ଦଶମନ୍ତପୁର,(ବି.ବି.ନୁ୍ୟଜ୍): ନଦୀରେ ପୋଲ ନାହିଁ । ଫଳରେ ୭ ଦଶନ୍ଧି ହେଲା ଦୁର୍ଦ୍ଧଶା ଭୋଗୁଛନ୍ତି ୪ ଖଣ୍ଡ ଗାଁ ଲୋକ । ସରକାର ଶୁଣୁ ନାହାନ୍ତି । ଶେଷରେ ବାଉଁଶ ତାଟିରେ ଅସ୍ଥାୟୀ ପୋଲକରି ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତରେ ୨ ଟି ଗାଁ ରହିଥିବା ବେଳେ ଅନ୍ୟ ଦୁଇଟି ଡୁମ୍ବାଗୁଡା ପଞ୍ଚାୟତରେ ରହିଛି । ଏଗୁଡିକ ହେଲା ଫୁଣ୍ଡାଗୁଡା, ଡେଙ୍ଗାଗୁଡା, ଭଣ୍ଡିସିନ୍ ଏବଂ କାଳିଆମ୍ବ ।
ସୂଚନା ଅନୁସାରେ, ଏହି ୪ ଖଣ୍ଡ ଗାଁକୁ ପକ୍କାରାସ୍ତାଟିଏ ନାହିଁ । ଗାଁ ବାହାରକୁ ଆସିବାକୁ ସ୍ଥାନୀୟ ପୋଡ ନଦୀ ପାର୍ ହେବାକୁ ପଡେ । ଗାଁଗୁଡିକୁ ଆଜି ପର୍ଯ୍ୟନ୍ତ ବିକାଶ ଛୁଇଁ ପାରି ନଥିବା ବେଳେ ନଦୀରେ ସ୍ଥାୟୀ ପୋଲଟିଏ ନାହିଁ ।
ଅଞ୍ଚଳର ଲାଲମଣି ମାଣ୍ଡିଙ୍ଗ, ଈଶ୍ୱର ମାଣ୍ଡିଙ୍ଗ, ବିଷା ମାଣ୍ଡିଙ୍ଗ, ନରେନ୍ଦ୍ର ବିଶୋୟୀ, ମୁଦା ଜାନି, ଲବ ମାଣ୍ଡିଙ୍ଗ ପ୍ରମୁଖ କହିଛନ୍ତି, ଫୁଣ୍ଡାଗୁଡା ଗାଁ ନିକଟରେ ପୋଡ ନଦୀ ରହିଛି । ଦୀର୍ଘ ବର୍ଷରୁ ଏଠାରେ ସ୍ଥାୟୀ ପୋଲ ପାଇଁ ଦାବି କରି ଆସୁଛୁ । ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ନେଇ ଅବଗତ କରାଯାଇଛି । ତେବେ କେହି ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ପ୍ରତିବର୍ଷ ବର୍ଷାଦିନେ ଗାଁଗୁଡିକ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହୁଛି । ଅନ୍ୟଦିନେ ଲୋକେ ନିଜେ ବାଉଁଶ ତାଟିରେ ପୋଲ କରି ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ପଲ୍ଲୀସଭା ଓ ଗ୍ରାମସଭାରେ ପୋଲ ସ୍ଥାପନ ନେଇ ପ୍ରସ୍ତାବ ପାରିତ୍ ହେଉଛି । ତେବେ ସଭା ପରେ ସମସ୍ତେ ଏହାକୁ ଭୁଲି ଯାଉଛନ୍ତି । ସ୍ଥାନୀୟ ରାଜନେତା ମଧ୍ୟ ଲୋକଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଲୋକେ ନାନା ଅସୁବିଧାରେ ଯିବା ଆସିବା କରୁଛନ୍ତି । ଗାଁକୁ ରାସ୍ତା ନଥିବା ଦର୍ଶାଇ ସରକାରୀ ବାବୁ ମଧ୍ୟ ଗାଁକୁ ଗସ୍ତ କରୁନାହାନ୍ତି । ସମସ୍ୟା ଯୋଗୁ କେବଳ ଗମନାଗମନ ନୁହେଁ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ମଧ୍ୟ ବାଧା ଉପୁଜୁଛି । ବର୍ଷାଦିନେ ସମସ୍ୟା ଗମ୍ଭୀର ହୋଇଯାଉଛି । ନଦୀରେ ପ୍ରଖର ସ୍ରୋତ ରହୁଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି । ହାଟ ବଜାର, ବ୍ଲକ ଅବା ପଞ୍ଚାୟତ କାର୍ଯ୍ୟାଳୟକୁ କେହି ଯାଇପାରନ୍ତିନି । କେତେବେଳେ କେମିତି କେହି ସାହସ ଜୁଟାଇ ନଦୀ ପାର୍ ହୋଇ ଯାଇଥାନ୍ତି । ବୃଦ୍ଧବୃଦ୍ଧା ଓ ଛୋଟପିଲା ବର୍ଷା ୪ ମାସ ଗାଁରେ ହିଁ ରହିଥାନ୍ତି । ବିଗତ ବର୍ଷଗୁଡିକରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଅନେକ ମୃତାହତ ହୋଇଛନ୍ତି । ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ବହୁ ସଂଖ୍ୟାରେ ଭାସିଯାନ୍ତି । ପିଲାଙ୍କ ପାଠପଢା ବନ୍ଦ ହୋଇଯାଏ । ଶିକ୍ଷକମାନେ କେବଳ ଚାକିରି ଭୟରେ ନଦୀପାର୍ ହୋଇ ଆସନ୍ତି । ଉଚ୍ଚ ଶ୍ରେଣୀର ପିଲାମାନେ ବେଳେବେଳେ ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଯାଇଥାନ୍ତି । ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି । ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଗାଁଗୁଡିକଠାରୁ ୪ ରୁ ୫ କିମି ଭାରରେ ବୋହିବା ପରେ ଆମ୍ବୁଲାନ୍ସ ଅବା ଅନ୍ୟ ଗାଡିରେ ଡାକ୍ତରଖାନା ନିଆଯାଏ । ଗାଁଗୁଡିକଠାରୁ ପ୍ରାୟ ୧୨ ରୁ ୧୪ କିମି ଦୂରରେ ବ୍ଲକ କାର୍ଯ୍ୟାଳୟ ଓ ୫ ରୁ ୭ କିମି ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ରହିଛି । ଟଙ୍କିକିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ଆଣିବା ହେଉ ଅବା ଅନ୍ୟ କୌଣସି କାମରେ ଲୋକେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ବଡ ହଇରାଣ ହେଉଛୁ ।
ନଦୀରେ ପୋଲ କରିବାକୁ ପ୍ରଶାସନକୁ ବାରମ୍ବାର ଜଣାଇ ନିରାଶ ହୋଇଥିବା ବେଳେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ୪ ଗାଁର ଲୋକେ ଦାବି କରିଛନ୍ତି । ନଚେତ୍ ଆନେ୍ଦାଳନ କରାଯିବ ବୋଲି କହିଛନ୍ତି । ଏ ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।
Comments are closed, but trackbacks and pingbacks are open.