ଫଟା ପଲିଥିନ୍ ତଳେ ଦୁଇ ଦିବ୍ୟାଙ୍ଗଙ୍କ ଜୀବନ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ଭିକ୍ଷାବୃତ୍ତି କରି ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରୁଛନ୍ତି । ହେଲେ ରାତି ହେଲେ କଥା ସରିଲା । ମୁଣ୍ଡ ଗୁଞ୍ଜିବାକୁ ଛାତ ଦୂର କଥା ଚାଳ ବି ନାହିଁ । ରାତିରେ ଫଟା ପଲିଥିନ୍ କୁଡ଼ିଆରେ ବିତୁଛି ଜଣେ ପୁରୁଷ ଓ ଜଣେ ମହିଳା ଦିବ୍ୟାଙ୍ଗଙ୍କ ଜୀବନ । ଉଭୟ ଦୁଇ ବନ୍ଧୁ । ଜାତୀୟ ରାଜପଥ ସାଜିଛି ଠିକଣା । କୁଡିଆରେ ପାଣି ଗଳୁଛି । ଆଗ ଓ ପଛ କବାଟ ନାହିଁ । କାଠବାଉଁଶର କୁଡ଼ିଆ ଉପରେ ପଲିଥିନ୍ ପଡ଼ିଛି । ଅନ୍ଧାର ରାତିରେ ପୋକଜୋକଙ୍କ ଉପ୍ରଦ୍ରବ । ବର୍ଷାହେଲେ ଜୀବନ ଦୁର୍ବିଷହ । ସରକାରୀ ଯାଗାରେ କୁଡିଆ କରିଥିବାରୁ ପ୍ରଶାସନ ତରଫରୁ ଏହି ଅସହାୟ ଦିବ୍ୟାଙ୍ଗଙ୍କୁ ଆଜିପର୍ଯ୍ୟନ୍ତ ଆବାସଟିଏ ମିଳିନାହିଁ । କୋରାପୁଟ ମହିଳା କଲେଜ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ସହମତିରେ ବାସକରୁଛନ୍ତି ଦୁଇ ଦିବ୍ୟାଙ୍ଗ । ମହିଳାଙ୍କ ନାଁ ଉଲ୍ଲାସୀ ଖୋସ୍ଲା(୩୫)ଓ ତାଙ୍କ ପୁରୁଷ ବନ୍ଧୁ ହେଲେ ପି.ଅପନ୍ନା(୪୦) ।
ଉଭୟ ବନ୍ଧୁ ଦୀର୍ଘ ୫ବର୍ଷ ହେଲା ସ୍ଥାନୀୟ ମହିଳା କଲେଜ ରାସ୍ତା କଡ଼ରେ ପଲିଥିନ୍ କୁଡିଆରେ ରହୁଛନ୍ତି । ଉଭୟ ଶତ ପ୍ରତିଶତ ଦିବ୍ୟାଙ୍ଗ । ପଲଥିନ ଫାଟିଥିବାରୁ ବର୍ଷା ହେଲେ କୁଡ଼ିଆରେ ପାଣି ଗଳୁଛି । କବାଟ ନାହିଁ । ତେଣୁ ଅନ୍ଧାର ହେଲେ ମଶା ଡାଉଁଶଙ୍କ ଉପଦ୍ରବ । ବର୍ଷାରେ ଜୀବନ ନର୍କ ପାଲଟି ଯାଉଛି ବୋଲି କହିଛନ୍ତି । ଶୋଇବା ଯାଗା ବି ଓଦା ହୋଇଯାଉଛି । କିନ୍ତୁ କରିବା ବା କ’ଣ । ଜମି ବାଡ଼ି ନାହିଁ କି ଘର ନାହିଁ । ରାସ୍ତାପାଶ୍ୱର୍ରେ କୁଡିଆ କରି ରହୁଥିବାରୁ ଆଜିପର୍ଯ୍ୟନ୍ତ ଆବସ ଗୃହ ଖଣ୍ଡେ ମିଳନି ।
କୋରାପୁଟ ପୌରାଞ୍ଚଳର ପୁରୁଣାକୋରାପୁଟ ହେଉଛି ଉଲ୍ଲାସୀଙ୍କ ଘର । ଅପନ୍ନାଙ୍କ ଘର ଆନ୍ଧ୍ର ପ୍ରଦେଶରେ । ଉଲ୍ଲାସୀ ପିଲାବେଳୁ ଦିବ୍ୟାଙ୍ଗ ନଥିଲେ । ଉଲ୍ଲାସୀ ଜଣେ ଡ୍ରାଇଭରକୁ ବିବାହ କରିଥିଲେ । କିଛିବର୍ଷ ତଳେ ଟ୍ରେନ୍ ଲାଇନ୍ରେ କଟି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ପରେ ଉଲ୍ଲାସୀ ତାଙ୍କ ମା’ ପାଖରେ ରହୁଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କିନ୍ତୁ ସେମାନେ ଉଲ୍ଲାସୀଙ୍କ ମା’ପାଖରେ ରହୁଛନ୍ତି । ଗତ ୧୫ ବର୍ଷ ତଳେ ଦିନେ ଟ୍ରେନ ଲାଇନ୍ ପାର ହୋଇ ଶୌଚ ପାଇଁ ଯାଉଥିବା ବେଳେ ଟ୍ରେନ ଧକ୍କାରେ ତାଙ୍କ ଦୁଇଟି ଗୋଡ କଟିଯାଇଥିବା ଉଲ୍ଲାସୀ କହିଛନ୍ତି । ସେବେଠାରୁ ସେ ଦିବ୍ୟାଙ୍ଗ ଭାବେ ଭତ୍ତା ପାଉଛନ୍ତି । ପ୍ରଶାସନ ପକ୍ଷରୁ ଏକ ଟ୍ରାଇ ସାଇକେଲ ମିଳିଥିବା ସେ କହିଛନ୍ତି । ବହୁଦିନ ହେଲା ଏହା ମଧ୍ୟ ଖରାପ ହୋଇ ଯାଇଛି । କୁଡ଼ିଆ ପାଖରେ ସାଇକେଲ ପଡିରହିଛି । ୫ବର୍ଷ ତଳେ ଉଲ୍ଲାସୀଙ୍କ ସହିତ ପି.ଅପନ୍ନାଙ୍କ ପରିଚୟ ହୋଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଅପନ୍ନା ପିଲାବେଳୁ ପୋଲିଓ ଆକ୍ରାନ୍ତ । ଗରିବ ପରିବାର ହୋଇଥିବାରୁ ବାପା ମା’ଙ୍କ ମୃତ୍ୟୁ ପରେ ଅପନ୍ନା ଟ୍ରେନରେ ଭିକ୍ଷାବୃତି କରି କୋରାପୁଟ ପଳାଇ ଆସିଥିଲେ । କୋରାପୁଟରେ ଭିକ୍ଷାବୃତି କରିବା ସମୟରେ ଅପନ୍ନାଙ୍କ ସହ ରେଳ ଷ୍ଟେସନରେ ଉଲ୍ଲାସୀଙ୍କ ଭେଟ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ପରସ୍ପରକୁ ସହଯୋଗର ହାତ ବଢ଼ାଇଥିଲେ । ନିଷ୍ପତ୍ତି ନେଲେ ଏକାଠି ରହିବାକୁ । ରାସ୍ତାପାଶ୍ୱର୍ରେ ଚିରା ପଲିଥିନ୍ ଢାଙ୍କି ଗୋଟିଏ କୁଡ଼ିଆ ତିଆରି କଲେ । ଏହି କୁଡିଆରେ ଦିର୍ଘ ୫ବର୍ଷ ହେଲା ରହୁଛନ୍ତି । ପରସ୍ପର ଦୁଃଖସୁଖ ବାଣ୍ଟି ଚାଲିଛନ୍ତି । ଉଲ୍ଲାସୀଙ୍କୁ ମିଳୁଥିବା ଭତ୍ତାରେ ଉଭୟ ଚଳୁଛନ୍ତି । ଅପନ୍ନାଙ୍କୁ ଆଜିପର୍ଯ୍ୟନ୍ତ ଭତ୍ତା ମିଳୁନି । ପୂର୍ବରୁ ତାଙ୍କୁ ଆନ୍ଧ୍ର ସରକାର ଭତ୍ତା ଦେଉଥିଲେ ବୋଲି ଅପନ୍ନା କହିଛନ୍ତି । କୋରାପୁଟ ଆସିବା ପରେ ଆଉ ଭତ୍ତା ପାଇ ନଥିବା ସେ କହିଛନ୍ତି । ଭିକ୍ଷାବୃତିରୁ ଯାହା ଯେତିକି ମିଳେ ସେଥିରେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ଏବେ ୩ ଦିନ ହେଲା ଉଲ୍ଲାସୀଙ୍କ ଦେହ ଖରାପ ହୋଇଛି । କୁଡ଼ିଆରେ ଶୋଇବା ଶେଯରୁ ସେ ଉଠି ପାରୁ ନାହାନ୍ତି । ଅସୁସ୍ଥ ଉଲ୍ଲାସୀକୁ ଅପନ୍ନା ଔଷଧ ଆଣି ଦେଇଥିବା କହିଛନ୍ତି । କିନ୍ତୁ ଦେହ ଭଲ ହେଉ ନଥିବାରୁ ଅପନ୍ନା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ସରକର ଦିବ୍ୟାଙ୍ଗଙ୍କ ପାଇଁ ଆବସଠାରୁ ଆରମ୍ଭ କରି ଆତ୍ମ ନିର୍ଭରଶୀଳ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଏହି ଦୁଇ ଦିବ୍ୟାଙ୍ଗ ପାଇଁ ଏସବୁ ସହାୟତା ଏବେ ବି ସାତ ସପନ ପାଲଟିଛି । ଜିଲ୍ଲା ପ୍ରଶାସନ ଏହି ଅସହାୟ ଦିବ୍ୟାଙ୍ଗଙ୍କୁ ସହାୟତା କରିବାକୁ ସହରବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons