
ଜୟପୁର,(ବି.ବି.ନୁ୍ୟଜ): ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ସମସ୍ତେ ସାହାଯ୍ୟ କରିବା ଦରକାର । ଏଥିଲାଗି କାହାରିକୁ ପୁଲିସ ହଇରାଣ କରିବନି । ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍ ସମୟରେ ସହଯୋଗର ହାତ ବଢାଇଲେ ଗୋଟିଏ ଜୀବନ ରକ୍ଷା ପାଇଯିବ । ଆଇନ ଜାଲରେ ଛନ୍ଦିହେବା ଭୟ ମନରୁ ଦୂରେଇ ଦେଇ ସମସ୍ତେ ଆଗେଇ ଆସିବା ଦରକାର । ପ୍ରଶାସନ ପକ୍ଷରୁ ଆୟୋଜିତ ଅଂଶୁଘାତ ଏବଂ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମରେ ଅଧିକାରୀମାନେ ଏଭଳି ପରାମର୍ଶ ଦେଇଛନ୍ତି । ସ୍ୱେଚ୍ଛାସେବୀମାନେ ବାଇକ୍ ରାଲି ଏବଂ ଡେମୋ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି ।
ଆଜି ସକାଳ ୮ଟାରେ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ବାଇକ୍ ରାଲି । ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟ ଏବଂ ଏସଡିପିଓ ଅରୂପ ଅଭିଷେକ ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରୁ ବାହାରିଥିଲା ରାଲି । ୫୦ରୁ ଅଧିକ ବାଇକ୍ରେ ଯୁବକ ଯୁବତୀ ଏବଂ ଅଧିକାରୀମାନେ ସାମିଲ ହୋଇଥିଲେ । ପ୍ଲାକାର୍ଡ ଧରି ସଡ଼କ ସୁରକ୍ଷା ସମ୍ପର୍କରେ ସ୍ଲୋଗାନ୍ ଦେଇଥିଲେ । ମୁଖ୍ୟ ଟ୍ରାଫିକ ଛକ, ଏମଜିରୋଡ୍ ଛକ, ବେଲରୋଡ୍, ଇନ୍ଦିରାଛକ, ତାରିଣୀଛକ ଦେଇ ପଞ୍ଚାନନ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲା ରାଲି । ସେଠାରୁ ଜଗନ୍ନାଥ ମନ୍ଦିର, ରଜାନଅର ଛକ ଦେଇ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଶେଷ ହୋଇଥିଲା । ଏହାପରେ ସଡକ ସୁରକ୍ଷା ଉପରେ ପରିବହନ ବିଭାଗ ଅଧିକାରୀମାନେ ସୂଚନା ଦେଇଥିଲେ । ଦୁର୍ଘଟଣାଗ୍ରସ୍ତଙ୍କୁ ଯଦି କୌଣସି ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି କରାନ୍ତି, ତେବେ ନିଜ ଠିକଣା ଦେବାକୁ ତାଙ୍କୁ ବାଧ୍ୟ କରାଯିବ ନାହିଁ ଏବଂ ସେ ଚାହିଁଲେ ତତ୍କ୍ଷଣାତ୍ ଡାକ୍ତରଖାନାରୁ ଚାଲିଯାଇପାରିବେ । ସେ ଯଦି ପୀଡ଼ିତଙ୍କ ସମ୍ପର୍କୀୟ ନୁହଁନ୍ତି, ତାଙ୍କୁ ଚିକିତ୍ସା ବାବଦରେ ଅର୍ଥ ଦେବାକୁ ବାଧ୍ୟ କରାଯିବ ନାହିଁ । ପୁଲିସ ତାଙ୍କ ନାଁରେ କୌଣସି ମାମଲା ରୁଜୁ କରିପାରିବ ନାହିଁ । ଯଦି ସେ ମାମଲା ସମ୍ପର୍କରେ ସାକ୍ଷ୍ୟ ଦେବାକୁ ଚାହିଁବେ, ପୁଲିସ ତାଙ୍କର ଥରୁଟିଏ ସାକ୍ଷ୍ୟ ନେଇପାରିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରିବହନ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାର ଦିଆଯିବ । ପୀଡ଼ିତଙ୍କୁ ଡାକ୍ତରଖାନା ନେବାରେ ତାଙ୍କର ହୋଇଥିବା ଖର୍ଚ୍ଚ ମଧ୍ୟ ଭରଣା କରାଯିବ । ତାଙ୍କୁ ଜିଲ୍ଲା ତଥା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ଏହା ରାଜ୍ୟ ସରକାରଙ୍କ ଗୁଡ୍ ସମରିଟାନ୍ ନୀତି । ତେଣୁ ଜନସାଧାରଣ ଦୁର୍ଘଟଣା ଦେଖି ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର ବୋଲି ଅତିରିକ୍ତ ଆରଟିଓ ତପନ କୁମାର ବେଟି କହିଥିଲେ ।
ଆସନ୍ତା ଖରାଦିନେ ଅଂଶୁଘାତରୁ କିଭଳି ରକ୍ଷା ମିଳିବ, ସେ ସମ୍ପର୍କରେ ଜିଲ୍ଲା ଜନସ୍ୱାସ୍ଥ୍ୟ ତଥା ପୌର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ ପାଢି ସୂଚନା ଦେଇଥିଲେ । ଘରୁ ବାହାରିବା ବେଳେ ପାଣିବୋତଲ ସାଙ୍ଗରେ ନେବା, ଅଂଶୁଘାତ ରୋଗୀଙ୍କୁ ନଘେରି ପବନ ଚଳାଚଳ ଲାଗି ବାଟ ଛାଡିବା, ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ଘରୁ ବାହାରିବା ବେଳେ ମୁଣ୍ଡରେ ଗାମୁଛା ପକାଇବା, ଛତା ଧରିବା, ଖରାରେ କାମ ନକରିବା, ଅସୁସ୍ଥ ଲାଗିଲେ ବିଶ୍ରାମ ନେବାକୁ କହିଥିଲେ । ପରେ ମଦ୍ୟପାନ ଯାଞ୍ଚ, ଜରିମାନା ଆଦାୟ, ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର ପରେ ଡାକ୍ତରଖାନାରେ ପହଞ୍ଚାଇବା ସମ୍ପର୍କରେ ଡେମୋ ଦେଖାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ସୟଙ୍କ ସହ ଏସଡିପିଓ ଶ୍ରୀ ବେହେରା, ତହସିଲଦାର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ଅଶ୍ୱିନୀ କୁମାର ମହାପାତ୍ର, ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧିି, ଏମ୍ଭିଆଇ ତୁଷାର ହେମ୍ବ୍ରମ୍, ଟ୍ରାଫିକ ଏସ୍ଆଇ ରାଜଶେଖର ସ୍ୱାଇଁ, ପୁଲିସ, ସ୍ୱାସ୍ଥ୍ୟ, ପୌର କର୍ମଚାରୀଙ୍କ ସହ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Comments are closed, but trackbacks and pingbacks are open.