ଭୁବନେଶ୍ୱର: ସାଧାରଣତ୍ଃ ଅନେକଙ୍କୁ ଅଣ୍ଡା ଖାଇବାକୁ ପସନ୍ଦ ଲାଗିଥାଏ ଆମେ ଅଣ୍ଡାକୁ ମଧ୍ୟ ସବୁ ଦିନ ଖାଇବାରେ ମିଶାଇଥାଉ ଅଣ୍ଡାର ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ଖାଇଥାଉ ଏହା ସମସ୍ତଙ୍କୁ ଭଲ ଲାଗିଥାଏ । ତେବେ ଛୋଟ ପିଲାଙ୍କୁ ଏହା ବହୁତ ପସନ୍ଦ ଆସିଥାଏ । ତେବେ ଆଜି ଅଣ୍ଡାର ଏକ ନୂଆ ଆଇଟମ ବନାଇ ଖାଆନ୍ତୁ ଆସନ୍ତୁ ଜାଣିବା ଅଣ୍ଡାରେ ପ୍ରସ୍ତୁତ ଅଣ୍ଡା ଫେଣୀ ତରକାରୀ..
ଆବଶ୍ୟକୀୟ ସାମଗ୍ରୀ – ଅଣ୍ଡା, ଅଦା ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ପିଆଜ ପେଷ୍ଟ, ତେଜ ପତ୍ର, ଶୁଖିଲା ଲଙ୍କା, ସୋରିଷ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଗୋଟା ଜିରା, ପାଣି, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ଲୁଣ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ ଗୋଟେ ଚାମଚ, ପିଆଜ ଗୋଟେ ଚାମଚ ପକାଇ ସେଥିରେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ । ଏହା ପରେ ସେହି ମସଲା ସହ ଅଣ୍ଡାକୁ ଭଲରେ ଫେଣ୍ଟି ଦିଅନ୍ତୁ ।
ଏହା ପରେ ଗ୍ୟାସ୍ରେ ତାୱା ବସାଇ ଅଣ୍ଡା ଅମ୍ଲେଟ୍ କରନ୍ତୁ । ଏଠାରେ ମନେ ରଖନ୍ତୁ, ଆପଣ ଅମ୍ଲେଟ୍ କଲାବେଳେ କଞ୍ଚା ଥିବା ସମୟରେ ହିଁ ଅମ୍ଲେଟ୍କୁ ଗୋଲ୍କରି ମୋଡ଼ି ଦିଅନ୍ତୁ। ଏହା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କ ଅଣ୍ଡା ଫେଣୀ । ତା ପରେ ଫେଣୀର ଚାରିପାଖକୁ ଭଲରେ ଭାଜି ଦିଅନ୍ତୁ । ଏହିପରି ଆପଣ ଆବଶ୍ୟକ ଅନୁସାରେ ଫେଣୀ ପ୍ରସ୍ତୁତ କରିନିଅନ୍ତୁ ।ଫେଣୀ ପ୍ରସ୍ତୁତ କରି ସାରିଲା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ । ଏହା ପରେ ଗ୍ୟାସ୍ରେ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ । ତା ପରେ ସେଥିରେ ଗୋଟା ଜିରା, ଶୁଖିଲା ଲଙ୍କା ତେଜପତ୍ର ପକାଇ ଅଳ୍ପ ଭାଜି ଦିଅନ୍ତୁ । ତା ପରେ ସେଥିରେ ପିଆଜ ପେଷ୍ଟ ପକାଇ ଅଳ୍ପ ସମୟ କଷନ୍ତୁ । ସେହିପରି ଅଦା ରସୁଣ ପେଷ୍ଟ ପକାଇ ମଧ୍ୟ କଷାଇ ଦିଅନ୍ତୁ । ମସଲା ଭଲରେ କଷେଇ ହୋଇ ଆସିଲେ, ସେଥିରେ ଟମାଟୋ ପେଷ୍ଟ ପକାଇ ଭଲରେ କଷାଇ ନିଅନ୍ତୁ ।
ଏହା ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ । ସେଥିରେ ଅଳ୍ପ ପାଣି ଦେଇ ପୁଣି ଥରେ ମସଲାକୁ କଷାଇ ଦିଅନ୍ତୁ । ମସଲା ଶୁଖିଗଲା ପରେ ସେଥିରେ ଅଳ୍ପ ଝୋଳ ରହିଲା ଭଳି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଝୋଳ ଭଲରେ ଫୁଟି ଆସିଲେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ଫେଣୀକୁ ସେଥିରେ ପକାଇ ଦିଅନ୍ତୁ । ଆଉ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଫୁଟିଗଲା ପରେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ । ଆପଣ ସେଥିରେ ଅଧିକା ଝୋଳ ରଖିବେ ନାହିଁ ବା ପୂରା ଗ୍ରେଭି ଭଳି ମଧ୍ୟ କରିବେ ନାହିଁ । ଏହି ଭଳି କଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଅଣ୍ଡା ଫେଣି ତରକାରୀ । ଏହାକୁ ଆପଣ ରୁଟି କିମ୍ବା ଭାତରେ ଖାଇ ପାରିବେ
Comments are closed, but trackbacks and pingbacks are open.