ନବରଙ୍ଗପୁର,(ବି.ବି.ନ୍ୟୁଜ୍): ନାବାଳିକା ପ୍ରେମିକାଙ୍କୁ ରାତିଅଧରେ ଭେଟିବାକୁ ଯାଇଥିଲେ ପ୍ରେମିକ । ଜାଣିପାରିଲେ ପରିବାର ଲୋକେ । ଉଠିବା ପରେ ଖସିଗଲେ ପ୍ରେମିକ । କିନ୍ତୁ ସହାୟତା କରିବାକୁ ଯାଇ ଫସିଗଲେ ଜଣେ କନଷ୍ଟେବଳ । ଗାଁ ଲୋକେ ତାଙ୍କୁ କାବୁ କଲେ । ରାତିତମାମ ନିସ୍ତୁକ ପିଟିଲେ । ପରେ ଗାଁ ଦାଣ୍ଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କୋଡିଙ୍ଗା ଥାନା ଭଣ୍ଡିଆ ଗାଁରେ । ମାଡ଼ ଖାଇଥିବା କନଷ୍ଟେବଳଙ୍କ ନାଁ ଏମ୍.ଏସ୍. ମାଝୀ । ଜଣେ ପୁଲିସ୍ କର୍ମଚାରୀ ହୋଇ ବେଆଇନ କାମରେ ସହାୟତା କରିବାକୁ ଯାଇ ଏମିତି ପାନେ ପାଇଲେ ଯେ, ଆଜି ଦିନତମାମ ଘଟଣା ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିଲା । ମଙ୍ଗଳବାର ରାତି ପ୍ରାୟ ଗୋଟାଏ । ମକିଆ ଗାଁର ତଥାକଥିତ ପ୍ରେମିକ ଦୁର୍ଯ୍ୟ ବିଶୋୟୀ ନିଜ ସାଙ୍ଗ ତଥା କନଷ୍ଟେବଳ ଶ୍ରୀ ମାଝୀଙ୍କ ସହ ପହଞ୍ଚିଥିଲେ ଭେଣ୍ଡିଆ ଗାଁରେ ଥିବା ପ୍ରେମିକା ଘରେ । ପ୍ରଥମେ ନାବାଳିକା ପ୍ରେମିକା ଘରେ ପଶିଥିଲେ ଦୁର୍ଯ୍ୟ । ବାହାରେ ଜଗିଥିଲେ କନଷ୍ଟେବଳ । ନିଶାର୍ଦ୍ଧରେ କିଛି ଶବ୍ଦ ଶୁଣି ନାବାଳିକାର ଅଜା ନିଦରୁ ଉଠି ପଡ଼ିିଥିଲେ । ସେତିକି ବେଳେ ସେଠାରୁ ଚମ୍ପଟ ମାରିଥିଲେ ଦୁର୍ଯ୍ୟ । ହେଲେ ବାହାରେ ଜଗିଥିବା କନଷ୍ଟେବଳ ଧରା ପଡିଯାଇଥିଲେ । ତାଙ୍କର ଆଇଡି କାର୍ଡ ଦେଖାଇଥିଲେ । ହେଲେ ଛାଡ଼ିନଥିଲେ ଗାଁ ଲୋକେ । ଏକାଠି ହୋଇ କନଷ୍ଟେବଳକୁ ନିର୍ଧୁମ ଛେଚିଥିଲେ । ତାଙ୍କ ହାତଗୋଡ଼ ବାନ୍ଧି ଗାଁ ଦାଣ୍ଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ରଖିଥିଲେ । ସକାଳେ କୋଡିଙ୍ଗା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା । ବନ୍ଧା ହୋଇଥିବା କନଷ୍ଟେବଳଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ଏହି ଘଟଣାର ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ପ୍ରେମିକ ଦୁର୍ଯ୍ୟ ବିଶୋୟୀଙ୍କୁ ଖୋଜୁଛି । ଖବର ଲେଖାହେବା ଅର୍ଥାତ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଥାନାରେ ଏ ସଂପର୍କରେ କୌଣସି ଲିଖିତ ଅଭିଯୋଗ ହୋଇନି ।
Comments are closed, but trackbacks and pingbacks are open.