ଭୁବନେଶ୍ୱର,(ବି.ବି.ବୁରୋ): ରାଜ୍ୟକୁ ଫେରିବା ପାଇଁ ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍ ଭଡ଼ା ପ୍ରଥମେ ଓଡ଼ିଶା ସରକାର ବହନ କରିବେ । ତେବେ ଏହି ଖର୍ଚ୍ଚକୁ ପରେ କ୍ୱାରେଣ୍ଟାଇନ୍ ରହଣୀ କାଳ ଭତ୍ତା ବାବଦ ସେମାନେ ପାଇବାକୁ ଥିବା ଅର୍ଥରୁ ରାଜ୍ୟ ସରକାର କାଟି ନେବେ । କରୋନା ପାଇଁ ଲକ୍ଡାଉନ୍ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ଓ ସେମାନଙ୍କୁ ରାଜ୍ୟ ସରକାର ଏହି ବାବଦରେ ୨ ହଜାର ଟଙ୍କା ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତେବେ ଏହି ଅର୍ଥରୁ ସେମାନଙ୍କ ଓଡ଼ିଶା ଫେରିବା ବାବଦ ଟ୍ରେନ୍ ଭଡ଼ାକୁ କାଟି ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସିବେ ଯଦି ସେଠାକାର ସରକାର ଏହି ଭଡ଼ା ବହନ ନକରନ୍ତି, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ କରିବେ । ତେବେ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟ ସରକାର ଦେବାକୁ ଥିବା କ୍ୱାରେଣ୍ଟାଇନ ରହଣୀ ବାବଦ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶିରୁ ପରେ ଏହି ଖର୍ଚ୍ଚ ରାଶି କାଟି ଦିଆଯିବ । ଅନ୍ୟ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚ ବହନ କରୁନଥିବାରୁ ଓଡ଼ିଶା ସରକାର ଏହି ଖର୍ଚ୍ଚ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି । ଉଲ୍ଲେଖେଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ଫେରିବା ଭଡ଼ା କେନ୍ଦ୍ରର ସରକାର ୮୫ ପ୍ରତିଶତ ବହନ କରୁଛନ୍ତି ବୋଲି ଦାବି କରୁଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରବାସୀ ଶ୍ରମିକଙ୍କ ଭଡ଼ା ଖର୍ଚ୍ଚ ତୁଲାଇବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଓଡ଼ିଶା ସରକାର ରାଜ୍ୟ କଂଗ୍ରେସର ପ୍ରସ୍ତାବକୁ ଅଣଦେଖା କରି ଏବେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ସେମାନଙ୍କର କବାରେଣ୍ଟାଇନ୍ ରାଶିରୁ କାଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
Comments are closed, but trackbacks and pingbacks are open.