ମାଲକାନଗିରି,(ବି.ବି.ନୁ୍ୟଜ୍): କରଡା ପତ୍ରରେ ହେଉଛି ଫସଲରୁ ରୋଗପୋକ ଦମନ । ପାରମ୍ପରିକ ପଦ୍ଧତିରେ ମାଲକାନଗିରି ଜିଲ୍ଲାର ଚାଷୀମାନେ ଏହାକୁ ବହୁ ଦିନରୁ ବ୍ୟବହାର କରି ଆସୁଛନ୍ତି । ବଜାରରେ କୀଟନାଶକର ଚଢା ଦର ଓ ଏହାର କମ୍ ସରକାରୀ ଯୋଗାଣ ଯୋଗୁ ଚାଷୀମାନେ କରଡା ଗଛର ପତ୍ର ଓ ଡାଳକୁ ଏହାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ।
ଏଥିପାଇଁ ଚାଷୀଙ୍କୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡୁନାହିଁ । ଚାଷୀ ଆଖପାଖ ଜଙ୍ଗଲରୁ ଏହି ଗଛର ଡାଳ ଓ ପତ୍ର ସଂଗ୍ରହ କରିଥାନ୍ତି । ଫସଲରେ ରୋଗାପୋକ ଦେଖାଦେଲେ କରଡା ଡାଳକୁ ଚାଷୀମାନେ ଜମିରେ ପୋତିଥାନ୍ତି । ଅଧିକ ପୋକ ଲାଗିଥିବା ଜମିରେ ଏହାର ପତ୍ରଗୁଡିକୁ ଛିଣ୍ଡାଇ ପକାଯାଇଥାଏ । ଏହି ଗଛର ଅନେକ ଔଷଧୀୟ ଗୁଣ ରହିଛି । ପାହଡ ତଳି ଜଙ୍ଗଲରେ ସାଧାରଣତଃ ଏହା ବଢିଥାଏ । ଏହାର ଡାଳପତ୍ର ଅତ୍ୟନ୍ତ ପିତା ହୋଇଥିବାରୁ ଗାଈଗୋରୁ ଅବା ଛେଳି ଏହାକୁ ଖାଇ ନଥାନ୍ତି । ଧାନ, ମାଣ୍ଡିଆ, ମକା, ଯଅ, ବାଜରା, ସୁଅାଁ ଓ ବିଭିନ୍ନ ପନିପରିବାରେ ପୋକ ଦମନ ପାଇଁ ଚାଷୀ ଏହାକୁ ବ୍ୟବହାର କରିଥାନ୍ତି । ରୋଗପୋକ ଦମନ ସହ ଏହା ଜମିକୁ ମଧ୍ୟ ଉର୍ବର କରିଥାଏ । ଫସଲରେ କଅଁଳ ପତ ହେଲା ବେଳକୁ ବିଭିନ୍ନ ରୋଗପୋକ ଏହାକୁ ଆକ୍ରମଣ କରିଥାଏ । ଏଥିପାଇଁ ଚାଷୀମାନେ ଏହା ପୂର୍ବରୁ କରଡା ଗଛ ଡାଳ ବଣଜଙ୍ଗଲରୁ ଖୋଜି ରଖିଥାନ୍ତି । ପୋକ ଦମନ ବ୍ୟତୀତ ଗୋରୁ ଓ ମଣିଷଙ୍କ ବିଭିନ୍ନ ପ୍ରକାର ଚର୍ମ ଓ ପେଟ ରୋଗ ପାଇଁ ମଧ୍ୟ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ । ଏହାର ପତ୍ର ଓ ଛେଲିକୁ ସଂଗ୍ରହ କରି ଭଲଭାବେ ଧୋଇ ସିଝାଇ ଏହାର ରସକୁ ପିଇଲେ ଅନେକ ପ୍ରକାରର ପେଟ ଓ ଚର୍ମ ରୋଗ ଭଲ ହୋଇଥାଏ ବୋଲି କେତେଜଣ ଚାଷୀ କହିଛନ୍ତି । ଫସଲର କଅଁଳ ପତ୍ର ଓ ଥୋଡ ଧାନରେ ରୋଗପୋକ ଅବା ପତ୍ରପୋଡା ରୋଗ ପାଇଁ ଏହା ବେଶ୍ ଉପଯୋଗୀ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି ।
Comments are closed, but trackbacks and pingbacks are open.