ବେଙ୍ଗାଲୁରୁ: ଆଗକୁ ଆସୁଛି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ । ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଏଥିପାଇଁ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ହକି ତାରତା ଫର୍ଗୁସ କାଭାନାଗ ଭାରତୀୟ ଦଳକୁ କିଛି ଦିନ ପ୍ରଶିକ୍ଷଣ ଦେବା ପାଇଁ ବେଙ୍ଗାଲୁରୁ ଆସିଛନ୍ତି । ଡିଫେଣ୍ଡରମାନଙ୍କ ପାଇଁ ଆୟୋଜିତ ଏହି ଶିବିରରେ ପୁରୁଷ ଦଳକୁ ଗୋଟିଏ ସପ୍ତାହ ଓ ମହିଳା ଦଳକୁ ଗୋଟିଏ ସପ୍ତାହ ପ୍ରଶିକ୍ଷଣ ଦେବେ ।
ଫର୍ଗୁସଙ୍କ ଠାରୁ ପ୍ରଶିକ୍ଷଣ ପାଇବା ନେଇ ଭାରତୀୟ ମହିଳା ଡିଫେଣ୍ଡରମାନେ ବେଶ ଉତ୍ସାହିତ ରହିଛନ୍ତି । ଓଡ଼ିଆ ହକି ତାରକା ତଥା ଭାରତୀୟ ଦଳର ବରିଷ୍ଠ ଡିଫେଣ୍ଡର ଦୀପଗ୍ରେସ ଏକ୍କା କହିଛନ୍ତି, ଫର୍ଗୁସଙ୍କ ଠାରୁ ପ୍ରଶିକ୍ଷଣ ନେବା ଆମ ପାଇଁ ଲାଭ ଦାୟକ ହେବ । ଆମ ପ୍ରଦର୍ଶନରେ ଉନ୍ନତି ଆସିବ । ଏଭଳି ସ୍ୱତନ୍ତ୍ର ଶିବିର ଆମ ପାଇଁ ବେଶ ସହାୟକ ହେବ । ଗତ ବର୍ଷ ଗ୍ଲେନ ଟର୍ନର ଆମକୁ କିଛି ନୂଆ ଟିପ୍ସ ଦେଇଥିଲେ । ଏଥର ଫର୍ଗୁସଙ୍କ ଠାରୁ କିଛି ନୂଆ ରଣକୌଣଳ ଶିଖିବା ନେଇ ଅପେକ୍ଷା କରି ରହିଛୁ । ଏଭଳି କିମ୍ବଦନ୍ତୀ ଖେଳାଳିଙ୍କ ଠାରୁ ପ୍ରଶିକ୍ଷଣ ନେବା ଆମ ପ୍ରଦର୍ଶନକୁ ନିଶ୍ଚିତ ପ୍ରଭାବିତ କରିବ ବୋଲି ମୋର ବିଶ୍ୱାସ ।’
ମହିଳା ଶିବିରରେ ଦୀପଗ୍ରେସଙ୍କ ସହିତ ରହିଛନ୍ତି ଲିଳିମା ମିଞ୍ଜ, ସୁଶୀଳା ଚାନୁ, ସଲିମା ଟେଟେ, ସୁମନଦେବୀ, ମହିମା ଚୌଧୁରୀ, ରଶ୍ମିତା ମିଞ୍ଜ, ସୁନୀତା ଲାକ୍ରା, ମନପ୍ରୀତ କୌର ଓ ମୋନିକାଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି । ପୁରୁଷ ଦଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ରେ ଚାମ୍ପିଅନ ହୋଇ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପରେ ମହିଳା ଦଳ ମଧ୍ୟ ଏହି ବର୍ଗରେ ଜାପାନର ହିରୋସୀମାରେ ଆୟୋଜିତ ମହିଳା ସିରିଜ୍ରେ ଉନ୍ନତ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଯାଇଛି ।
ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଉନ୍ନତ ପ୍ରଦର୍ଶନ କରି ପାରିଲେ ଦଳ ଟୋକିଓ ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇବ । ଗତ ଏସୀୟ କ୍ରୀଡ଼ାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ସ୍ୱର୍ଣ୍ଣ ଜିତିଥିଲେ ଟୋକିଓ ଅଲିମ୍ପିକ୍ସକୁ ସିଧାସଳଖ ଯୋଗ୍ୟତା ଟିକେଟ୍ ମିଳି ପାରିଥାନ୍ତା । ମାତ୍ର ଏସୀୟ କ୍ରୀଡ଼ାରେ ବିଫଳ ହେବା ପରେ ଏବେ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଭାରତ ଅଲିମ୍ପିକ୍ସରେ ସାମିଲ ହେବାର ଲକ୍ଷ୍ୟ ରଖିଛି ।
ଭାରତୀୟ ପୁରୁଷ ଓ ମହିଳା ଦଳ ଯେଉଁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ତାହା କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ହକି ସିରିଜ୍ ଫାଇନାଲ୍ସ ବିଭିନ୍ନ ଭେନ୍ୟୁରେ ଶେଷ ହେବା ପରେ କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହେବ । ଅଲିମ୍ପିକ୍ସ ଯୋଗ୍ୟତାରେ ପହଞ୍ଚିଥିବା ଦଳ ଗୁଡ଼ିକ ପରସ୍ପର ସହ ଦୁଇଟି ମ୍ୟାଚ୍ ଖେଳିବାର ନିୟମ ରହିଛି । ଗୋଟିଏ ମ୍ୟାଚ୍ ଘରୋଇ ଭେନ୍ୟୁରେ ଏବଂ ଅନ୍ୟଟି ବାହାରେ ଖେଳିବେ । ତେଣୁ ଭାରତୀୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଯଦିଓ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇ ନାହିଁ ।


Comments are closed, but trackbacks and pingbacks are open.