି । ଗତ ୨ ତାରିଖ ରାତିରେ ସେ ଏବଂ ଅନ୍ୟ ଜଣେ ସହଯୋଗୀ ମିଶି ମନ୍ଦିରରୁ ଚୋରି କରିଥିଲେ । ଚୋରି ଘଟଣାର ୩ ଦିନ ପୂର୍ବରୁ ସେ ଜେଲ୍ରୁ ବାହାରିଥିଲା । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ତଦନ୍ତ ପରେ ଗତ ୮ ତାରିଖ ରାତିରେ ତାକୁ ଅଧିକାରୀମାନେ କାବୁ କରିବାରେ ସଫଳ ହୋଇଥିଲେ । ଅନ୍ୟତମ ଅଭିଯୁକ୍ତ ସୁରେନ୍ଦ୍ର ଫେରାର ରହିଛି । ତାକୁ ଖୁବଶୀଘ୍ର ଗିରଫ କରାଯିବ । ଏଏସ୍ଆଇ ବାସୁଦେବ ମାଝି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସହ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଏବଂ ଏଏସ୍ଆଇ ଶ୍ରୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଗତ ୨ ତାରିଖ ରାତିରେ ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା । ଅଭିଯୁକ୍ତମାନେ ମନ୍ଦିର ତାଲା ଭାଙ୍ଗି ରୁପା ମୁକୁଟ ଏବଂ ଛତ୍ରୀ ଚୋରାଇ ନେଇଥିଲେ । ୩ ତାରିଖ ସକାଳେ ଏ ସମ୍ପର୍କରେ ପୂଜାରୀ ଜାଣିବା ପରେ ମନ୍ଦିର କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟି ଡ. ସୁରେଶ ଦାଶ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.