ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଜଣେ ଅଜଣା ବ୍ୟକ୍ତି ଚାପୁଡା ମାରିଛି । ମାକ୍ରନ ଦେଶର ଦକ୍ଷିଣ-ପୂର୍ବ ଭାଗରେ ଅବସ୍ଥିତ ଡ୍ରୋମ ଅଞ୍ଚଳକୁ ଗସ୍ତରେ ଯାଇଥିବା ସମୟରେ ଏହି ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ, ମାକ୍ରନ ନିଜର ଗସ୍ତ ବେଳେ ସେଠାକାର କିଛି ରେଷ୍ଟୁରାଣ୍ଟକୁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ । ସେହିପରି ସେ ଛାତ୍ରମାନଙ୍କ ସହିତ ବି ଆଲୋଚନା କରିଥିଲେ । କରୋନା ସଂକ୍ରମଣ ପରେ ସେମାନଙ୍କ ଜୀବନ କିପରି ସ୍ୱାଭାବିକ ହେଉଛି, ତାହା ସେ ଜାଣିବାକୁ ଚାହିଁଥିଲେ । ଧଳା ସାର୍ଟ ପରିଧାନ କରିଥିବା ମାକ୍ରନ କିଛି ଲୋକଙ୍କ ସହିତ କଥା ହେବା ପାଇଁ ସେମାନଙ୍କ ନିକଟକୁ ଯାଉଥିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ସେମାନଙ୍କ ଭିତରୁ ବାହାରି ତାଙ୍କୁ ଚାପୁଡା ମାରିଥିଲା ଏବଂ ମାକ୍ରନ ଡାଉନ, ଡାଉନ୍ ବୋଲି ନାରା ଦେଇଥିଲା । ଫ୍ରାନ୍ସର ସୁରକ୍ଷା ଏଜେନ୍ସି ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । କିନ୍ତୁ ଏହି ଘଟଣାର ପ୍ରକୃତ ଉଦେ୍ଧଶ୍ୟ ସ୍ପଷ୍ଟ ହୋଇପାରିନାହିଁ ।


Comments are closed, but trackbacks and pingbacks are open.