ପ୍ରେମିକାକୁ ଜିଅନ୍ତା ଜାଳିବା ଘଟଣା:ସ୍ପିରିଟ୍ ଆସିଲା କେଉଁଠୁ?

Get real time updates directly on you device, subscribe now.

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଛକରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜିଅନ୍ତା ଜାଳିଦେବା ଘଟଣା ତିନି ଦିନ ଖୋଳତାଡ଼ କରିବା ପରେ ପୁଲିସ ଅଭିଯୁକ୍ତ ପ୍ରେମିକ ପ୍ରତାପୁରର କୃଷ୍ଣ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୁଷୋତ୍ତମପୁର ଜେଏମ୍ଏଫ୍ସି ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ବ୍ରହ୍ମପୁର ଜେଏମ୍ଏଫ୍ସି ଅନୁସନ୍ ଦାସଙ୍କ କୋର୍ଟରେ ଅଭିଯୁକ୍ତ କୃଷ୍ଣଙ୍କୁ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ହାଜର କରିଥିଲା । ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ବ୍ରହ୍ମପୁର ସର୍କଲ୍ ଜେଲ୍କୁ ପଠାଇଦିଆଯାଇଛି ।
ସେପଟେ ତିନି ଦିନ ଧରି ଶୁଭସ୍ମିତା ମୃତୁ୍ୟର ରହସ୍ୟ ଖୋଜିବା ପରେ ପୁଲିସ ଘଟଣାସ୍ଥଳରୁ ମିଳିଥିବା ସ୍ପିରିଟ୍ ବୋତଲକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ସ୍ପିରିଟ୍ ବୋତଲ କେଉଁଠି କିଣା ଯାଇଛି ପୁଲିସ ତଦନ୍ତ କରୁଛି । ଆଜି ପୁଲିସ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ଜିଲ୍ଲା ଔଷଧାଗାରରେ ପହଞ୍ଚି ସ୍ପିରିଟ୍ ବୋତଲ ସରକାରୀ ଯୋଗାଣ ନା ପ୍ରାଇଭେଟ୍ କମ୍ପାନୀର ତଦନ୍ତ କରିଛି । ମିଳିଥିବା ସୂଚନା ପ୍ରକାରେ ପୁଲିସ ପାଇଥିବା ସ୍ପିରିଟ୍ ବୋତଲ ଓଡ଼ିଶା ଷ୍ଟେଟ୍ ମେଡିସିନ୍ କର୍ପୋରେସନ୍ (ଓଏସ୍ଏମ୍ସି) ଯୋଗାଣ ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ଚିଠି ହେବା ପରେ ଏବଂ ବୋତଲରେ ଲେଖାଯାଇଥିବା ବ୍ୟାଚ୍ ନମ୍ବର ଦେଖାଯିବା ପରେ ସେହି ସ୍ପିରିଟ୍ କେଉଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଣ ହୋଇଥିଲା ଜଣାପଡ଼ିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଶୁଭସ୍ମିତାଙ୍କୁ ପୋଡ଼ି ଦେଇଥିବା ନେଇ ପୁଲିସ ପ୍ରଥମେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବା ବେଳେ ତାଙ୍କର ମୃତୁ୍ୟ ପରେ ଏହା ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ଅଭିଯୁକ୍ତ କୃଷ୍ଣ ସାହୁଙ୍କୁ ଶୁକ୍ରବାର ହିଁ ଗିରଫ ଦେଖାଇଛି ପୁଲିସ । ଅଭିଯୁକ୍ତ କୃଷ୍ଣ ସାହୁ ଗୋଟିଏ କଥାରେ ଅଟଳ ରହିଛି । କୋର୍ଟଚାଲାଣ ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶୁଭସ୍ମିତାକୁ ହତ୍ୟା କରିନାହାନ୍ତି ଏବଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ବିବାହ ପାଇଁ ମନା କରିବାରୁ ବହୁବାର ସେ ନିଜେ ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ ଏବଂ ଘଟଣାର କିଛି ଦିନ ପୂର୍ବରୁ ଫୋନ୍ ଯୋଗେ ମଧ୍ୟ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଘଟଣାର ପୂର୍ବ ଦିନ ଆସିକାରେ ଉଭୟଙ୍କର ଶେଷ ଦେଖା ହୋଇଥିବା କୃଷ୍ଣ କହିବା ସହ ଏହି ହତ୍ୟା ପଛରେ ତାଙ୍କର କୌଣସି ପ୍ରକାର ସଂପୃକ୍ତ ନାହିଁ ବୋଲି କହିଛନ୍ତି ।
ଗଣାମାଧ୍ୟମକୁ କୃଷ୍ଣଙ୍କ କହିବା ପ୍ରକାରେ ସେ ଏବଂ ତାଙ୍କ ପରିବାର ଲୋକ ଗାଁରୁ ବାହାରେ ରହୁଥିଲେ । ଶୁଭସ୍ମିତା ଫୋନ୍ କରି ବିବାହ ହେବାକୁ କହିଥିଲେ ଏବଂ ବିବାହ ନକଲେ ପ୍ରତାପୁର ଆସି ବଦ୍ନାମ କରିବେ ବୋଲି ଧମକ ଦେଇଥିଲେ । ଘଟଣାର ପୂର୍ବ ଦିନ ଆସିକାରେ ଦେଖା ହେବା ପରେ ବହୁବାର ବୁଝାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସେ କିଛି ବୁଝିନଥିଲେ ବୋଲି କହିଛନ୍ତି କୃଷ୍ଣ । ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ ସମୟରେ ମୁଁ କିଛି ଅପରାଧ କରିନାହିଁ, ଭଲ ପାଇ ଭୁଲ୍ କରିଥିଲି । ତାର ସଜା ଏବେ ପାଉଛି । ନ୍ୟାୟ ବ୍ୟବସ୍ଥା ଅଛି ବୋଲି କହି ମାଆ କୁମାରୀ ସାହୁଙ୍କୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦିଥିଲେ । ବାପା ପୂର୍ଣ୍ଣଚନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି ମୋ ପୁଅ ନିଦେ୍ର୍ଧାଷ । ସେ ତା କାମରେ ଥିଲା । ପୂର୍ବରୁ ବହୁଥର ଶୁଭସ୍ମିତା ତାକୁ ବାହା ହେବାକୁ ଜିଦ୍ ଧରିବା ସହ ବିଭିନ୍ନ ଧମକ ମଧ୍ୟ ଦେଉଥିଲା । ଅଭିଯୁକ୍ତ କୃଷ୍ଣର ଓକିଲ ଶ୍ରୀହର୍ଷ ଦାଶ କହିଛନ୍ତି ଏହା ହତ୍ୟା ନୁହେଁ ତଦନ୍ତରେ ସ୍ପଷ୍ଟ ହୋଇଛି କିନ୍ତୁ ଅଭିଯୁକ୍ତ କୃଷ୍ଣକୁ ହତ୍ୟା ମାମଲାରେ କୋର୍ଟଚାଲାଣ କରାଯାଇଛି । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ।
୨୭ତାରିଖ ସନ୍ଧ୍ୟାରେ ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗ୍ରାମ ଛକରେ ଏକ ପରତ୍ୟକ୍ତ କୋଠା ଭିତରୁ ଶୁଭସ୍ମିତା ଖାଡ଼ଙ୍ଗା ଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେ ମୃତୁ୍ୟକାଳୀନ ଜମାନବନ୍ଦୀରେ କୃଷ୍ଣ ତାଙ୍କୁ ଏଠାକୁ ଆଣି ସ୍ପିରିଟ୍ ପକାଇ ପୋଡ଼ି ଦେଇଥିବା କହିଥିଲେ । ତାଙ୍କ ବୟାନକୁ ଆଧାର କରି ପୁଲିସ କୃଷ୍ଣକୁ ଗିରଫ କରିଥିଲା । ଶୁଭସ୍ମିତାଙ୍କ ଘର ବୁଗୁଡ଼ା ଥାନା କଳମ୍ବ ଛକରେ ହୋଇଥିବା ବେଳେ ସେ ମୁଜାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାବ୍ଟେକ୍ନିସିଆନ୍ ଭାବେ ଚାକିରି କରୁଥିଲେ ଏବଂ ସେଠାରେ ହିଁ ଘର ଭଡ଼ା ନେଇ ରହୁଥିଲେ । ଶୁଭସ୍ମିତା ସେଠାରୁ କେମିତି ପ୍ରତାପୁର ଛକ ଆସିଲେ ତାହା ପୁଲିସ ଖୋଲତାଡ଼ କରୁଛି । ଏକ ଅଟୋରେ ଶୁଭସ୍ମିତା ଆସିଥିବା ଅଭିଯୁକ୍ତ କହିବା ପରେ ପୁଲିସ ଏବେ ଅଟୋଚାଳକଙ୍କୁ ଖୋଜୁଛି । ଅଟୋ ଚାଳକ ଧରାପଡ଼ିବା ପରେ ଶୁଭସ୍ମିତା ଏଠାକୁ କେମିତି ଆସିଲେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons