କଟକ,(ବି.ବି.ନୁ୍ୟଜ୍): ପ୍ରେମ.. ପ୍ରତାରଣାରୁ ପ୍ରତିଶୋଧ । ପ୍ରେମିକ ସହ ବ୍ରେକ୍-ଅପ୍ ହେବା ପରେ, ପ୍ରେମିକର ବାହାଘର ଅନ୍ୟତ୍ର ସ୍ଥିର ହେଉଥିବା କଥା ଜାଣିବା ପରେ, କ୍ରୋଧାନ୍ଧ ହୋଇଉଠି ଅଭାବନୀୟ କାଣ୍ଡ ଘଟାଇଛି ପ୍ରେମିକା । ପ୍ରତିଶୋଧ ପରାୟଣା ଯୁବତୀ ଜଣକ ନିଜ ପରିବାର ଲୋକଙ୍କ ସହଯୋଗରେ ପ୍ରେମିକ ଉପରକୁ ଏସିଡ୍ ମାଡ଼ କରିଛି ।
ଏଭଳି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି କଟକ ସହର ଉପକଣ୍ଠ ଜଗତପୁର ଅଞ୍ଚଳରେ । ଏସିଡ୍ ମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ଜଗତପୁର ପାଗାସାହି ଶିକାରିପୁର ଅଞ୍ଚଳର ଅଲେଖ ବାରିକ(୩୦) । ଏସିଡ୍ ପଡ଼ି ତାଙ୍କ ମୁଣ୍ଡ, ଆଖି, ବେକ, ଛାତି, ହାତ ସମେତ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟିି ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି । ଉନ୍ନତ ମାନର ଚକ୍ଷୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚକ୍ଷୁ ହସ୍ପିଟାଲ୍କୁ ଆଜି ପଠାଯାଇଥିବା ଖବର ମିଳିଛି । ସେଠାରେ ଜରୁରିକାଳିନ ଆଖି ଚିକିତ୍ସା ସରିବା ପରେ, ପୁଣିଥରେ ତାଙ୍କୁ ଏସ୍ସିବିକୁ ଫେରାଇ ଅଣାଯାଇ ଚିକିତ୍ସା କରାଯିବାର ଯୋଜନା ରହିଛି ।

ଅନ୍ୟପଟେ, ଅଲେଖଙ୍କ ମା’ଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ ମାମଲାର ଛାନ୍ଭିନ୍ ଆରମ୍ଭ କରି ଏସିଡ୍ ଫିଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତଥାକଥିତ ଯୁବତୀଙ୍କ ସମେତ ତାଙ୍କ ମାଆଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା । ଅଭିଯୁକ୍ତମାନଙ୍କ ବୟାନକୁ ଭିତ୍ତି କରି ଆକ୍ରମଣସ୍ଥଳରୁ ପୁଲିସ ଟିମ୍ ଧଳା ରଂଗର ତରଳ କେମିକାଲ୍ (ଏସିଡ୍) ଭର୍ତ୍ତି ଏକ କାଚ ଜାର୍ ଜବତ କରିଛି । ପରେ ପାରିପାଶ୍ୱିର୍କ ପ୍ରମାଣ ଓ ତଥ୍ୟକୁ ଆଧାର କରି, ଦୁଇ ଅଭିଯୁକ୍ତ ମାଆ-ଝିଅଙ୍କୁ ଗିରଫ କରିଛି । ଗିରଫ ଯୁବତୀ ହେଉଛି ଜଗତପୁର ଓସିସି କଲୋନୀ ବସ୍ତିର ପାୟଲ୍ ନାୟକ ଓରଫ ମୋନା ଓରଫ ସରସ୍ୱତୀ (୧୯) ଓ ତା’ର ମାଆ ଚନ୍ଦ୍ରମା ନାୟକ (୪୬) । ପୁଲିସ ଉଭୟଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୩୪୧( ଅଟକାଇବା), ୩୨୬-ଏ (ଏସିଡ୍ ଆକ୍ରମଣ କରି ଗୁରୁତର ଆହତ କରିବା), ୫୦୬ ଓ ୩୪ (ଧମକାଇବା, ସଂଘବଦ୍ଧ ଅପରାଧ) ଆଦିରେ ମାମଲା ରୁଜୁ କରି ଦୁହିଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ମୁତାବକ, ଆହତ ଅଲେଖଙ୍କର ଜଗତପୁର ମହାନଦୀ ବ୍ୟାରେଜ୍ ଡାକବଂଗଳା (ଆଇବି) ରୋଡ୍ର ବଟ ଛକ ନିକଟରେ ଏକ ସେଲୁନ୍ ରହିଛି । ଦୀର୍ଘ ପ୍ରାୟ ବର୍ଷେ ହେଲା ସ୍ଥାନୀୟ ମହାନଦୀ କୂଳ ଓସିସି କଲୋନୀ ଅଞ୍ଚଳର ପାୟଲ୍ ଓରଫ ମୋନା ନାମକ ଯୁବତୀଙ୍କ ସହ ଅଲେଖଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଲେଖ ପ୍ରତିଦିନ ପାୟଲ୍ଙ୍କ ଘର ସାମ୍ନା ରାସ୍ତା ଦେଇ ଯା’ଆସ କରିବା ସମୟରେ ସମ୍ପର୍କ ଅଧିକ ନିବିଡ଼ ହୋଇଥିଲା । ପାୟଲ୍ଙ୍କ ସହ ତାଙ୍କର ଅବାଧ ମିଳାମିଶା କଥା ସ୍ଥାନୀୟ ଲୋକେ, ଏପରିକି ପାୟଲ୍ଙ୍କ ପରିବାର ଲୋକେ ପ୍ରାୟ ଜାଣିଥିଲେ । ତେବେ କୁହାଯାଉଛି କି’ କିଛି ଦିନ ତଳେ ଉଭୟଙ୍କ ଭିତରେ ବ୍ରେକ୍-ଅପ୍ ହୋଇଯାଇଥିଲା । ଅଲେଖଙ୍କ ବିବାହ ରାଜନଗର ଅଞ୍ଚଳରେ ଅନ୍ୟ ଏକ ଝିଅ ସହ ଠିକ୍ ହୋଇଥିଲା । ଅଲେଖ ପାୟଲ୍ଙ୍କଠାରୁ ଦୂରେଇ ଯାଇଥିଲେ । ଅଲେଖଙ୍କୁ ବିବାହ କରିବାକୁ ଇଚ୍ଛା କରୁଥିବା ପାୟଲ୍ ଏଥିରେ ଭୀଷଣ ପ୍ରତିଶୋଧ ପରାୟଣା ହୋଇ ଉଠିଥିଲେ । ରାଗରେ ଅନ୍ଧ ହୋଇ ଅଲେଖଙ୍କ ଉପରେ ଆକ୍ରମଣ କରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ ।
ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ପାୟଲ୍ ଫୋନ୍ ଯୋଗେ ଏକ ଜରୁରି କଥା ଥିବା ଦର୍ଶାଇ ଅଲେଖଙ୍କୁ ନିଜ ଘର ନିକଟକୁ ଡାକିଥିଲେ । ଅଲେଖ ପାୟଲ୍ଙ୍କ ଘର ପାଖରେ ଆସି ପହଞ୍ଚିବା ପରେ ଉଭୟ କିଛି ସମୟ କଥା ହୋଇଥିଲେ । ଉଚ୍ଚବାଚ ଓ ବଚସା ପରେ, ପୂର୍ବ ଯୋଜନା ମୁତାବକ ପାୟଲ୍ ଏକ କାଚ ଜାର୍ରେ ରଖିଥିବା ଏସିଡ୍ ଅଲେଖଙ୍କ ଉପରକୁ ଫିଙ୍ଗିଥିଲା । ଏଥିରେ ଅଲେଖଙ୍କ ମୁଣ୍ଡ, ଆଖି ସମେତ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଜଳି ଯାଇଥିଲା । ଅଲେଖ ଯନ୍ତ୍ରଣାରେ ଚିକ୍ରାର କରି ଦୌଡ଼ିଥିଲେ । ଅଲେଖଙ୍କ ମା’ ଚଞ୍ଚଳା ବାରିକ କରିଥିବା ଅଭିଯୋଗ ମୁତାବକ, ପାୟଲ୍, ତାଙ୍କ ବାପା ଧରଣୀଧର ଓରଫ ପବନା, ମା’ ଚନ୍ଦ୍ରମା ସମସ୍ତେ ଆକ୍ରମଣରେ ସାମିଲ୍ ଥିଲେ । ସେମାନେ କଟୁରି ଧରି ଅଲେଖଙ୍କୁ ମାରିବାକୁ ଗୋଡ଼ାଇଥିଲେ । ତେବେ ସେତିକିବେଳେ ଅଲେଖଙ୍କ ପାଟି ଶୁଣି ନିକଟସ୍ଥ କେତେଜଣ ଦୋକାନୀ, ଯୁବକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଅଲେଖଙ୍କ ଭାଇ ଓ କେତେଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ ପଠାଇ ପୁଲିସକୁ ଖବର ଦେଇଥିଲେ । ଆଜି ସକାଳେ ଅଲେଖଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଯୁବତୀ ଓ ତାଙ୍କ ମାଆଙ୍କୁ ଆଣି ପଚରାଉଚରା କରି ଖିଅ ବାହାର କରିଥିଲା । ତେବେ ପାୟଲ୍ ଫିଙ୍ଗିଥିବା ତରଳ ପଦାର୍ଥ ଏସିଡ୍ ନା ଅନ୍ୟ କିଛି କେମିକାଲ୍ ସେନେଇ ଦ୍ୱନ୍ଦ୍ୱ ରହିଛି । ପ୍ରାଥମିକ ତଦନ୍ତରୁ ପୁଲିସ ଏହା ରାସାୟନିକ କଷ୍ଟିକ୍ ସୋଡ଼ା ମିଶ୍ରିତ କିଛି ତରଳ ପଦାର୍ଥ ବୋଲି ଅନୁମାନ କରୁଛି । କୁହାଯାଉଛି କି’ ପାୟଲ୍ଙ୍କ ମା’ ସ୍ଥାନୀୟ ଶିଳ୍ପାଞ୍ଚଳର ଏକ କାଚବୋତଲ କାରଖାନାରେ କାମ କରନ୍ତି ଓ ସେଠାରୁ କିଛି କେମିକାଲ୍ ଆଣି ଘରେ ରଖିଥିଲେ । ପାୟଲ୍ ତାହାକୁ ଫିଙ୍ଗିଥିବା ଅନୁମାନ କରାଯାଉଥିବାରୁ ଏହା ତଦନ୍ତରୁ ଜଣାପଡ଼ିବ ବୋଲି ପୁଲିସ କହିଛି ।
Comments are closed, but trackbacks and pingbacks are open.