ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଲୁଟ୍ ମାମଲା:ମାରଣାସ୍ତ୍ର ସହ ୪ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍):ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ଘଟଣାରେ ସଦର ପୁଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ହେଲେ ଜୟପୁର ଟାଉନ ଥାନା ଢେପଗୁଡାର ଅକ୍ଷୟ କୁମାର ସାଗର ଓରଫ ଜିତୁ(୨୬), ରୋହନ କୁଲଦୀପ(୨୩), ସଦର ଥାନା ଘିଉରୀର ରବି ହରିଜନ(୨୯) ଏବଂ ନବରଙ୍ଗପୁର ବିଜରାଗୁଡାର ଚନ୍ଦ୍ରଶେଖର ହରିଜନ(୨୮) । ଏମାନଙ୍କ ପାଖରୁ ନଗଦ ୧୮ ହଜାର ଟଙ୍କା, ଗୋଟିଏ କମ୍ପୁ୍ୟଟର ଟ୍ୟାବ୍, ପଞ୍ଚ ମେସିନ୍, ଲୁଟରେ ବ୍ୟବହୃତ ବାଇକ, ୪ ଟି ମୋବାଇଲ ସହ ମାରଣାସ୍ତ୍ର ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଶିବ ଶଙ୍କର ସାହୁ କହିଛନ୍ତି ।
ସୂଚନା ଅନୁସାରେ, ଚଳିତ ମାସ ୧୧ ରେ ଭାରତ ଫାଇନାନ୍ସ କମ୍ପାନିରେ କାମ କରୁଥିବା ନାରାୟଣପାଟଣାର ବାରିକ ମେଲକା ଋଣ ଟଙ୍କା ଆଦାୟ କରିବାକୁ ବାଲିଆ ପଞ୍ଚାୟତ ନୂଆପୁଟ ଅଞ୍ଚଳକୁ ଯାଇଥିଲେ । ନୂଆପୁଟ, ପାଲକାପୁଟରୁ ଟଙ୍କା ଆଦାୟ କରି ଅପରାହ୍ଣ ସାଢେ ଗୋଟାଏ ବେଳେ ଜୟପୁର ଫେରୁଥିଲେ । ପଲକାପୁଟ-ନୂଆପୁଟ ରାସ୍ତାର ଏକ ଜଙ୍ଗଲିଆ ସ୍ଥାନରେ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମ ଆକ୍ରମଣ ବିଫଳ ହେବା ପରେ ଦ୍ୱିତୀୟ ଥର ମଧ୍ୟ ଆକ୍ରମଣ କରିଥିଲେ । ଏକ ସିମେଣ୍ଟ ଖମ୍ବ ଓ ଠେଙ୍ଗାରେ ତାଙ୍କୁ ମୁଣ୍ଡକୁ ଆଘାତ କରିଥିଲେ । ବାରିକ ତଳେ ପଡିଯିବା ପରେ ଅଭିଯୁକ୍ତମାନେ ତାଙ୍କ ବ୍ୟାଗରେ ଥିବା ୬୫ ହଜାର ୮୧୦ ଟଙ୍କା, ଗୋଟିଏ ଟ୍ୟାବ୍, ପଞ୍ଜିକରଣ ମେସିନ୍ ସହ ଅନ୍ୟ କାଗଜପତ୍ର ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ବାରିକଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏ ସମ୍ପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ୧୯ ତାରିଖ ରାତିରେ ଓଆଇସି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଚଢଉ କରିଥିଲେ । ଯେଉଁଥିରେ ଏସଆଇ ମୁକୁନ୍ଦଦେବ ନାୟକ, ସଂଗ୍ରାମ କେଶରୀ ସ୍ୱାଇଁ, ଏଏସଆଇ ଗଣେଶ ପ୍ରସାଦ ବେହେରା ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ । ସରକାରୀ ବସଷ୍ଟାଣ୍ଡ, ଢେପଗୁଡା, ତେଲିଗୁଡା ଏବଂ ରେଳବାଇ ଛକରେ ଅଭିଯୁକ୍ତମାନେ ଥିବା ଖବର ପାଇ ଚଢଉ କରିଥିଲେ । ଗିରଫ ପରେ ଏମାନଙ୍କ ପାଖରୁ ଲୁଟ୍ ସାମଗ୍ରୀ ଜବତ କରାଯାଇଥିଲା ।
ସୂଚନାଯୋଗ୍ୟ, ଘଟଣା ଦିନ ଟଙ୍କା ଲୁଟ୍ ପରେ ଅଭିଯୁକ୍ତମାନେ ଗାଗନାପୁର ପେପର୍ ମିଲ-ଆଇଇଏମ୍ କଲେଜ ରାସ୍ତାରେ ଲୁଟ୍ ସାମଗ୍ରୀ ଭାଗବଣ୍ଟା କରିଥିଲେ । ଲୁଟ୍ କାଗଜପତ୍ର ବ୍ୟାଗ୍ ସେଠାର ଫିଙ୍ଗିଦେଇ ସମସ୍ତେ ଫେରାର ହୋଇ ଯାଇଥିଲେ । ଲୁଟରେ ୩ ଜଣ ସାମିଲ ହୋଇଥିବା ବେଳେ ଅନ୍ୟ ଜଣେ ବାରିକଙ୍କ ଗତିବିଧି ଉପରେ ସୂଚନା ଦେଇଥିଲା । ଲୁଟ୍ରେ ବ୍ୟବହୃତ ବାଇକ(ଓଡି ୧୦ ଜି-୫୯୨୬)କୁ ଜବତ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି । ଏସ୍ଆଇ ସଂଗ୍ରାମ କେଶରୀ ସ୍ୱାଇଁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons