ବିଷମକଟକ: ପୋଡ଼ୁଚାଷ ଲାଗି ଜଙ୍ଗଲରୁ ସଫା କରୁଥିଲେ ଲଟାବୁଦା । ଏହି ସମୟରେ ହେଲା ବଜ୍ରପାତ । ଏଥିରେ ଦମ୍ପତିଙ୍କ ମୃତୁ୍ୟ ହୋଇଥିବା ବେଳେ ପୁଅବୋହୂ ଗୁରୁତର ଆହତ ହୋଇଛନ୍ତି । ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଚାଞ୍ଚଡ଼ାଗୁଡ଼ା ପଞ୍ଚାୟତର କେରାଣ୍ଡିଗୁଡ଼ା ଗାଁରେ । ମୃତକମାନେ ହେଲେ କାଳିପଙ୍ଗା ଗାଁର ବୁର୍ଷା ମିଣିଆକା(୬୫) ଓ ତାଙ୍କ ସ୍ତ୍ରୀ ରାମୀ ମିଣିଆକା(୫୫) । ଆହତମାନେ ହେଲେ ବୁର୍ଷାଙ୍କ ପୁଅ କାଶୀରାମ ମିଣିଆକା ଓ ବୋହୂ ମାଳା(୩୦) । ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୩ଟାରେ ବୁର୍ଷାଙ୍କ ପରିବାରର ୪ଜଣ ସଦସ୍ୟ ପୋଡ଼ୁଚାଷ କରିବା ଲାଗି କେରାଣ୍ଡିଗୁଡ଼ା ଜଙ୍ଗଲ ନିକଟକୁ ଯାଇଥିଲେ । ଜମି ପ୍ରସ୍ତୁତ ଲାଗି ଲଟାବୁଦା ସଫା କରୁଥିଲେ । ଏହି ସମୟରେ ଜୋର୍ରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇଥିଲା । ହଠାତ୍ ବଜ୍ରପାତ ହେବାରୁ ବୁର୍ଷା ଓ ରାମୀ ଅଚେତ ହୋଇପଡ଼ିଥିବା ବେଳେ କାଶୀରାମ ଓ ମାଳା ଗୁରୁତର ଆହତ ହୋଇଥିଲେ । ପାଖରେ କାମ କରୁଥିବା ଲୋକେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୁର୍ଷା ଓ ରାମୀଙ୍କୁ ମୃତ ଘୋଷଣା କରିଥିଲେ । କାଶୀରାମ ଓ ମାଳାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.