ନୂଆଦିଲ୍ଲୀ: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ତେବେ ଏହି ବଜେଟ୍ ଆଗତ କରି ସେ ଏକ ପୁରୁଣା ପରମ୍ପରା ଭାଙ୍ଗିଛନ୍ତି । ପୂର୍ବରୁ ଅର୍ଥମନ୍ତ୍ରୀମାନେ ଲାଲ ରଙ୍ଗର ବ୍ରିଫ୍କେସ୍ ଧରି ନିଜ କୋର ଟିମ୍ ସହ ସଂସଦ ଆସୁଥିଲେ । କିନ୍ତୁ ନିର୍ମଳା ସେହି ଲାଲ ରଙ୍ଗର ବ୍ରିଫ୍କେସ୍ ପରମ୍ପରା ଭାଙ୍ଗି ନାଲି ରଙ୍ଗର ଏକ କପଡ଼ା ପ୍ୟାକେଟ୍ରେ ଦସ୍ତାବିଜ୍ ଧରି ଆସିଛନ୍ତି । ନିଜ କୋର ଟିମ୍ ସହ ଯେତେବେଳେ ନାଲି ପ୍ୟାକେଟ୍ ଧରି ସଂସଦରେ ପହଞ୍ଚିଥିଲେ, ସାଂସଦମାନେ ଏହା ଦେଖି ତାଜୁବ ହୋଇଯାଇଥିଲେ । କ’ଣ ପାଇଁ ଏ ପ୍ରକାର ପରିବର୍ତ୍ତନ ବୋଲି ଅନେକଙ୍କ ମନରେ ସନ୍ଦେହ ଉପୁଜିଥିଲା । ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ସେହି ଦ୍ୱନ୍ଦ୍ୱ ଦୂର ପାଇଁ ଅତି ଚମକ୍ରାର ଜବାବ ରଖିଥିଲେ ।
ସୁବ୍ରମଣ୍ୟନ୍ କହିଥିଲେ, ଅର୍ଥମନ୍ତ୍ରୀ ନାଲି ରଙ୍ଗର ପ୍ୟାକେଟ୍ରେ ଯେଉଁ ବଜେଟ୍ ଦସ୍ତାବିଜ ଧରି ଆସିଥିଲେ, ତାହା ପ୍ରକୃତରେ ‘ବହିଖାତା’ । ତାଙ୍କ କହିବାନୁଯାୟୀ ଏହା ହେଉଛି ଭାରତୀୟ ପରମ୍ପରା । ପାଶ୍ଚାତ୍ୟ ବିଚାରଧାରାରୁ ମୁକ୍ତ ହେବାର ଏହା ଏକ ପ୍ରତୀକ । ଏହା ବଜେଟ୍ ନୁହେଁ, ବରଂ ବହିଖାତା । ଉଲ୍ଲେଖଯୋଗ୍ୟ, ଦେଶକୁ ସ୍ୱାଧୀନତା ମିଳିବା ପରଠାରୁ ପ୍ରଥମ ବଜେଟ୍ ତକ୍ରାଳୀନ ଅର୍ଥମନ୍ତ୍ରୀ ଆର୍ କେ ସନ୍ମୁଗମ୍ ସେଟ୍ଟି ୧୯୪୭ ନଭେମ୍ବର ୨୬ରେ ପ୍ରଥମ ବଜେଟ୍ ଆଗତ କରିଥିଲେ । ସେତେବେଳେ ସେ ଲେଦର ବ୍ୟାଗ୍ରେ ବଜେଟ୍ ଦସ୍ତାବିଜ ଧରି ଆସିଥିଲେ । ଏହାପରେ ଲାଲ ରଙ୍ଗର ବ୍ରିଫ୍କେସ୍ ଦେଖିବାକୁ ମିଳିଥିଲା ।
ବ୍ରିଫ୍କେସ୍ର ରଙ୍ଗ ବିଭିନ୍ନ ସମୟରେ ବଦଳିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୯୯୧ରେ ପରିବର୍ତ୍ତନକାରୀ ବଜେଟ୍ ଉପସ୍ଥାପନ କରିଥିଲେ । ସେ କଳା ରଙ୍ଗର ବ୍ୟାଗ୍ ଆଣି ଆସିଥିଲେ । ଜବାହରଲାଲ ନେହରୁ, ୟଶୱନ୍ତ ସିହ୍ନା ମଧ୍ୟ କଳା ରଙ୍ଗର ବ୍ୟାଗ୍ ଧରି ଆସିଥିଲେ । କିନ୍ତୁ ପ୍ରଣବ ମୁଖାର୍ଜୀ ଲାଲ ରଙ୍ଗର ବ୍ରିଫ୍କେସ୍ ଆଣିଥିଲା ବେଳେ ଅରୁଣ ଜେଟଲି ଧୁସର ମିଶା ଲାଲ ରଙ୍ଗର ବ୍ରିଫ୍କେସ୍ ଧରି ସଂସଦ ଆସିଥିଲେ । ଚଳିତବର୍ଷ ଅନ୍ତରୀଣ ବଜେଟ୍ ଆଗତ କରିଥିବା ପୀୟୂଷ ଗୋୟଲ ଲାଲ ରଙ୍ଗର ବ୍ୟାଗ୍ ଆଣିଥିଲେ । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ ଆଗତ କରିଛନ୍ତି । ବଜେଟ୍ ଅଭିଭାଷଣ ଦେଉଥିଲା ବେଳେ ତାଙ୍କ ଉପରେ ପୂରା ଦେଶବାସୀଙ୍କ ନଜର ଥିଲା । ଏନ୍ଡିଏ ସରକାରରେ ବେଶ୍ ଚର୍ଚ୍ଚିତ ରହିଆସିଛନ୍ତି । ତେବେ ସଂସଦରେ ବଜେଟ୍ ଆଗତ ବେଳେ କିଛି ଦର୍ଶକ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ ସୀତାରମଣଙ୍କ ମାତା ସାବିତ୍ରୀ ସୀତାରମଣ ଏବଂ ପିତା ନାରାୟଣନ୍ ସୀତାରମଣ ସାମିଲ ଥିଲେ ।
Comments are closed, but trackbacks and pingbacks are open.