କଟକ : ମହାନଦୀ ବିହାରର ଜଣାଶୁଣା ସମାଜସେବୀ ତଥା ପୁଲିସ ବିଭାଗରେ ଡେପୁଟି କମାଣ୍ଡାଣ୍ଟ୍ ଭାବେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଠାରେ ଅବସ୍ଥାପିତ ଥିବା ପ୍ରମୋଦ କୁମାର ସାହାଣୀ (୫୧)ଙ୍କ ହୃଦଘାତରେ ପରଲୋକ ହୋଇଛି । ଜଗତସିଂହପୁର ଇଲେକ୍ସନ୍ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱର୍ଗତ ସାହାଣୀ ଗତକାଲି ରାତି ଗୋଟାଏ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ କିଛି ସମୟ ମଧ୍ୟରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଗଲା । ତାଙ୍କ ପରଲୋକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସ୍ୱର୍ଗତ ସାହାଣୀଙ୍କ ଘର କଟକ ଜିଲ୍ଲା ଉତ୍ତରକୂଳ ଅଞ୍ଚଳରେ । ତାଙ୍କ ବାପା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହାଣୀ କଟକର ଅତିରିକ୍ତ ଏସ୍ପି ଥିଲେ । ପୁଲିସ ବିଭାଗରେ ସ୍ୱର୍ଗତ ସାହାଣୀ ଜଣେ ଲୋକପ୍ରିୟ ଓ ଦକ୍ଷ ଅଧିକାରୀ ଭାବେ ପରିଚିତ ଥିଲେ। ସାଧାରଣ ଜୀବନରେ ମଧ୍ୟ ଜଣେ ପରୋପକାରୀ ଓ ନିର୍ମାୟା ମଣିଷ ଥିଲେ । ଶେଷଶଯ୍ୟା ନିକଟରେ ପତ୍ନୀ, ଯୁକ୍ତ ତିନି ପଢୁଥିବା ଝିଅ ପ୍ରଜ୍ଞା ସାହାଣୀ, ସାନପୁଅ ପ୍ରକାଶ କୁମାର ସାହାଣୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ବୁଧବାର ଖାନନଗରସ୍ଥିତ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ପୁଅ ପ୍ରକାଶ ମୁଖାଗ୍ନି ଦେଇଥିଲେ । ଏଥିରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡେଇ, ସମାଜସେବୀ ତଥା କଟକ ଚୌଦ୍ୱାରର ବିଜେପି ନେତା ସଞ୍ଜୟ ଜେନା, ସ୍ୱର୍ଗତ ସାହାଣୀଙ୍କ ବନ୍ଧୁ ଟିପା ଆଚାର୍ୟ୍ୟ, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.