
ମାଲକାନଗିରି,(ବି.ବି.ନୁ୍ୟଜ): ପୋଡ଼ୁଚାଷ ପାଇଁ ଦୁମୁଗୁଡେମ ଜଙ୍ଗଲରେ ନିଅାଁ ଲଗାଉଥିଲେ ନିକଟସ୍ଥ ଗ୍ରାମବାସୀ । ଏହାକୁ ବିରୋଧ କରିଥିଲେ ବନକର୍ମଚାରୀ । ଏଥିରେ ଉତ୍ତ୍ୟକ୍ତ ମହିଳାମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନ କର୍ମଚାରୀ । ଉତ୍କ୍ଷିପ୍ତ ମହିଳାମାନେ ବନକର୍ମଚାରୀମାନଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ଜଣେ ବନପାଳଙ୍କୁ ଗଛରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ସୀମାନ୍ତ ତେଲେଙ୍ଗନା ରାଜ୍ୟ ଚିନ୍ତାଗୁମ୍ଫା ଗାଁରେ ।
ଅଭିଯୋଗ ଅନୁସାରେ ସୀମାନ୍ତ ଚିନ୍ତାଗୁମ୍ଫା ଗାଁର କେତେକ ମହିଳା ଦୁମୁଗୁଡେମ ଜଙ୍ଗଲରେ ପୋଡ଼ୁଚାଷ କରିବା ନିମନ୍ତେ ଜଙ୍ଗଲରୁ ଗଛ କାଟି ନିଅାଁ ଲଗାଉଥିଲେ । ଖବରପାଇ ସ୍ଥାନୀୟ ଅଞ୍ଚଳର ୩ ଜଣ ବନ କର୍ମଚାରୀ ସେହି ଜଙ୍ଗଲକୁ ଯାଇଥିଲେ । ଗଛ କାଟିବା ଏବଂ ଜଙ୍ଗଲରେ ନିଅାଁ ନ ଲଗାଇବା ପାଇଁ କର୍ମଚାରୀମାନେ ବାରଣ କରିଥିଲେ । ଏହାକୁ ନେଇ ସେଠାରେ ଥିବା କେତେକ ମହିଳା ଓ ପୁରୁଷ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କ୍ରମଶଃ ଉଭୟଙ୍କ ମଧ୍ୟରେ ବଚସା ବଢ଼ିଥିଲା । ମହିଳାମାନେ ରାଗିଯାଇ ବନ କର୍ମଚାରୀଙ୍କୁ ଗାଳିଗୁଲୁଜ କରିବା ସହ ରାକେଶ ସୋଡ଼ି ନାମକ ଜଣେ ବନପାଳଙ୍କୁ ଗଛରେ ବାନ୍ଧି ଦେଇ ମାଡ଼ ମାରିଥିଲେ । ଅନ୍ୟ ବନକର୍ମଚାରୀ ଓ ଗାଁର କେତେକ ଲୋକ ମହିଳାମାନଙ୍କୁ ବୁଝାସୁଝା କରି ବନପାଳଙ୍କୁ ଉଦ୍ଧାର କରିଥିଲେ । ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଦୁମୁଗୁଡେମ ଥାନାରେ ଏକ ଏତଲା ଦିଆଯାଇଛି । ଭାଇରାଲ୍ ଭିଡିଓ ଆଧାରରେ ପୁଲିସ ଚିନ୍ତାଗୁମ୍ଫା, ଦୁମୁଗୁଡେମ ଅଞ୍ଚଳର ୧୮ ଜଣଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଖୋଜୁଥିବାର ଜଣାପଡ଼ିଛି ।
Comments are closed, but trackbacks and pingbacks are open.