ସୋରଡ଼ା,(ବି.ବି.ନୁ୍ୟଜ): ଘରେ କୌଣସି କାରଣରୁ ପୋଡ଼ି ହୋଇ ଜଣେ ଯୁବତୀଙ୍କ ମୃତୁ୍ୟ ହୋଇଛି । ମୃତକ ସୋରଡ଼ା ହରିଜନ ସାହି ବୁଲୁ ବିଷୋୟୀଙ୍କ ଝିଅ ମାମାଲି (୧୯) । ଘଟଣା ଆଜି ମଧ୍ୟାହ୍ନରେ ଘଟିଛି । ଏଭଳି ଦୁଃଖଦ ଖବର ପାଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ସୋରଡ଼ା ଓ ପରେ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା । ବ୍ରହ୍ମପୁର ଡାକ୍ତରଖାନାରେ ତାଙ୍କ ମୃତୁ୍ୟ ହୋଇଥିବା ସୋରଡ଼ା ଡାକ୍ତରଖାନା ଡାକ୍ତର ଅଜିତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ବୁଲୁ ବାହାର ରାଜ୍ୟ କାମ କରନ୍ତି । କିଛି ଦିନ ତଳେ ମାଆଙ୍କ ମୃତୁ୍ୟ ହୋଇଥିବାରୁ ଘରକୁ ଫେରିଛନ୍ତି । ଆଜି କୌଣସି କାମରେ ବୁଲି ଗାଁ ବାହାରକୁ ଯାଇଥିଲେ । ଘରେ କେବଳ ବୁଲୁଙ୍କ ଝିଅ ମାମାଲି ଓ ସ୍ତ୍ରୀ ବବି ରହିଥିଲେ । ମଧ୍ୟାହ୍ନରେ ଘର ବାହାରେ ମାଆ ଥିବା ବେଳେ ଘର ଭିତରୁ ଝିଅର ଚି+ାର ଶୁଣି ଭିତରକୁ ଦୌଡ଼ିଥିଲେ । ଏହି ସମୟରେ ଝିଅ ମାମାଲି ଜଳୁଥିବା ଦେଖି ଉଦ୍ଧାର କରିଥିଲେ । ଘଟଣା ଜଣାପଡ଼ିବା ପରେ ଗାଁର ଶହ ଶହ ଲୋକଙ୍କ ଭିଡ଼ ହୋଇଯାଇଥିଲା । ଏହି ସମୟରେ ଉକ୍ତ ଗାଁ ଦେଇ ବିଧାୟକ ପୂର୍ଣ୍ଣ ସ୍ୱାଇଁ ଯାଉଥିବାବେଳେ ଘଟଣା ବିଷୟରେ ଶୁଣି ପହଞ୍ଚି ଥିଲେ । ମାମାଲିଙ୍କୁ ଅଟୋ ଦ୍ୱାରା ସୋରଡ଼ା ଡାକ୍ତରଖାନା ନେବାରେ ସାହାଯ୍ୟ କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ବ୍ରହ୍ମପୁର ଡାକ୍ତରଖାନା ପଠାଇ ଦିଆଯାଇଥିଲା । ପରିବାରଙ୍କ ହାତରେ ସୋରଡା ବିଧାୟକ ପ୍ରାଥମିକ ଚିକିତ୍ସା ପାଇଁ କିଛି ଟଙ୍କା ପ୍ରଦାନ କରିଥିଲେ । ବ୍ରହ୍ମପୁର ଠାରେ ମାମାଲିଙ୍କ ମୃତୁ୍ୟ ହୋଇଥିବା ଡାକ୍ତର ଅଜିତ ପାଣିଗ୍ରାହୀ କହିଛନ୍ତି ।


Comments are closed, but trackbacks and pingbacks are open.