
ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗ୍ରାମର ମଠ ପୋଖରୀରେ ଗାଧୋଇବା ବେଳେ ଦୁଇ ନାବାଳକ ବୁଡ଼ିଯାଇ ଅକାଳ ମୃତୁ୍ୟ ମୁଖରେ ପଡ଼ିଛନ୍ତି । ପୂର୍ବାହ୍ନରୁ ଗାଧୋଇବାକୁ ଯାଇ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ । ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ସଂରକ୍ଷିତ ରଖାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ରାସୋଳ ଥାନା ଛୋଟାପଡ଼ା ଗ୍ରାମର ବିଦ୍ୟାଧର ବେହେରା ଜିଏମ୍ଆର୍ରେ କାମ କରୁଥିବା ବେଳେ ଗୋତମରା ଗ୍ରାମରେ ଘରଭଡ଼ା ନେଇ ରହୁଛନ୍ତି । ସେହିପରି ନିକଟସ୍ଥ ଏକ ମିକ୍ସଚର ପ୍ୟାକ୍ଟରୀରେ କାମ କରୁଥିବା ବେଡ଼ାପଡ଼ା ଗ୍ରାମର ମଣିଆ ସାମଲ ଗୋମତରା ଗ୍ରାମରେ ଭଡ଼ାରେ ରହୁଛନ୍ତି । ବିଦ୍ୟାଧରଙ୍କ ପୁଅ ବିଶ୍ୱଜିତ୍ (୯) ଓ ମଣିଆଙ୍କ ପୁଅ ସ୍ୱାଧୀନ (୧୧) ଉଭୟ ଦୁଇ ସାଙ୍ଗ, ଆଜି ପୂର୍ବାହ୍ନ ୧୧ଟା ବେଳେ ନିକଟସ୍ଥ ମଠ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ସହ ଅନ୍ୟ ସାଙ୍ଗମାନେ ଗାଧୋଇବାକୁ ଯାଇଥିଲେ ବି ଗାଧୋଇ ସାରି ସେମାନେ ଘରକୁ ଫେରି ଆସିଥିଲେ । ବିଶ୍ୱଜିତ୍ ଓ ସ୍ୱାଧୀନ କିନ୍ତୁ ଫେରିନଥିଲେ । ଦିନ ପ୍ରାୟ ୧୨ଟା ବେଳେ ବିଶ୍ୱଜିତ୍ଙ୍କ ମାମୁ ମହୀଧରପୁର ଗ୍ରାମର ଶିବରାମ ବେହେରା ବଅଁରପାଳ ହାଟକୁ ଆସିଥିବା ବେଳେ ଭଣଜା ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ସୂଚନା ପାଇଥିଲେ । ସେ ତୁରନ୍ତ ଗୋତମରା ଆସି ଭଉଣୀ ଘରେ ପଚରାଉଚୁରା କରିଥିଲେ । ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ପୋଟରୀ ତୁଠକୁ ଗଲା ବେଳେ ଉଭୟଙ୍କ ଜାମାପଟା ହୁଡ଼ାରେ ଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ସମ୍ପର୍କୀୟ ଓ ଗ୍ରାମବାସୀ ଉଭୟଙ୍କ ନିଶ୍ଚଳ ଶରୀର ପୋଖରୀରୁ ଉଦ୍ଧାର କରି ବଅଁରପାଳର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.