ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି:ପୋଲାଭରମ ପ୍ରକଳ୍ପ କାମ ତକ୍ରାଳ ବନ୍ଦ ହେଉ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଅଣଦେଖା କରି ପୋଲାଭରମ ପ୍ରକଳ୍ପ ନିର୍ମାଣ କାମ ପୁଣି ଆରମ୍ଭ ହୋଇଛି । ପ୍ରକଳ୍ପ ଉପରେ ଥିବା ବନ୍ଦ ନିର୍ଦ୍ଦେଶନାମାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପ୍ରତ୍ୟାହାର କରି ନେଇଛି । କୋର୍ଟରେ ମାମଲା ଥିବା ସତ୍ତେ୍ୱ ପ୍ରକଳ୍ପ କାମକୁ ପୁଣି ଅନୁମତି ମିଳିଛି । ଏହାଦ୍ୱାରା ଆଦିମ ଆଦିବାସୀମାନେ କ୍ଷତିଗ୍ରସ୍ତ ହେବେ । ଓଡ଼ିଶାର ଅକଳନୀୟ କ୍ଷତି ହେବ । ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ । ପ୍ରକଳ୍ପ ନିର୍ମାଣ ଉପରେ ତକ୍ରାଳ ରୋକ୍ ଲଗାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖି ଏଭଳି ଉଦ୍ବେଗଭରା ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ପୋଲାଭରମ୍ ପ୍ରକଳ୍ପ କାମ ପୁଣି ଥରେ ଦ୍ରୁତ ଗତିରେ ଆଗଉଛି । ପୂର୍ବରୁ ୨୦୧୫ ସେପ୍ଟେମ୍ବର ୧୬, ୨୦୧୭ ନଭେମ୍ବର ୨୮, ୨୦୧୮ ଜୁଲାଇ ୧୨ ଓ ୨୦୧୮ ନଭେମ୍ବର ୨୧ ତାରିଖରେ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ମନେ ପକାଇ ଦେଇଛନ୍ତି । ୨୦୧୮ ଜୁନ୍ ମାସରେ ତକ୍ରାଳୀନ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଚିଠି ଲେଖି ପ୍ରକଳ୍ପ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ମାତ୍ର ଓଡ଼ିଶାର ସ୍ୱାର୍ଥକୁ ବିଚାର ନ କରି ପ୍ରକଳ୍ପ ଉପରେ ଲାଗିଥିବା ବନ୍ଦ ନିର୍ଦ୍ଦେଶକୁ ମନ୍ତ୍ରାଳୟ ବିଭିନ୍ନ ସମୟରେ ହଟାଇ ନେଉଛି । ୨୦୦୫ଅକ୍ଟୋବର ୨୫ ତାରିଖରେ ଏହି ପ୍ରକଳ୍ପକୁ ଜନଶୁଣାଣି ବିନା ପରିବେଶ ମଞ୍ଜୁରୀ ମିଳିଥିଲା । ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ମାଲକାନଗିରି ଜିଲ୍ଲାରେ ଜନଶୁଣାଣି କରାଯାଇନଥିଲା ବୋଲି ନବୀନ ଉଲ୍ଲେଖ କରିଛନ୍ତି ।
ପ୍ରକଳ୍ପ ଡିଜାଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୧ ଫେବ୍ରୁଆରୀ ୮ ତାରିଖରେ ପ୍ରକଳ୍ପ କାମ ଉପରେ ରୋକ୍ ଲଗାଇଥିଲେ । ପ୍ରକଳ୍ପ ଉପରେ ପୁନଃବିଚାର ନ ହେବା ଯାଏ ପ୍ରକଳ୍ପ ନିର୍ମାଣ ବନ୍ଦ ରଖିବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ତକ୍ରାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୩ ଫେବ୍ରୁଆରୀ ୨୭ ତାରିଖରେ ପ୍ରକଳ୍ପ ନିର୍ମାଣ ଉପରେ ଲାଗିଥିବା ରୋକ୍ ନିର୍ଦ୍ଦେଶକୁ ହଟାଇ ନେଇଥିଲେ । ପରେ ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ଅନୁମତି ଅବଧିକୁ କେନ୍ଦ୍ର ସରକାର ବଢ଼ାଇ ଚାଲିଛନ୍ତି । ଏବେ ପୁଣି ସମାନ ଢଙ୍ଗରେ ଦୁଇ ବର୍ଷ ପାଇଁ ବନ୍ଦ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆଯାଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରେ ଜନଶୁଣାଣି କରି ପ୍ରକଳ୍ପର ଡିଜାଇନକୁ ବଦଳାଇବା ଓ ପ୍ରକଳ୍ପର ରିଜର୍ଭରକୁ ମନ୍ତ୍ରାଳୟର ଅନୁମତି ବିନା ବନ୍ଦ ନ କରିବାକୁ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ସର୍ତ୍ତ ରଖିଛି । ତେବେ ଥରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଆଉ ଏହାର ଡିଜାଇନ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଏପରିକି କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରେ ଏଯାବତ୍ ଜନଶୁଣାଣି ହୋଇନି ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।
ଗଭୀର ଉଦ୍ବେଗ ଜଣାଇ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଯଦି ପୋଲାଭମର ପ୍ରକଳ୍ପ ତକ୍ରାଳ ବନ୍ଦ ନ ହୁଏ ତା’ ହେଲେ ମାଲକାନଗିରି ଜିଲ୍ଲାରେ ରହୁଥିବା ପ୍ରାଚୀନ ତଥା ଆଦିମ ଆଦିବାସୀମାନେ ପ୍ରଭାବିତ ହେବେ । ଅନେକ ଆଦିବାସୀ ଗାଁ ଜଳମଗ୍ନ ହୋଇଯିବ । ବହୁ ଉର୍ବର ଚାଷ ଜମି ଓ ଜଙ୍ଗଲ ଜମି ଡୁବିଯିବ । ଖାଲି ଓଡ଼ିଶା ନୁହେଁ, ତେଲେଙ୍ଗାନା ଓ ଛତିଶଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ହେବ । ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲା ଚାଲୁଥିବାବେଳେ ପ୍ରକଳ୍ପ ନିର୍ମାଣ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦି କୋର୍ଟରେ ମାମଲା ସମାଧାନ ନ ହେବା ପୂର୍ବରୁ ପ୍ରକଳ୍ପ ନିର୍ମାଣକୁ ଅନୁମତି ମିଳେ ଏହା ରାଜ୍ୟର ବୃହତ୍ତର ସ୍ୱାର୍ଥରେ ସ୍ଥାୟୀ କ୍ଷତ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons