କାକିରିଗୁମ୍ମା,(ବି.ବି.ନୁ୍ୟଜ୍): ବାଟବଣା ହେଉଛି ପ୍ରାକ୍ ଶିକ୍ଷା । ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ର ଅବା ପ୍ରାଥମିକ ବିଦ୍ୟାଳୟକୁ ଆସିବା ବଦଳରେ ଗାଈଗୋରୁ ଚରାଇବାକୁ ଯାଉଛନ୍ତି । ଅଙ୍ଗନବାଡ଼ି କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରୁନାହାନ୍ତି । ଏଥିସହ ଅଭିଭାବକମାନେ ଶିକ୍ଷାପ୍ରତି ସଚେତନ ନଥିବାରୁ ଶିଶୁଙ୍କ ପ୍ରାକ୍ ଶିକ୍ଷା ବାଧାପ୍ରାପ୍ତ ହେଉଛି ।
କୋରାପୁଟ ଜିଲ୍ଲ ଲକ୍ଷ୍ମୀପୁର ବ୍ଲକ ତୁନପାର ପଞ୍ଚାୟତ ତରିଗୁଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ଶିଶୁମାନେ ଅଙ୍ଗନବାଡ଼ି ଯାଉନାହାନ୍ତି । ବହି ବସ୍ତାନୀ ଧରି ସ୍କୁଲ ଯିବାର କଅଁଳ ବୟସରେ ଏହି ଶିଶୁମାନେ ସକାଳ ହେଲେ ଗାଁ ଆଖପାଖ ଅଞ୍ଚଳକୁ ଗାଈଗୋଠ ସହ ଯାଉଥିବା ଦେଖିବାକୁ ମିଳୁଛି । ଏପରିସ୍ଥଳେ, ସରକାରଙ୍କ ସର୍ବଶିକ୍ଷା ଅଭିଯାନର ‘ସଭିଏଁ ପଢିବେ, ସଭିଏଁ ବଢିବେ’ ନାରା ଗାଁ ପାଇଁ କେବଳ ନାରା ହୋଇ ରହିଯାଇଛି । ସୂଚନା ଅନୁସାରେ, ଗାଁର ପୁଷ୍ପା ଜାନୀ(୫), ଆଶା ଜାନୀ(୫), ଅଞ୍ଜଳି ଜାନୀ(୭), ଆରତୀ ଜାନୀ(୯) ପ୍ରମୁଖ ଶିଶୁ ସକାଳୁ ଗାଈ ଚରାଇବାକୁ ପ୍ରତିଦିନ ଯାଉଛନ୍ତି । ଖାଲି ଏହି ପିଲାମାନେ ନୁହେଁ ଅନ୍ୟମାନେ ମଧ୍ୟ ଅନୁରୂପ କାର୍ଯ୍ୟ କରିବା ସହ ପରିବାର ଲୋକଙ୍କ କାମରେ ସବୁବେଳେ ସହଯୋଗ କରି ଆସୁଥିବା ଦେଖିବାକୁ ମିଳିଛି । ଗାଁରେ ଗୋଟିଏ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟ ରହିଛି । ତରିଗୁଡା ଆଦିବାସୀବହୁଳ ଗାଁ ହୋଇଥିବାରୁ ଲୋକେ ରାତି ପାହିଲେ ଯେଝା କାମରେ ଯେଝା ବାହାରି ଯାଉଛନ୍ତି । ଅନେକ ପୁରୁଷ ଓ ମହିଳା କୁଲିବୁତି କରିବାକୁ ବାହାରକୁ ଚାଲିଯାଉଛନ୍ତି । ଆଉ କେତେଜଣ ବିଲବାଡି ଓ ଜଙ୍ଗଲକୁ ଯାଉଛନ୍ତି । ଘରେ ଯେଉଁମାନେ ରହୁଛନ୍ତି ସେମାନେ ଘରର ଯାବତୀୟ କାମରେ ଲିପ୍ତ ରହୁଛନ୍ତି । ସଚେତନତା ଅଭାବରୁ ପିଲାଙ୍କୁ ବିଦ୍ୟାଳୟ ଅଙ୍ଗନବାଡିକୁ ପଠାଇବାକୁ କେହି ଧ୍ୟାନ ଦେଉନାହାନ୍ତି । ଗାଈ, ଛେଳି, ମେଣ୍ଢା ଚରାଇବା ଦାୟିତ୍ୱ ଅଭିଭାବକମାନେ ପିଲାଙ୍କୁ ଦେଉଛନ୍ତି । ଫଳରେ ପିଲାମାନେ ସ୍କୁଲ ଯିବା ବଦଳରେ ଗାଈ, ଛେଳି ଚରାଇବାକୁ ଗାଁପାଖ ଜଙ୍ଗଲ ଓ ପାହାଡକୁ ଯାଉଛନ୍ତି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନବାଡିରେ ଅଣ୍ଡା, ଖେଳନା ଆଦି ମଧ୍ୟ ଶିଶୁଙ୍କୁ ଆକର୍ଷଣ କରିପାରୁନି । ଏଣେ ଅଙ୍ଗନବାଡି କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ପିଲାଙ୍କୁ ଶିକ୍ଷାପ୍ରତି ଆକୃÂ କରିବାକୁ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ କହିଛନ୍ତି । ପିଲାମାନେ ଆସୁ ନଥିବାର ଶିକ୍ଷକମାନେ ଏହାକୁ ସୁଯୋଗ ଭାବି ମନଇଚ୍ଛା ସ୍କୁଲକୁ ଯିବାଆସିବା କରୁଛନ୍ତି । ଏହାବ୍ୟତୀତ ସରକାରୀ ଯୋଜନାକୁ ଠିକ୍ଭାବେ ଏଠାରେ କାର୍ଯ୍ୟକାରୀ କରାଯାଉ ନଥିବା ଗ୍ରାମବାସୀ କହିଛନ୍ତି ।
Comments are closed, but trackbacks and pingbacks are open.