‘ଫୋନି’ ସହାୟତା,ଏନ୍ଡିଆରଏଫ୍ରୁ ମିଳିଲା ୩୩୩୮.୨୨ କୋଟି

Get real time updates directly on you device, subscribe now.

ଓଡ଼ିଶା ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ: ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରଳୟଙ୍କରୀ ‘ଫୋନି’ ପାଇଁ ସହାୟତାର ହାତ ବଢ଼ାଇଛି କେନ୍ଦ୍ର । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ୍)ରୁ କେନ୍ଦ୍ର ୩୩୩୮ କୋଟି ୨୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡ଼ିଶାର ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ପାଇଁ ଏ ସହାୟତା ମଞ୍ଜୁର କରିଛନ୍ତି । ଏହି ଅତିରିକ୍ତ ପାଣ୍ଠି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) କୁ ଛାଡ଼ି ମିଳିବ ।
କେନ୍ଦ୍ର ସରକାର ଏ ପାଣ୍ଠି ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ରର ଏ ପାଣ୍ଠି ଫୋନି ବିପର୍ଯ୍ୟସ୍ତ ଓଡ଼ିଶାର ପୁନରୁଦ୍ଧାର ସହ ଥଇଥାନରେ ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ଲକ୍ଷ ଲକ୍ଷ ବାତ୍ୟା ପ୍ରଭାବିତ ଓଡ଼ିଆ ଉପକୃତ ହେବେ ।
କେନ୍ଦ୍ର ଏ ପାଣ୍ଠି ଅନୁମୋଦନ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନିଷ୍ପତ୍ତି ଓଡ଼ିଶାବାସୀଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି ।
ଗତ ମେ ମାସରେ ଓଡ଼ିଶା ‘ଫୋନି’ ବାତ୍ୟ।। ଶିକାର ହୋଇଥିଲା । ଏ ଭୟାବହ ବାତ୍ୟା ମାଡ଼ରେ ଉପକୂଳ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇ ପଡ଼ିଥିଲା । ବାତ୍ୟାର ମୁକାବିଲା ସହ ଭିତ୍ତିଭୂମି ନିର୍ମାଣ ଓ ପୁନରୁଦ୍ଧାର ପାଇଁ ବିପୁଳ ପାଣ୍ଠି ଆବଶ୍ୟକ ପଡୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଗତ ଜୁନ୍ ମାସରେ ଭେଟି ଏନଡିଆରଏଫରୁ ୫,୨୨୮ କୋଟି ଟଙ୍କା ଦାବି କରିଥିଲେ । ପୂର୍ବରୁ ୨୯ ଏପ୍ରିଲରେ ‘ଫୋନି’ ମୁକାବିଲା ପାଇଁ ଏସଡିଆରଏଫରୁ ଅଗ୍ରୀମ ଆକାରରେ ରାଜ୍ୟକୁ ୩୪୦ କୋଟି ୮୭ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ପରିଦର୍ଶନ ସହ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେଇ ତୁରନ୍ତ ୧ ହଜାର କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ । ଏ ପାଣ୍ଠି ମଧ୍ୟ ଅଗ୍ରୀମ ଆକାରରେ କେନ୍ଦ୍ର ଦେଇଥିଲା । ଏହାଛଡ଼ା ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିଥିଲା । ଆଜି ପୁଣି କେନ୍ଦ୍ର ୩୩୩୮.୨୨ କୋଟି ମଞ୍ଜୁର କରିଛି ।
ମେ ୩ ରେ ‘ଫୋନି’ ପ୍ରଭାବରେ ରାଜ୍ୟର ୧୪ ଜିଲ୍ଲାରେ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ଏ ବାତ୍ୟାରେ ବହୁଳ ଭାବେ ପ୍ରଭାବିତ ହୋଇଥିଲେ । ଏହି ବାତ୍ୟାରେ କ୍ଷୟକ୍ଷତି ଆକଳନ କରିବାକୁ ବିଶ୍ୱବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଓ ମିଳିତ ଜାତିସଂଘର ୧୦୦ରୁ ଅଧିକ ବିଶେଷଜ୍ଞଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ଖ୍ୟାତିସଂପନ୍ନ ବିଶେଷଜ୍ଞ ସାମିଲ ହୋଇଥିଲେ । ଏହି ସ୍ୱତନ୍ତ୍ର ଟିମ୍ ଦର୍ଶାଇଛି, ପ୍ରଳୟଙ୍କରୀ ‘ଫୋନି’ରେ ମୋଟ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟାଞ୍ଚଳରେ ପୁନରୁଦ୍ଧାର ପାଇଁ ୨୯ ହଜାର ୩୧୫ କୋଟି ଟଙ୍କାର ଆବଶ୍ୟକତା ଅଛି । ଏ ବାତ୍ୟାରେ ରାଜ୍ୟର ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃନିର୍ମାଣ ପାଇଁ ଆବଶ୍ୟକ ଅର୍ଥର ୪୨ ଭାଗ ଏବଂ ଗୃହ ନିର୍ମାଣ ଭଳି ସାମାଜିକ କ୍ଷେତ୍ର ପାଇଁ ୩୬ ଭାଗ ଅର୍ଥ ବିନିଯୋଗ ହେବ ।
ଗୋଟିଏ ପରେ ଗୋଟିଏ ଦୁର୍ବିପାକ ରାଜ୍ୟର ସାମଗ୍ରୀକ ବିକାଶ ଓ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜୁଥିବାରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ କେନ୍ଦ୍ର-ରାଜ୍ୟର ଅଂଶଧନ ଭାଗିଦାରିତା ୯୦:୧୦ ରହୁ । ବଡ଼ ଦୁର୍ବିପାକର ଶିକାର ହେଉଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ କେନ୍ଦ୍ର ‘ସ୍ପେଶାଲ ଫୋକସ ଷ୍ଟେଟ’ ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିବା ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଘର ମଧ୍ୟ ମାଗିଥିଲେ । ପ୍ରଥମ ଦଫାରେ କେନ୍ଦ୍ରୀୟ ଟିମ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସରକାର ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦେଇଥିଲେ । ‘ଫୋନି’ ପୁନରୁଦ୍ଧାର ପାଇଁ ମଧ୍ୟ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ ଯାହାକୁ କେନ୍ଦ୍ରୀୟ ଟିମ୍ ସହ ବିଶ୍ୱବ୍ୟାଙ୍କ ଟିମ୍ ଭୂୟସୀ ପ୍ରଶଂସା କରିଥିଲେ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରର ଏହି ପୁନରୁଦ୍ଧାର ପାଇଁ ପାଣ୍ଠି ଅନୁମୋଦନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରି କହିଛନ୍ତି, ଓଡ଼ିଶାରେ ରିଲିଫ ଓ ପୁନଃରୁଦ୍ଧାର କାମକୁ ଏହି ଏନଡିଆରଏଫ ପାଣ୍ଠି ଅଧିକ ତ୍ୱରିତ କରିବ । କେନ୍ଦ୍ରର ଏ ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ‘ଫୋନି’ ମୁକାବିଲା ପାଇଁ କେନ୍ଦ୍ର ଯଥାକ୍ରମେ ୩୪୦ ଓ ୧ ହଜାର କୋଟି ଓଡ଼ିଶାକୁ ପ୍ରଦାନ କରିଛି । ବାତ୍ୟାରେ ଲୋକଙ୍କ ମୁହଁରୁ ହସି ଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ । ନିଜ ଗୋଡ଼ରେ ଓଡ଼ିଶା ଛିଡ଼ା ହେବାକୁ କେନ୍ଦ୍ର ସରକାର ଏ ସହାୟତା ଯୋଗାଇ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons