କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଦୁଇ ସାଙ୍ଗ ଆଜି ପ୍ଲାଜ୍ମା ଦାନ କରିଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ପ୍ରାକ୍ତନ ଏନ୍ଏସି କାଉନ୍ସିଲର ପ୍ରସନ୍ନ ନାୟକ, ଅନ୍ୟଜଣେ ତାଙ୍କ ବନ୍ଧୁ ସୁଶାନ୍ତ ଖୁଣ୍ଟିଆ ।
ଗଞ୍ଜାମ ଜିଲ୍ଲାରେ କବିସୂର୍ଯ୍ୟନଗର ବ୍ଲକ ଦିନେ ହଟ୍ସ୍ପଟ୍ ପାଲଟିଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଲା । ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱତନ୍ତ୍ର ପଦକ୍ଷେପ ଏବଂ ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦେଇଥିଲେ । ଟେଷ୍ଟିଂ ବଢ଼ାଇ ପରିସ୍ଥିତିକୁ ନିୟନ୍ତ୍ରଣଙ୍କୁ ଆଣିଛନ୍ତି । ପରିସ୍ଥିତି ଏବେ ସୁଧୁରିଥିବାବେଳେ ଜୀବିକା ସ୍ୱାଭାବିକ୍ ହେବାରେ ଲାଗିଛି । ପ୍ରାକ୍ତନ ଏନ୍ଏସି ଅଧ୍ୟକ୍ଷ, ଅଧ୍ୟକ୍ଷା, ବହୁ କାଉନ୍ସିଲର, ରାଜନେତା କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ପଜିଟିଭ୍ ୪୬୬ କେସ୍ ମଧ୍ୟରୁ ଆକ୍ଟିଭ ମୋଟ ୩୨ ଜଣ । ଆକ୍ଟିଭ କେସ୍ ଏନ୍ଏସିରେ ୫ ଓ ବ୍ଲକର ୨୭ ରହିଛି । ୪୬୬ ପଜିଟିଭ ମଧ୍ୟରୁ ଏନଏସି ୨୦୭ ଓ ବ୍ଲକର ସମସ୍ତ ପଞ୍ଚାୟତ ୨୬୯ ଜଣ ଚିହ୍ନଟ ହୋଇଥିଲେ । ସେହିପରି କରୋନା ଯୋଦ୍ଧା ୩ ଜଣ ଶିକ୍ଷକଙ୍କ ମୃତୁ୍ୟ ହୋଇଛି । ଦିଲ୍ଲୀରେ ପ୍ଲାଜ୍ମା ଥେରାପି ସଫଳତା ପରେ ଓଡ଼ିଶାରେ ଏହାକୁ ଲାଗୁ କରାଯାଇଛି । କବିସୂର୍ଯ୍ୟନଗରର ପ୍ରାକ୍ତନ କାଉନ୍ସିଲର ପ୍ରସନ୍ନ ନାୟକ ଏବଂ ତାଙ୍କ ବନ୍ଧୁ ସୁଶାନ୍ତ ଖୁଣ୍ଟିଆ କରୋନା ଆକ୍ରାନ୍ତ ହୋଇଥିଲେ । ୧୪ ଦିନ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିଲେ । ବିଧାୟିକା ଲତିକା ପ୍ରଧାନ, ପ୍ରାକ୍ତନ ଏନ୍ଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସାଥି ରସଲ ଦାସ ଉପଦେଶରେ ଅନୁପ୍ରାଣିତ ହୋଇ ପ୍ଲାଜ୍ମା ଦେବାକୁ ସ୍ଥିର କରିଥିଲେ । ଆଜି ବିନାୟକ ଚତୁର୍ଥୀ ଦିବସରେ ଦୁଇ ବନ୍ଧୁ ବ୍ରହ୍ମପୁର ଏମ୍କେସିଜିରେ ପ୍ଲାଜ୍ମା ଦାନ କରିଛନ୍ତି । ଏହିଭଳି ଉତ୍ସର୍ଗୀକୃତ ମନୋଭାବ ହେତୁ ଅଞ୍ଚଳରେ ସାଧୁବାଦର ପାତ୍ର ହୋଇପାରିଛନ୍ତି ।
Comments are closed, but trackbacks and pingbacks are open.