ପୋଖରୀରେ ବୁଡ଼ି ମା’ ଝିଅଙ୍କ ମୃତୁ୍ୟ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଗାଧୋଇବାକୁ ଯାଇଥିଲେ । ଆଉ ଘରକୁ ଫେରି ପାରିଲେନି । ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ମା’-ଝିଅ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ରାମଗିରି ଫାଣ୍ଡି ଅଧୀନରେ ଥିବା ପୁରୁଣାପାଣି ଗାଁରେ । ମୃତା ୨ ଜଣ ହେଲେ ଚଞ୍ଚଳା ଚାଲଣ(୩୦) ଓ ତାଙ୍କ ଝିଅ ସମ୍ମତି ଚାଲଣ(୧୦) ।
ଆଜି ପୂର୍ବାହ୍ନରେ ଅନ୍ୟ ମହିଳାମାନଙ୍କ ସହିତ ମା’ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଗଭୀର ଜଳ ଭିତରକୁ ଚାଲିଯାଇଥିଲା ସମ୍ମତି । ତାକୁ ଉଦ୍ଧାର କରିବାକୁ ଯାଇ ଚଞ୍ଚଳା ଭିତରକୁ ଯାଇଥିଲେ । ଉଭୟ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପାଖରେ ଗାଧୋଉଥିବା ଅନ୍ୟ ମହିଳାମାନେ ଏ ସମ୍ପର୍କରେ ସଙ୍ଗେସଙ୍ଗେ ଗାଁ ଲୋକଙ୍କୁ ଜଣାଇଥିଲେ । ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ବି ସେମାନଙ୍କ ପତ୍ତା ପାଇନଥିଲେ । ଶେଷରେ ବୈପାରିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କର୍ମଚାରୀମାନେ ପହଞ୍ଚି ପୋଖରୀର ଗଭୀର ଜଳରୁ ଉଭୟଙ୍କ ଶବ ଉଦ୍ଧାର କରିଥିଲେ ।
ରାମଗିରି ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ଫାଣ୍ଡିରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି । ତେବେ ଆବଶ୍ୟକ କାଗଜପତ୍ର ବୈପାରିଗୁଡ଼ା ତହସିଲରୁ ମିଳିବା ପରେ ସହାୟତା ରାଶି ମଞ୍ଜୁର ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ସୁପାରିଶ୍ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons