ଜୟପୁର,(ବି.ବି.ନୁ୍ୟଜ୍): ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କୁନ୍ଦାରୀଗୁଡାର କିରଣ ମୁଦୁଲି(୨୧), ବିକ୍ରମ ବାଘ(୧୯), ବାପୁଜୀ ନଗରର ବିଜୟ ନାୟକ(୧୮), ମନୋଜ ସାଗର(୨୦) ଏବଂ ସଦର ଥାନା ବ୍ରାହ୍ମଣୀଗାଁର ରଞ୍ଜିତ ହରିଜନ(୨୦) । ସେମାନଙ୍କ ପାଖରୁ ୮ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ୍, ଟ୍ୟାବ୍ ଏବଂ କିଟ୍ ବ୍ୟାଗ୍ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଓଆଇସି ଶିବଶଙ୍କର ସାହୁ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଅପରାହ୍ନ ୪ଟାରେ ଭାରତ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀ ଇନ୍ଦ୍ରଜିତ ସୁନାନୀ ଋଣ ଟଙ୍କା ଆଦାୟ ଲାଗି ବାରିଣୀପୁଟ ପଞ୍ଚାୟତ ଦେଓଗୁଡାକୁ ଯାଇଥିଲେ । ସନ୍ଧ୍ୟା ସାଢେ ୬ଟା ବେଳେ ଫେରୁଥିବା ବେଳେ ୩ଜଣ ଦୁର୍ବୃତ୍ତ ତାଙ୍କ ବାଇକ୍ ଚକା ଭିତରେ ଏକ ଠେଙ୍ଗା ଭର୍ତ୍ତି କରି ଦେଇଥିଲେ । ଇନ୍ଦ୍ରଜିତ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରି ଡିକିରେ ଥିବା ୧୮ ହଜାର ୬୬୩ ଟଙ୍କା ସହ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଟ୍ୟାବ୍ ଲୁଟି ନେଇଥିଲେ । ଏ ସମ୍ପର୍କରେ ଇନ୍ଦ୍ରଜିତ୍ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ଲୁଟ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୨୯ ତାରିଖ ଅପରାହ୍ନରେ ୩ ଜଣଙ୍କୁ ଗିରଫ କରିଥିଲା । ପଚରାଉଚରା ପରେ ଏ ମାମଲାରେ ଆଉ ୨ ଜଣ ସମ୍ପୃକ୍ତ ଥିବା ଜଣାପଡିଥିଲା । ଆଜି ସକାଳେ ବଳକା ୨ ଜଣକୁ ଗିରଫ କରିଥିଲା । ବାରିଣୀପୁଟ ଫାଣ୍ଡି ଅଧିକାରୀ ଏଏସ୍ଆଇ ଗଣେଣ ପ୍ରସାଦ ବେହେରା ମାମଲାର ତଦନ୍ତକାରୀ ଅଧକାରୀ ଅଛନ୍ତି ।
ଓଆଇସି ଶ୍ରୀ ସାହୁ କହିଛନ୍ତି, କେବଳ ଭାରତ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କଠୁ ଟଙ୍କା ଲୁଟ୍ ହେଉଥିବା ଅଭିଯୋଗ ଆସୁଛି । ପୁଲିସ ପକ୍ଷରୁ ସେମାନଙ୍କୁ ବହୁବାର ସତର୍କ ରହିବାକୁ କୁହାଯାଇଛି । ନିଜ କାରବାର ସମୟରେ ନିୟମିତ ପରିବର୍ତ୍ତନ ଆଣିବା ଲାଗି ତାଗିଦ୍ କରାଯାଇଛି । ତଥାପି କର୍ମଚାରୀ କିମ୍ବା ପରିଚାଳକ କେହି ଶୁଣୁ ନାହାନ୍ତି । ଟଙ୍କା ସହ ଅନ୍ୟ ସାମଗ୍ରୀ ଉଦ୍ଧାର ହୋଇଥିବା ଜଣାଇଲେ ବି ଥାନାକୁ ଆସୁନାହାନ୍ତି । ଯାହା ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ପୁଲିସ ପରାମର୍ଶ ନଶୁଣିଲେ ଆଗାମୀ ଦିନରେ ଉକ୍ତ ସଂସ୍ଥାର କାରବାର ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯିବ ।


Comments are closed, but trackbacks and pingbacks are open.