
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଫୋନି ବାତ୍ୟାରେ ଉପକୂଳ ଅଞ୍ଚଳର ବହୁତ କ୍ଷତି ହୋଇଛି । ୨୨ ଲକ୍ଷ ଗଛ ଉପୁଡ଼ି ପଡ଼ିଛି । ସେଥିପାଇଁ ସରକାର ପୋଷ୍ଟ ଫୋନି କୋଷ୍ଟାଲ ସେଲ୍ଟର ବେଲ୍ଟ ଆଣ୍ଡ ଆଫୋରେଷ୍ଟେସନ୍ ମିଶନ ଆରମ୍ଭ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ୮୦ ଲକ୍ଷ ଗଛ ଲଗାଯିବ । ଏହା ସହିତ ଫୋନି ହୋଇଥିବା ଅଞ୍ଚଳରେ ୫୦ ଲକ୍ଷ ଚାରା ବିଭିନ୍ନ ଇନ୍ଷ୍ଟିଚ୍ୟୁସନ୍ ଓ ଜନସାଧାରଣଙ୍କୁ ମାଗଣାରେ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ବୁଧବାର ରାଜଭବନ ୟୁପି ସ୍କୁଲରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି, ଜଙ୍ଗଲ ବିଭାଗ ଗ୍ରୀନ୍ ମହାନଦୀ ମିଶନ, ଆମ ଜଙ୍ଗଲ, ସାକ୍ରେଡ୍ ଗ୍ରୋଭ୍ସ, ସବୁଜ ଓଡ଼ିଶା ମିଶନ କାର୍ଯ୍ୟକ୍ରମ ଓ ଆହୁରି ଅନେକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ । ଚଳିତ ବର୍ଷ ବର୍ଷା ଋତୁରେ ରାଜ୍ୟ ଜଙ୍ଗଲ ବିଭାଗ ୬ କୋଟି ଗଛ ଲଗାଇବ । ୪କୋଟି ଗଛ ବିଭିନ୍ନ ଇନ୍ଷ୍ଟିଚ୍ୟୁସନ୍, ଅର୍ଗାନାଇଜେସନ୍ ଓ ଜନସାଧାରଣଙ୍କୁ ଦିଆଯିବ । ଜନସାଧାରଣ ବିଶେଷକରି ସବୁ ପିଲା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସୁନ୍ଦର ଓ ସବୁଜ ଓଡ଼ିଶା ଗଠନରେ ସହାୟକ ହୁଅନ୍ତୁ ବୋଲି ନବୀନ ଆହ୍ୱାନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଛ ହେଉଛି ଜୀବନ । ଗଛ ରହିଲେ ହିଁ ଆମ ପରିବେଶ ଭଲ ରହିବ । ଆଉ ପରିବେଶ ଭଲ ରହିଲେ ହିଁ ଆମେ ଭଲ ରହିବା । ତେଣୁ ସମସ୍ତେ ଗଛର ଯତ୍ନ ନେଲେ ଯାଇ ଗଛ ଆମର ଯତ୍ନ ନେବ । ପିଲାଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଲ୍ଲେଖନୀୟ କାମ ପାଇଁ ବିଭିନ୍ନ ବନ ସଂରକ୍ଷଣ ସମିତି ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବଉଳ ଗଛ ଲଗାଇବା ସହ ଚାରା ବଣ୍ଟନ କରିଛନ୍ତି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.