ବଜାର କମିଟି ସଭାପତିଙ୍କୁ ଗୁଳିମାଡ଼ ଘଟଣା:କେନ୍ଦ୍ରାପଡ଼ାରେ ପ୍ରତିବାଦ ଆନ୍ଦୋଳନ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ତିନିମୁହାଣି ବଜାର କମିଟିର ସଭାପତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଧର୍ମ ଜାଗରଣ ସମନ୍ୱୟ ସମିତିର ଜିଲ୍ଲା ସଭାପତି ତଥା ତିନିମୁହାଣି ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ଗୁଳିମାଡ଼ ପରେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡ଼ା ସହର । ଗତକାଲିଠାରୁ ସହରରେ ଲାଗିରହିଥିବା ଉତ୍ତେଜନା ଆଜି ପ୍ରତିବାଦ ଆନ୍ଦୋଳନର ରୂପ ନେଇଥିଲା । ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗତକାଲି ରାତିରେ ତିନିମୁହାଣି ବଜାର କମିଟି ସଦସ୍ୟ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ଧର୍ମଜାଗରଣ ସମନ୍ୱୟ ସମିତିର ସଦସ୍ୟମାନେ ତିନିମୁହାଣିଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ବନ୍ଦ ପାଳିଥିଲେ । ଯାହାର ପ୍ରଭାବ ଦିନ ତମାମ ଦେଖିବାକୁ ମିଳିଥିଲା ।
ଆଜି ସକାଳୁ ଉତ୍ତ୍ୟକ୍ତ ଲୋକେ ସହରର ଗୁଲନଗର ଦଣ୍ଡାମୁଣ୍ଡ ଛକ, ମାରୁତି ଛକ, ଦୁହୁରିଆ, ଗରାପୁର କୋଠିଛକଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ସହରର ତିନିମୁହାଣିଠାରୁ ଦୁହୁରିଆ, ତିନିମୁହାଣିରୁ ମହିପାଳ ଯାଏ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ବସ୍ ଚଳାଚଳ ବି ବନ୍ଦ ରହିବାରୁ ଯାତ୍ରୀସେବା ପ୍ରଭାବିତ ହୋଇଥିଲା । ଏଥିସହିତ ଟ୍ରକ୍, ୪ ଚକିଆ ଯୋଗେ ମାଲ ପରିବହନ ବି ଅଟକି ରହିଥିଲା । କେନ୍ଦ୍ରାପଡ଼ା ସହର ମଧ୍ୟକୁ ଥିବା ପ୍ରବେଶ ପଥକୁ ବାଡ଼ ପୋତି ବନ୍ଦ କରାଯାଇଥିବା ବେଳେ ଗୁଲନଗର ଛକ ପାଖରେ ବି ରାସ୍ତା ଅବରୋଧ କରାଯାଇଥିଲା । ସେହିପରି ସହର ଉପକଣ୍ଠ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ପାଖରେ ବି ରାସ୍ତାରୋକ କରାଯାଇଥିଲା । କେନ୍ଦ୍ରାପଡ଼ା ସହରରୁ ତିନିମୁହାଣି ବାଟ ଦେଇ ବନ୍ଦ କରାଯାଇଥିବାରୁ ପୁଲିସ କଜଳା ଗାଁ ବାଟ ଦେଇ ସହର ବାହରକୁ ଯିବା ଆସିବାର ବ୍ୟବସ୍ଥା କରିଥିଲା । ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଅଞ୍ଚଳରୁ ବସ୍ ଓ ମାଲ ପରିବହନ ସେବା ବ୍ୟାହତ ହୋଇଥିଲା । ଉକ୍ତ ୪ଟି ବ୍ଲକ୍ରୁ ଆସୁଥିବା ବସ୍ ଓ ଗାଡ଼ିଗୁଡ଼ିକ ଗରାପୁର ଛକ ଦେଇ ସହର ମଧ୍ୟକୁ ପ୍ରବେଶ ପରେ କାକଟ ବାଟ ଦେଇ ରାଜପଥକୁ ଉଠିଥିଲେ । ଫଳରେ ବହୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।
ପୂର୍ବରୁ ଏ ବାବଦରେ ଅବଗତ ନଥିବାରୁ କଟକରୁ ଆସୁଥିବା ବସ୍ଗୁଡ଼ିକ ବାଟରେ ଅଟକି ରହିଥିଲେ ଓ ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ôଚନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏସ୍ପି ନୀତି ଶେଖର, ଏଏସ୍ପି ଅରୁଣ ଜେନା, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ରଞ୍ଜନ ଦେ’ଙ୍କ ସମେତ ସହ ପୁଲିସ ଅଧିକାରୀ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ବି ଫରକ ପଡ଼ିନଥିଲା । ଅପରାହ୍ଣରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣାସ୍ଥଳରେ ପହଞ୍ôଚ ବରିଷ୍ଠ ପୁଲିସ ଅଧିକାରୀ, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳକୁ ରାସ୍ତାରୋକ ହଟିଥିଲା ।
ଏଣେ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ôଚ ପାରିନି । କେଉଁ କାରଣରୁ ଏ ଗୁଳିକାଣ୍ଡ ଘଟିଲା ତାହା ଠଉରାଇ ପାରିନି । ଗୁଳିକାଣ୍ଡ ପଛରେ କାରଣ କ’ଣ ରହିଛି ସେନେଇ ପୁଲିସ ବି ଦ୍ୱନ୍ଦ୍ୱରେ ପଡ଼ିଛି । ପୂର୍ବ ବିବାଦ ଅବା ଜମିବାଡ଼ି ବିବାଦ ବା ବ୍ୟାବସାୟିକ ଶତ୍ରୁତା କିମ୍ବା କିଛିଦିନ ଆଗରୁ ହୋଇଥିବା ଏକ ଗୋଷ୍ଠୀ ବିବାଦରେ ବାବୁଲି ନେତୃତ୍ୱ ନେଉଥିବା କାରଣରୁ ଗୁଳିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନି । ସଦର ଆଇଆଇସି ମହେଶ୍ୱର ସେଠୀ କହିଛନ୍ତି, ଏ ସଂକ୍ରାନ୍ତରେ ଥାନାରେ କେହି ଏ ପର୍ଯ୍ୟନ୍ତ ରିପୋର୍ଟ ଦେଇନାହାନ୍ତି । ତଥାପି ପୁଲିସ ତଦନ୍ତର ବିଭିନ୍ନ ଦିଗ ଅନୁଧ୍ୟାନ କରି ଛାନଭିନ୍ ଜାରି ରଖିଛି । ଗତକାଲି ରାତି ୯ଟା ବେଳେ ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ କେତେଜଣ ଦୁର୍ବୃତ୍ତ ଗୁଲନଗର ହାଇସ୍କୁଲ ଛକ ପାଖରେ ଗୁଳିମାଡ଼ କରିଥିଲେ । ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣକାରୀମାନେ ଖୁବ୍ ପାଖରୁ ଗୁଳି କରିଥିଲେ ବି ୨ ରାଉଣ୍ଡ ଗୁଳିରୁ ଗୋଟିଏ ଲକ୍ଷ୍ୟଚ୍ୟୂତ ହୋଇଥିବାବେଳେ ଅନ୍ୟଟି ବାବୁଲିଙ୍କ ଶରୀରକୁ ଭେଦ କରିଥିଲା । କେହି ଅଣପେସାଦାର ସୁପାରି ନେଇ ଏ କାମ କରିଥିବା ପୁଲିସ ଅନୁମାନ କରୁଛି । ବାବୁଲିଙ୍କୁ ଗୁଳି କରିଥିବା ଦୁଇଜଣ ଯୁବକ ଏକ ବାଇକ୍ରେ ଆସିଥିଲେ ଓ କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ଆଡ଼େ ଖସି ପଳାଇଥିଲେ । ଆଗକୁ ପାଟକୁରା ନିର୍ବାଚନ ରହିଛି ଓ ଏହି ଗୁଳିକାଣ୍ଡ ସହ ରାଜନୈତିକ ଶତ୍ରୁତାକୁ ଯୋଡାଯାଉଛି । ଗୁଳିକାଣ୍ଡ ପଛରେ ରାଜନୈତିକ କାରଣ ଥିବା ବି କୁହାଯାଉଛି । ପୁଲିସ କିନ୍ତୁ ଏନେଇ ଚୁପ୍ ରହିଛି । ଏହି ପରିପ୍ରେକ୍ଷୀରେ ପାଟକୁରା ନିର୍ବାଚନ ପ୍ରଚାର ଲାଗି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ସାଂସଦ ସୁରେଶ ପୂଜାରୀ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମୁଖମନ୍ତ୍ରୀ ତାଙ୍କ ରାଜଧର୍ମ ପାଳନ କରନ୍ତୁ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons