ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଡମ୍ପର

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲାଲଟ୍ରେଡର୍ସ ଖଣି କମ୍ପାନିର ଏକ ଡମ୍ପର ବାଇକ୍କୁ ଧକ୍କା ଦେବା ଫଳରେ ବାଇକ୍ରେ ଥିବା ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଚେଲଗା ବାରଦାଙ୍କ ଝିଅ ଆରତୀ(୬) । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଡମ୍ପର ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିବା ସହ ଛାତ୍ର୍ରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ କମ୍ପାନି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଡ୍ରାଇଭରକୁ ରକ୍ଷା କରିବାକୁ ଯାଇ ୩ ଜଣ ପୁଲିସ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଆହତ ହୋଇଛନ୍ତି ।

ସବିଶେଷ ସୂଚନା ଅନୁସାରେ, ମଝିଗାଁର ଭୀମ ମହାନ୍ତ ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଏକ ବାଇକ୍(ଓଡି-୧୧ଇ-୪୪୮୪)ରେ ବାଦାମପାହାଡ଼ ଶିଶୁ ବିଦ୍ୟାମନ୍ଦିରରୁ ଆରତୀଙ୍କ ସମେତ ଅନ୍ୟ ଦୁଇଜଣ ଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିଲେ । ତେବେ ଝଲଡୁଙ୍ଗୁରୀ-ସୁଲେଇପାଟ ରାସ୍ତାର ବାଦାମପାହାଡ଼ ଖଣି କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ନିକଟରେ ଏକ ଡମ୍ପର(ଓଆର-୦୯ଇ-୪୯୮୮) ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା । ଏଥିରେ ବାଇକ୍ ୪ ଆରୋହୀ କିଛି ବାଟଯାଏ ଘୋଷାଡ଼ି ହୋଇଯାଇଥିଲେ । ଆରତୀଙ୍କ ମୁଣ୍ଡ ଉପରେ ଡମ୍ପର ଚକା ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁକନ୍ୟାଟିର ଶୋଚନୀୟ ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଡମ୍ପର ଡ୍ରାଇଭରକୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହି ସମୟରେ ଡ୍ରାଇଭରକୁ ରକ୍ଷା କରିବାକୁ ଯାଇ ପୁଲିସ ଏଏସ୍ଆଇ କାର୍ତ୍ତିକ ସିଂ, କନଷ୍ଟେବଲ୍ ଧନେଶ୍ୱର ତିରିଆ ଓ ଗୁବାଇ ନାଏକ ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ପରେ ଉତ୍ୟକ୍ତ ଲୋକେ ଲାଲଟ୍ରେଡର୍ସ କମ୍ପାନି କାର୍ଯ୍ୟାଳୟରେ ପଶି କମ୍ପ୍ୟୁଟର, ଚେୟାର, ଟେବୁଲ୍ ସହ ବହୁ ଆସବାବପତ୍ର ଭାଙ୍ଗାରୁଜା କରିଥିଲେ । ସେମାନେ ମୃତକଙ୍କ ପରିବାରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ ।

ଅପରାହ୍ଣ ପ୍ରାୟ ୪ଟା ସମୟରେ ରାଇରଙ୍ଗପୁର ଏସ୍ଡିପିଓ ଅମୂଲ୍ୟ କୁମାର ଧରଙ୍କ ସମେତ ବହଳଦା ଥାନାଧିକାରୀ ବ୍ରଜରାଜ ସେନାପତି, ରାଇରଙ୍ଗପୁର ଥାନାଧିକାରୀ ରଞ୍ଜନ କୁମାର ସେଠୀ, କୁସୁମୀ ତହସିଲଦାର ବିଶ୍ୱରଞ୍ଜନ କଅଁର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କମ୍ପାନି ପକ୍ଷରୁ ମୃତ ଛାତ୍ରୀଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟପଟେ ଦୀର୍ଘ ୪ ଘଣ୍ଟା ପରେ କମ୍ପାନି ଆମ୍ବୁଲାନ୍ସରେ ଗୁରୁତର ଡ୍ରାଇଭରଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି । ଡ୍ରାଇଭର, ପୁଲିସକୁ ଆକ୍ରମଣ ଓ କମ୍ପାନି କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣା ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons