ଜୟପୁର: ୨ ଦିନ ଅଖିଆ ଅପିଆ ଅବସ୍ଥାରେ ଥିବା ଜଣେ ପ୍ରବାସୀଙ୍କୁ ଉଦ୍ଧାର କରିଛି ଟାଉନ ପୁଲିସ । ଯୁବକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ତେଲିଯୋର ଅଞ୍ଚଳର ରୋହିତ ବଚ୍ଛ(୨୩) । ୨ ଜଣ ସ୍ୱେଚ୍ଛାସେବୀ ଏବଂ ପୁଲିସ ରୋହିତଙ୍କୁ ଖାଦ୍ୟପେୟ ଦେଇ ସୁନ୍ଦରଗଡ଼ ପଠାଇବା ବ୍ୟବସ୍ଥା କରିଛନ୍ତି । ପୁଲିସ ଏବଂ ସ୍ୱେଚ୍ଛାସେବୀଙ୍କ ଏଭଳି ମହତକାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରୋହିତଙ୍କ ସୂଚନା ଅନୁଯାୟୀ, ତାଙ୍କ ଘର ସୁନ୍ଦରଗଡ଼ରେ । ପେସାରେ ଜଣେ ମଞ୍ଚ କଳାକାର । କରୋନା କଟକଣା ଥିବାରୁ ମଞ୍ଚ ବନ୍ଦ ରହିଛି । ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରିଥିଲେ । ଜଣେ ଦଲାଲ ତାଙ୍କୁ ହାଇଦ୍ରାବାଦ୍ରେ ଅଧିକ ଟଙ୍କାରେ ଚାକିରି ମିଳବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଖାଇବା, ରହିବା ସହ ମାସିକ ଦରମା ଦିଆଯିବ ବୋଲି କହିବା ପରେ ସେ ହାଇଦ୍ରାବାଦ ଯାଇଥିଲେ । ସେଠାରେ ୨ ମାସ କାମ କରିବା ପରେ ପ୍ରତିଶ୍ରୁତି ମୁତାବକ ଦରମା ମିଳିଲାନି । ଦୈନିକ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ୁଥିଲା । ସେ ଏହାକୁ ବିରୋଧ କରିବାରୁ ହାଇଦ୍ରାବାଦ୍ ଛାଡ଼ି ଚାଲିଯିବାକୁ ଠିକାସଂସ୍ଥା ସୁପରଭାଇଜର ଧମକ ଦେଇଥିଲେ । ପାଖରେ ଥିବା ୧୨ ହଜାର ଟଙ୍କା ଧରି ଗୁରୁବାର ରାତିରେ ସେ ହାଇଦ୍ରାବାଦ ଛାଡ଼ିଥିଲେ । ଏକ ଘରୋଇ ବସ୍ରେ ଆସି ଛତିଶଗଡ଼ ସୁକମାରେ ପହଞ୍ଚିଥିଲେ । ଗାଡ଼ି ଭଡ଼ା ବାବଦରେ ୨ ହଜାର ଟଙ୍କା ଦେବାକୁ ପଡ଼ିଥିଲା । ସେଠାରୁ ଏକ ଭ୍ୟାନ୍ ମାଲକାନଗିରି ବାହାରିଥିଲେ । ଭ୍ୟାନ୍ ଡ୍ରାଇଭର କିଛି ଟଙ୍କା ନେଇ ମାଲକାନଗିରି ସହରରେ ଛାଡ଼ି ଦେଇଥିଲେ । ଅଚିହ୍ନା ଯାଗାରେ ବସ୍ଷ୍ଟାଣ୍ଡ ଯିବାକୁ ପଚରାଉଚରା କରୁଥିବା ବେଳେ ଜଣେ ଅଟୋ ଡ୍ରାଇଭର ପହଞ୍ଚାଇ ଦେବାକୁ କହି ଗାଡ଼ିରେ ବସାଇଥିଲେ । ଡ୍ରାଇଭର ବସ୍ଷ୍ଟାଣ୍ଡ ବଦଳରେ ଏକ ଜଙ୍ଗଲିଆ ସ୍ଥାନକୁ ନେଇ ମାରପିଟ୍ କରି ପାଖରେ ଥିବା ପ୍ରାୟ ୧୦ ହଜାର ଟଙ୍କା ଏବଂ ମୋବାଇଲ୍ ଲୁଟି ନେଇଥିଲା । ତାଙ୍କ ଅଣ୍ଟା ଏବଂ ଗୋଡ଼ରେ ମାଡ଼ ବାଜିଥିବାରୁ ଫୁଲିଯାଇଥିଲା । କୌଣସି ମତେ ବସଷ୍ଟାଣ୍ଡରେ ପହଞ୍ଚି ଜଣେ ସାଙ୍ଗକୁ ଯୋଗାଯୋଗ କରିଥିଲେ ରୋହିତ । ଜଣେ ଦୋକାନୀଙ୍କ ଗୁଗ୍ଲ ପେ’କୁ ୫୦୦ ଟଙ୍କା ମଗାଇଥିଲେ । ଅଖିଆ ଅପିଆ ଗୋଟିଏ ପରେ ଗୋଟିଏ ଅଟୋ ବଦଳାଇ ଆଜି ମଧ୍ୟାହ୍ନରେ ଜୟପୁର ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଥିଲେ ।
ପାଖରେ ମାତ୍ର କିଛି ଟଙ୍କା ଥିବାରୁ କିଭଳି ସୁନ୍ଦରଗଡ଼ ଯିବେ, ସେ ଚିନ୍ତାରେ ଟାଉନ୍ ଥାନା ପାଖରେ ବସି କାନ୍ଦୁଥିଲେ । ଥାନାକୁ ଯାଇ ନିଜ ସମସ୍ୟା ସମ୍ପର୍କରେ ଜଣାଇବା ପରେ ଏସ୍ଆଇ ରିଗାନ୍ କିଣ୍ଡୋ ସହଯୋଗର ହାତ ବଢାଇଥିଲେ । ଖବର ପାଇ ସ୍ୱେଛାସେବୀ କାର୍ତ୍ତିକ ରାଉତ ଏବଂ ବାପି ପରିଡ଼ା ଥାନାରେ ପହଞ୍ଚିଥିଲେ । ଏସ୍ଆଇ ଶ୍ରୀ କିଣ୍ଡୋ ରୋହିତଙ୍କୁ ଅଭ୍ୟର୍ଥନା କକ୍ଷରେ ବିଶ୍ରାମ କରିବାକୁ ପରାମର୍ଶ ଦେଇ ଟ୍ରେନ୍ରେ ସୁନ୍ଦରଗଡ଼ ଯିବା ଲାଗି ସଂରକ୍ଷିତ ଟିକେଟ୍ ବ୍ୟବସ୍ଥା କରିଥିଲେ । ସୁନ୍ଦରଗଡ଼ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କର କୌଣସି ସମସ୍ୟା ହେବନି ବୋଲି ଆଶ୍ୱାସନା ଦେଇଥିଲେ । ଏ ସମ୍ପର୍କରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଥିଲେ । କାର୍ତ୍ତିକ ଏବଂ ବାପି ରୋହିତଙ୍କ ଲାଗି ଖରାବେଳ ଏବଂ ରାତି୍ର ଖାଦ୍ୟ ସହ ପିଇବାପାଣିର ବ୍ୟବସ୍ଥା କରିଥିଲେ । ଅଧିକ ଟଙ୍କା ଆଶାରେ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ହଇରାଣ ହେବା ଅପେକ୍ଷା ଗାଁରେ କିଛି କାମ କରିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.