ବଂଶଧାରା ତୁଠରେ ସଟ୍ଡାଉନ!

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): କରୋନା ଭୟରେ ଥରହର ରାୟଗଡ଼ା ଜିଲ୍ଲାର ଗୁଣପୁର ସହର । ଭୟ ଏମିତି ଘାରିଛି ଯେ, ଆଜି ସ୍ଥାନୀୟ ବଂଶଧାରା କୂଳର ତଳମୁଣ୍ଡର ସମସ୍ତ ତୁଠ ଖାଲି ପଡିଥିଲା । ଯେଉଁ ତୁଠଗୁଡ଼ିକରେ ରାତି ପାହିଲେ ଲୋକେ ଗାଧୋଉଥିଲେ ଆଜି ସେଠାକୁ ଯିବା ଲାଗି ଲୋକେ ଭୟ କରିଥିଲେ । କାରଣ ରବିବାର ନଦୀର ଉପର ମୁଣ୍ଡରେ ଜଣେ କୋଭିଡ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ରବିବାର ସହରର ଜଣେ ଯୁବ ଇଜିଂନିୟରଙ୍କ କୋଭିଡରେ ଦେହାନ୍ତ ହୋଇଥିଲା । କରୋନାଜନିତ ମୃତୁ୍ୟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ମୃତଦେହକୁ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିଲା । ପରିବାର ଲୋକେ କୋଭିଡ ନିୟମ ଅନୁଯାୟୀ ବଂଶଧାରା କୂଳର ଭୂତେଶ୍ୱର ମନ୍ଦିର ନିକଟ ମଶାଣିରେ ଶେଷକୃତ୍ୟ କରିଥିଲେ । ଏହି ସମୟରେ ପରିବାରର ତିନି ଜଣଙ୍କୁ ଛାଡିଲେ ଆଉ କାହାରି ଦେଖାମିଳିନଥିଲା । ଭୟରେ ସାହିପଡିଶା କିମ୍ବା ଜ୍ଞାତିକୁଟୁମ୍ବ କେହିହେଲେ ସେଠାକୁ ଯାଇନଥିଲେ । ବହୁ କଷ୍ଟରେ ମୃତକଙ୍କ ଭାଇ, ବାପା ଏବଂ ଶ୍ୱଶୁରଙ୍କ ସମେତ ଜଣେ ଧୋବା ଏବଂ ବାହାରର ଜଣେ ଲୋକ ମଶିି ମଶାଣିରେ ସମସ୍ତ କାର୍ଯ୍ୟ ସାରିଥିଲେ । ଏହି ଖବର ସହରରେ ପ୍ରଚାରିତ ହେବା ପରେ ଆଜି ବଂଶଧାରା ତଳମୁଣ୍ଡରେ ଏକପ୍ରକାର ସଟ୍ଡାଉନ ପରିସ୍ଥିତି ଦେଖିବାକୁ ମିଳିଥିଲା । କେହି ଜଣେହେଲେ ନଦୀକୁ ଯାଇନଥିଲେ । ଜାଣିନଥିବା କେତେକ ଲୋକ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା କେତେକ ଲୋକ ବାରଣ କରିଥିବା ଦେଖିବାକୁ ମିଳିଥିଲା ।
ସହରରେ କରୋନା ସଂକ୍ରମଣ ବଢିଚାଲିଛି । ଆଜିସୁଦ୍ଧା ସହରରେ ଏଥିରେ ଦୁଇ ଜଣଙ୍କ ମୃତୁ୍ୟ ହୋଇସାରିଲାଣି । ଜଣଙ୍କର ଦେହାନ୍ତ ପରେ ପଜିଟିଭ୍ ରିପୋର୍ଟ ଆସିଥିଲା ଏବଂ ଯୁବ ଇଜିଂନିୟରଙ୍କ ପଜିଟିଭ୍ ଚିହ୍ନଟ ହୋଇ ଚିକିିତ୍ସିତ ଅବସ୍ଥାରେ ଜୀବନ ଯାଇଥିଲା । ଏହି ଦୁଇ ପରିବାର ସମେତ ପଜିଟିଭ୍ ଚିହ୍ନଟ ହୋଇଥିବା ଅନେକ ପରିବାର ଏବେ ସାମାଜିକ ବାସନ୍ଦ ଭଳି କଷ୍ଟ ଭୋଗୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, କରୋନାଠାରୁ ସାମାଜିକ ବାସନ୍ଦକୁ ଲୋକେ ଅଧିକ ଭୟ କରୁଛନ୍ତି । ଫଳରେ ନିଜ ନିଜ ଭିତରେ ଲକ୍ଷଣ ଦେଖାଦେଲେ ବି କାହାକୁ ଜଣାଇବା କିମ୍ବା ସ୍ୱାବ ପରୀକ୍ଷା ଲାଗି ଲୋକେ ପଛଘୁଞ୍ଚା ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons