ବଜ୍ରକାପ୍ତା କାତି ଜବତ : ୬ ଗିରଫ

Get real time updates directly on you device, subscribe now.

ଉଦଳା,(ବି.ବି.ନୁ୍ୟଜ୍): ଏବେ ବି ଚାଲିଛି ବଜ୍ରକାପ୍ତା ଚୋରା ଚାଲାଣ । ବଜ୍ରକାପ୍ତା ଚୋରା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ଉଦଳା ବନାଞ୍ଚଳ ଏରିଆ । କାରଣ ମାତ୍ର କେଇ ମାସ ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣ ହେବା ନିମନ୍ତେ ଡିଲ୍ ହେଉଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଟିମ୍ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା । ହେଲେ ଏବେ ବି ଚାଲିଛି ବଜ୍ରକାପ୍ତା ଚୋରା ଚାଲାଣ । କେବଳ ବଜ୍ରକାପ୍ତା ନୁହେଁ ବଜ୍ରକାପ୍ତା କାତି ମଧ୍ୟ ଚାଲିଛି ବେପାର । ଯାହାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ମାତ୍ର ୩ ଗୋଟି ବଜ୍ରକାପ୍ତ କାତି ୭ ଲକ୍ଷ ଟଙ୍କାରେ ବିକ୍ରୀ ନିମନ୍ତେ ଡିଲ୍ ହେଉଥିବା ବେଳେ ଦୁଇ ଗୋଟି ସ୍ଥାନରୁ ୬ ଜଣ ବେପାରୀଙ୍କୁ ଗିରଫ କରିଛି ଉଦଳା ବନବିଭାଗ । ଖବର ଅନୁସାରେ, ବିଶେଷସୂତ୍ରରୁ ଖବର ପାଇଥିଲା ବନବିଭାଗ । ନିଜେ ବନ କର୍ମଚାରୀ ଗ୍ରାହକ ସାଜି ଗତକାଲି ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ ଉଦଳା ବ୍ଲକ ଅଧିନ ଚାଲିଛତ୍ରା ଗ୍ରାମରେ । ସେଠାରେ ଗ୍ରାମ ରାସ୍ତାରେ ତିନି ଜଣ ବଜ୍ରକାପ୍ତା କାତି ବେପାରୀ ବନ କର୍ମଚାରୀଙ୍କ ସହିତ ବିକ୍ରୀ ନିମନ୍ତେ ଡିଲ୍ କରିଥିଲେ । ଯାହାକି ଦୁଇ ଗୋଟି କାତିକୁ ଲକ୍ଷାଧିକ ଟଙ୍କାରେ ବିକିବା ନିମନ୍ତେ ଡିଲ୍ ଚାଲିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବନକର୍ମଚାରୀମାନେ ପହଞ୍ଚତ୍ ତିନି ଜଣଙ୍କୁ ଗିରଫ କରିବା ସହିତ ଦୁଇ ଗୋଟି ବଜ୍ରକାପ୍ତା କାତି ଜବତ କରିଥିଲେ । ଗିରଫ ତିନି ଜଣ ହେଲେ ଦୁଗୁଧା ଗ୍ରାମର ନିଶିକାନ୍ତ ଜେନା(୪୩), କୁଟଲିଂ ଗ୍ରାମର ସୁଦାମ ଖଣ୍ଡେଇ(୪୫) ଏବଂ ସୋନପୋଖରୀ ଗ୍ରାମର ସୁକୁଲ ଟୁଡୁ(୩୩) ବର୍ଷ । ଏହି ତିନି ଜଣଙ୍କୁ ବନବିଭାଗ ଗିରଫ କରିଥିଲା । ଏହା ସହିତ ଅନ୍ୟପଟେ ଉଦଳା-ବାରିପଦା ରାସ୍ତାର ବୃନ୍ଦାଗଡି ଛକ ନିକଟରେ ବିଳମ୍ବିତ ରାତିରେ ବଜ୍ରକାପ୍ତାର ଗୋଟିଏ ବଡ କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରୀ ନିମନ୍ତେ ବନ କର୍ମଚାରୀଙ୍କ ସହିତ ଡିଲ୍ କରିଥିଲେ ତିନି ଜଣ ବେପାରୀ । ହେଲେ ପୂର୍ବ ଯୋଜନା ଅନୁସାରେ ସେଠାରୁ ମଧ୍ୟ ତିନି ଜଣ ବେପାରୀଙ୍କୁ ବନବିଭାଗ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ବଡ ବଜ୍ରକାପ୍ତା କାତି ଜବତ କରିଛି । ଗିରଫ ତିନି ଜଣ ହେଲେ କୁଣ୍ଡାବାଇ ଗ୍ରାମର ଗୁରୁ ଚରଣ ବିନ୍ଧାଣୀ(୩୨), ଖଡିକାଶୋଳ ଗ୍ରାମର ରବି ପାତ୍ର(୨୦) ଏବଂ ବିସିପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର(୩୮) ବର୍ଷ । ଗିରଫ ବେପାରୀଙ୍କ ନିକଟରୁ ଦୁଇ ଗୋଟି ବାଇକ୍ ଜବତ ହୋଇଛି । ତେବେ ଦୁଇ ଗୋଟି ସ୍ଥାନରେ ବିକ୍ରୀ ନିମନ୍ତେ ଏହି ତିନି ଗୋଟି ବଜ୍ରକାପ୍ତା କାତି ୭ ଲକ୍ଷ ଟଙ୍କାରେ ଡିଲ୍ ହେଉଥିଲା । ଗିରଫ ବେପାରୀମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୮ ଡିସେମ୍ବର ୭ ତାରିଖ ବିଳମ୍ବିତ ରାତିରେ ଉଦଳାରେ ବଜ୍ରକାପ୍ତା ବିକ୍ରୀ ନିମନ୍ତେ ଡିଲ୍ ହେଉଥିବା ବେଳେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଟିମ୍ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଦଳା ଥାନା ଅଞ୍ଚଳର ହୋଇଥିବା ଜଣାଯାଇଥିଲା । ତେବେ ଶିମିଳିପାଳ ଅଭୟାରଣ୍ୟକୁ ଲାଗି ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡ ରହିଥିବାରୁ ଅଭୟାରଣ୍ୟରୁ ବଜ୍ରକାପ୍ତା ଆଣି ତାହାକୁ ଚୋରା ଚାଲାଣ କରୁଛନ୍ତି କିଛି ବେପାରୀ । ତେବେ ଆଜି କିଛି ବଜ୍ରକାପ୍ତ କାତି ବେପାରୀ ଗିରଫ ହେବା ପରେ ବଜ୍ରକାପ୍ତା ଚୋରା ଚାଲାଣ ରୋକିବାରେ ବନବିଭାଗ ବିଫଳ ହେଉଥିବା ସ୍ପଷ୍ଟ ହୋଇଯାଇଛି । ଯାହାକି ବନ ବିଭାଗର ଅପାରଗତା ପଦାରେ ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons