ପୋଡ଼ି ହୋଇଗଲେ ୪ ମହିଳା ଶ୍ରମିକ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାଣୀଗୁଡ଼ା ଡିଏଫଓ କଲୋନି ତୃତୀୟ ଲେନ୍ରେ ଘଟିଛି ଅଘଟଣ । ଭୋଜି ରାନ୍ଧିବା ବେଳେ ଗ୍ୟାସ୍ ଚୁଲାର ପାଇପରେ ନିଅାଁ ଲାଗି ୪ ଜଣ ମହିଳା ଶ୍ରମିକ ପୋଡ଼ି ହୋଇଯାଇଛନ୍ତି । ସେମାନେ ହେଲେ କଳାବତୀ ମାଣ୍ଡାଙ୍ଗି(୩୩), ଲକ୍ଷ୍ମୀ କଣ୍ଡାଗରି(୪୦), ସୁକାନ୍ତି ମିଣିଆକା(୩୧) ଓ ପାର୍ବତୀ କଣ୍ଡାଗରି(୪୧) । ସଂଗେ ସଂଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କଳାବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଡିଏଫଓ କଲୋନି ତୃତୀୟ ଲେନ୍ରେ ରହୁଥିବା ମନୋଜ କୁମାର ସାହୁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା । ଏଥିପାଇଁ ଘର ନିକଟରେ ଚାଲିଥିଲା ରୋଷେଇ । କୌଣସି କାରଣରୁ ଚୁଲାରେ ଲାଗିଥିବା ପାଇପରୁ ଗ୍ୟାସ୍ ଲିକ୍ ହୋଇ ରୋଷେଇ କରୁଥିବା ମହିଳାଙ୍କ ଉପରକୁ ମାଡ଼ିଯାଇଥିଲା । ଫଳରେ ୪ ଜଣ ପୋଡ଼ି ହୋଇଯାଇଥିଲେ । କଳାବତୀଙ୍କୁ ଛାଡ଼ି ଅନ୍ୟମାନେ ଏବେ ବିପଦମୁକ୍ତ ଥିବା ଜଣାପଡିଛି । ଏହି ଘଟଣାରେ ନରସିଂହ ଭୋଇ ନାମକ ଜଣେ ରୋଷେୟା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ୪ ମହିଳା ଭୋଜିରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିବା ସୂଚନା ମିଳିଛି । ସମସ୍ତେ ଗରିବ ଦିନ ମଜୁରିଆ ଶ୍ରେଣୀର । ପ୍ରତିଦିନ କଷ୍ଟ କରି ଆଣିଲେ ସେମାନଙ୍କ ପରିବାର ଚଳିଥାଏ । ପେଟ ପାଇଁ ଖଟିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଅନ୍ୟପକ୍ଷରେ ସହରରେ ଯେଉଁସବୁ ଗ୍ୟାସଚୁଲା ଭଡ଼ାରେ ଭୋଜି ରାନ୍ଧିବା ଲାଗି ଅଣାଯାଉଛି, ସେଥିରୁ ଅଧିକାଂଶ ସୁରକ୍ଷିତ ନଥିବା ଆଜି ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons