ମୁମ୍ବାଇ:ଏଥର ବଜେଟ ପୁଞ୍ଜି ବଜାରକୁ ଖୁସି କରିପାରିନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପ୍ରସ୍ତାବ ଭାରତୀୟ ଷ୍ଟକ ବଜାରକୁ ନିରୁତ୍ସାହିତ କରିଛି । ଏଚ୍ଡିଏଫ୍ସି ବ୍ୟାଙ୍କ, ଏଲ୍ ଆଣ୍ଡ୍ ଟି ଏବଂ ବଜାଜ ଫାଇନାନ୍ସ ଭଳି ବଡ଼ ବଡ଼ କମ୍ପାନିର ସେୟାର ମୂଲ୍ୟରେ ବୃହତ୍ ହ୍ରାସ ଯୋଗ ପୁଞ୍ଜି ବଜାରରେ ସୋମବାର ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି । କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସରେ ୭୯୨.୮୨ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୩୮,୭୨୦.୫୭ ପଏଣ୍ଟକୁ ଖସିଆସିଛି । ଗତ ୪ ବର୍ଷରେ ଏହା ସବୁଠୁ ବଡ଼ ହ୍ରାସ । ବିଶେଷଜ୍ଞଙ୍କ କହିବାନୁସାରେ, ବଜେଟ୍ରେ ଘୋଷଣା କରାଯାଇଥିବା ଅନେକ ପ୍ରସ୍ତାବ ବିଦେଶୀ ପୋର୍ଟଫୋଲିଓ ନିବେଶକ ତଥା ଅତିଧନୀଙ୍କ ପାଇଁ ଅନୁକୂଳ ରହିନାହିଁ । ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡ଼ିଛି ।
ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନିଫ୍ଟିରେ ୨୫୨.୫୫ ପଏଣ୍ଟ ହ୍ରାସ ଘଟିଛି । ଏହା ୧୧,୫୫୮.୬୦ ପଏଣ୍ଟରେ ବନ୍ଦ ହୋଇଛି । ୩୦ଟି ଷ୍ଟକ୍ ମଧ୍ୟରୁ ୨୭ଟିରେ ହ୍ରାସ ଘଟିଛି । ବଜାଜ ଫାଇନାନ୍ସ, ଓଏନ୍ଜିସି, ଏନ୍ଟିପିସି, ହିରୋ ମୋଟୋ କର୍ପ, ମାରୁତି, ଏଲ୍ ଆଣ୍ଡ୍ ଟି, ଏସ୍ବିଆଇ, ଇଣ୍ଡସ୍ ବ୍ୟାଙ୍କ, ଟାଟା ମୋଟର୍ସ ଏବଂ ଏକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଏସବୁ କମ୍ପାନିର ସେୟାର ମୂଲ୍ୟ ପାଖାପାଖି ୮.୧୮% ଖସିଆସିଛି । ଅନ୍ୟପକ୍ଷରେ, ୟେସ୍ ବ୍ୟାଙ୍କ, ଏଚ୍ସିଏଲ୍ ଟେକ୍ ଏବଂ ଟିସିଏସ୍ ଆଦି କମ୍ପାନିର ସେୟାର ମୂଲ୍ୟରେ ପାଖାପାଖି ୫.୫୬% ବୃଦ୍ଧି ଘଟିଛି । ବଜାର ବିଶେଷଜ୍ଞଙ୍କ ମତରେ ବଜେଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏବଂ ଅତିଧନୀଙ୍କ ଉପରେ ଉଚ୍ଚ ଟିକସ ନିଷ୍ପତ୍ତି ବଜାରକୁ ପ୍ରଭାବିତ କରିଛି ।
ଗତ ଦୁଇଟି କାରବାର ଦିବସରେ ଇକ୍ୱିଟି ନିବେଶକଙ୍କ ସମ୍ପତ୍ତିରେ ୫ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହ୍ରାସ ଘଟିଛି । ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡିକର ବଜାର ପୁଞ୍ଜି ସୋମବାର ୧୪୮.୪୩ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ଶୁକ୍ରବାର କାରବାର ଆରମ୍ଭରେ ଏହା ୧୫୩.୫୮ ଲକ୍ଷ କୋଟି ଟଙ୍କା ଥିଲା ।
ଏସୀୟ ବଜାରର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ମଧ୍ୟ ହ୍ରାସ ଘଟିଛି । ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୨.୫୮% ସଙ୍କୁଚିତ ହୋଇଥିବାବେଳେ ହ୍ୟାଙ୍ଗ୍ସେଙ୍ଗ୍ ୧.୫୪%, ନିକେଇ ୦.୯୮% ଏବଂ କୋସ୍ପି ୨.୨୦% ହ୍ରାସ ଘଟିଛି ।
ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ୩୦ ପଇସା ହ୍ରାସ ଘଟିଛି । ୧ ଡଲାରର ବିନିମୟ ମୂଲ୍ୟ ୬୮.୭୨ ଟଙ୍କାକୁ ହ୍ରାସ ପାଇଛି । ଆଇଡିବିଆଇ କ୍ୟାପିଟାଲ ମାର୍କେଟ୍ସର ଗବେଷଣା ମୁଖ୍ୟ ଏ. କେ. ପ୍ରଭାକର କହିଛନ୍ତି ବଜେଟ୍ରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ) ମାନଙ୍କ ପାଇଁ ଦୀର୍ଘମିଆଦୀ ପୁଞ୍ଜି ଆୟ ଟିକସ ବଢ଼ାଯାଇଛି । ଏହା ବଜାରକୁ ନିରୁତ୍ସାହିତ କରିଛି । ଅତିଧନୀଙ୍କ ଉପରେ ଅତିରିକ୍ତ ସର୍ଚାର୍ଜ ବି ବଜାରର ପତନ ପାଇଁ ଦାୟୀ ବୋଲି ପ୍ରଭାକର କହିଛନ୍ତି ।
Comments are closed, but trackbacks and pingbacks are open.