ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ, ମାତ୍ରାଧିକ କାର୍ୟ୍ୟାନୁଷ୍ଠାନରେ ଆତ୍ମହତ୍ୟା କଲେ ବ୍ୟକ୍ତି

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି : ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପାଇଁ ଜଣେ ନିରୀହ ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ଵର ଫାଣ୍ଡି ନଇଗୁଆଁ ଗାଁର ବୀରବର ସାହୁଙ୍କ ପୁଅ କଳାକାର ସାହୁ ଗତକାଲି ସନ୍ଧ୍ୟାରେ ବାଡ଼ି ପଛପଟେ ଥିବା ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ସେଠାରେ କଳାକାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାରୁ ପ୍ରକାଶ ଯେ ଗତ ୧୯ ତାରିଖ ଦିନ ସେହି ଗାଁରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଯାଇଥିଲେ। ନିଖୋଜ ଛାତ୍ରୀଙ୍କ ପରିବାର ପକ୍ଷରୁ ଭଦ୍ରେଶ୍ଵର ଫାଣ୍ଡିରେ ଏତଲା ଦିଆ ଯାଇଥିଲା। ନିଖୋଜ ହୋଇଥିବା ଛାତ୍ରୀ ଜଣକ ମୃତ କଳାକାରଙ୍କ ନାବାଳିକା ଝିଅର ସାଙ୍ଗ। ଅଧିକାଂଶ ସମୟରେ ଉକ୍ତ ନିଖୋଜ ଝିଅ କଳାକାରଙ୍କ ଘରକୁ ଯିବା ଆସିବା ସହ କଳାକାରଙ୍କ ଘରେ ଥିବା ଏକ ମୋବାଇଲରେ ସମୟ ସମୟରେ କାହା ସହ କଥା ହୋଇଥାନ୍ତି।
ଭଦ୍ରେଶ୍ଵର ଫାଣ୍ଡି ପୋଲିସ ନିଖୋଜ ନାବାଳିକା ଝିଅର ତଦନ୍ତ କରୁ କରୁ ମୋବାଇଲ୍ ଟ୍ରାକିଂରୁ ଜାଣିବାକୁ ପାଇଲା ଯେ, ନିଖୋଜ ନାବାଳିକା କେନ୍ଦ୍ରାପଡ଼ା ଅଂଚଳର ଜଣେ ଯୁବକଙ୍କ ସହ ପ୍ରାୟ କଥା ହେଉଛନ୍ତି। ଆଉ ଅନେକ ଥର କଳାକାରଙ୍କ ମୋବାଇଲରୁ ନିଖୋଜ ନାବାଳିକା କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ତେଣୁ ଗତ ୨୪ ତାରିଖରେ କଳାକାର ଓ ତାଙ୍କ ଝିଅକୁ ଘରୁ ଉଠାଇ ନେଇ କେନ୍ଦ୍ରାପଡା ଆଣିଥିଲା ଭଦ୍ରେଶ୍ଵର ଫାଣ୍ଡି ପୋଲିସ। ସେଠାରୁ ସଂପୃକ୍ତ ଯୁବକଙ୍କୁ ନ ପାଇ ଯୁବକଙ୍କ ବାପାକୁ ଉଠେଇ ଆଣିଥିଲା।
ପୁନଶ୍ଚ ଗତକାଲି ଅର୍ଥାତ୍ ୨୫ ତାରିଖରେ ଭଦ୍ରେଶ୍ଵର ଫାଣ୍ଡିର ଜଣେ କନେଷ୍ଟବଳ କଳାକାରଙ୍କ ଘରେ ପହଞ୍ଚି କଳାକାର ଓ ତାଙ୍କ ନାବାଳିକା ଝିଅକୁ ଥାନାକୁ ଆସିବା ପାଇଁ କହିଥିଲ। କିନ୍ତୁ ଘରେ ବାପା ଓ ଝିଅ ନ ଥିବାର କଥା ପତ୍ନୀ ସ୍ଵର୍ଣ୍ଣଲତା କହିବାରୁ ସଂପୃକ୍ତ କନେଷ୍ଟବଳ ଅକଥନୀୟ ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଗାଳିଗୁଲଜ କରିବା ସହ ଜେଲରେ ପୁରାଇ ଦେବାକୁ ଧମକ ଦେଇଥିଲେ।
ଏହି ସବୁ ଘଟଣାକୁ ନେଇ କଳାକାର ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପତ୍ନୀ ସ୍ବର୍ଣ୍ଣଲତା ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସଂପୃକ୍ତ ଯୁବକ ଫାଣ୍ଡିରେ ହାଜର ହୋଇଥିବା ବେଳେ ସେ ସଂପୃକ୍ତ ନାବାଳିକାକୁ ନେଇ ନାହାନ୍ତି କହିଥିଲେ। ଏହାର ପର ଦିନ ଅର୍ଥାତ୍ ଗତକାଲି ୨୫ ତାରିଖ ନାବାଳିକା ଝିଅ ନିଜେ ଆସି ଫାଣ୍ଡିରେ ହାଜର ହୋଇ କହିଲେ ଘରେ ବାଡ଼େଇବାରୁ ସେ ଘର ଛାଡ଼ି ପଳାଇ ଯାଇଥିଲେ। ଏ ବାବଦରେ ଆମେ ସଂପୃକ୍ତ ଭଦ୍ରେଶ୍ଵର ଫାଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନାହାନ୍ତି। ଅପରପକ୍ଷେ ମାହାଙ୍ଗା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି ଘଟଣାକୁ ଅସ୍ଵୀକାର କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons