
ମାଲକାନଗିରି,(ବି.ବି.ନୁ୍ୟଜ): କରୋନା ସଂକ୍ରମଣ ମହାମାରୀ ରୂପ ନେଇଛି । ଏଥିରେ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି । ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଘରକୁ ଫେରିବା ପାଇଁ ଡହଳବିକଳ ହେହଉଛନ୍ତି । ଦୁଃଖ, ଅସହାୟ ଭାବେ ଜୀବନ ବିତାଉଥିବା ପ୍ରବାସୀ ଯେନତେନ ପ୍ରକାରେ ଘରକୁ ବାହୁଡ଼ି ଆସୁଛନ୍ତି । ଘରକୁ ଫେରିବା ବେଳେ ବସ୍ରେ ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅର ମୃତୁ୍ୟ ହୋଇଛି । ଏହି ଶ୍ରମିକ ଜଣଙ୍କ କଳାହାଣ୍ଡି ଜିଲ୍ଲା ଚିନ୍ନାପାଲି ଗ୍ରାମର ଧାରୁବା । ସେ ବସ୍ରେ ହାଇଦ୍ରାବାଦରୁ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । କରୋନାର ଏମିତି ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ସୀମାନ୍ତ ମୋଟୁ ଚେକ୍ପୋଷ୍ଟ୍ ନିକଟରେ ।
ଲକ୍ଡାଉନ୍ ବେଳେ ଦୋକାନବଜାର ଓ କମ୍ପାନି ବନ୍ଦ ହୋଇ ଯିବା ପରେ କାମ ନପାଇ ପରିବାର ସହ ହାଇଦ୍ରାବାଦରୁ ବସ୍ରେ ଫେରୁଥିଲେ ଧାରୁବା । ମଙ୍ଗଳବାର ମୋଟୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ଚିନ୍ତୁର ଥାନା ଅଞ୍ଚଳରେ ବସ୍ ଭିତରେ ହଠାତ୍ ତାଙ୍କର ୧୦ବର୍ଷର ଝିଅ ନେହାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା ।ା ବସ୍ ଅଟକିବା ପରେ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ନେହାଙ୍କ ମୃତୁ୍ୟ ଘଟିଥିଲା । ଧାରୁବା, ମୃତ ଝିଅ ଓ ତାଙ୍କ ପରିବାରକୁ ବସ୍ରୁ ଓହ୍ଲାଇ ଦିଆଗଲା । ଶବ କେମିତି ନେବେ ଓ ସେମାନେ ନିଜଗାଁକୁ କିପରି ଫେରିବେ ସେହି ଚିନ୍ତା କରୁଥିବା ବେଳେ ଚିନ୍ତୁର ପୁଲିସ ଏ ସମ୍ପର୍କରେ ସୀମାନ୍ତ ମୋଟୁ ଥାନାକୁ ଜଣାଇଥିଲେ । ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବିଜୟ ଜାଣିବା ପରେ ସେହି ଅସହାୟ ପରିବାରଙ୍କ ନିକଟରେ ତୁରନ୍ତ ପହଞ୍ଚି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ରଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ସଙ୍ଗେସଙ୍ଗେ ମୋଟୁ ତହସିଲଦାର ଶ୍ରୀ ମିଶ୍ର, ମୋଟୁ ହସ୍ପିଟାଲ ଡାକ୍ତର ଶରତ ଚନ୍ଦ୍ର ବେହେରା, ମୋଟୁ ଆଇଆଇସି ସୋମନାଥ ବେହେରା, ଏସ୍ଆଇ ସୁଶାନ୍ତ କୁମାର ସାହୁ ଆନ୍ଧ୍ରପ୍ରଦେଶ ଚିନ୍ତୁର ଥାନାଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତ ନେହା ଓ ତାଙ୍କପରିବାରଙ୍କୁ ମୋଟୁ ଚେକ ପୋଷ୍ଟ ନିକଟକୁ ଆଣିଥିଲେ । ପରିବାର ଲୋକଙ୍କ ସମ୍ମତିକ୍ରମେ ମୋଟୁ ଜଙ୍ଗଲରେ ନେହାଙ୍କ ଶବ ସକ୍ରାର କରାଯାଇଥିଲା । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡିରେ ମୃତ ନେହାଙ୍କ ପରିବାର ଓ କଳାହାଣ୍ଡିର ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇଦିଆଯାଇଛି ।
ଏହି ଚେକ୍ପୋଷ୍ଟ ଦେଇ ପ୍ରତିଦିନ ଶହ ଶହ ପ୍ରବାାସୀ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ, କର୍ନାଟକ ଆଦି ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । ବିଶେଷ କରି ଏହି ରାସ୍ତା ଦେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାସହିତ ଅନ୍ୟାନ ପଡୋଶୀ ରାଜ୍ୟର ପ୍ରବାସୀ ଶ୍ରମିକ ଫେରିଥାନ୍ତି । ୪ ତାରିଖ ସୁଦ୍ଧା ମୋଟୁ ଚେକ୍ପୋଷ୍ଟ୍ ଦେଇ ୧୨୯୭୮ ଜଣ ପ୍ରବାସୀ ଅତିକ୍ରମ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୪୭୮ଜଣ ମାଲାକନଗିରି ଜିଲ୍ଲାର ଏବଂ ୫୬୫୭ଜଣ ଅନ୍ୟ ଜିଲ୍ଲାର । ୮୪୩ ଜଣ ଅନ୍ୟ ରାଜ୍ୟର ପ୍ରବାସୀ ।


Comments are closed, but trackbacks and pingbacks are open.