ବାରିପଦା: ବର୍ଷାରୁ ରକ୍ଷା ପାଇବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ ।ହଠାତ୍ ବଜ୍ରପାତ ଯୋଗୁ ୩ ନାବାଳକଙ୍କ ଜୀବନ ଦୀପ ଲିଭି ଯାଇଛି ।ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶାଳ ଗ୍ରାମରେ ।ସ୍ଥାନୀୟ ୩ ଜଣପିଲା ଛେଳି ଚରାଇବାକୁ ପଦାକୁ ନେଇଥିଲେ । ତେବେ ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ବର୍ଷା ସହ ଘଡଘଡି । ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ ୩ ପିଲା । ହଠାତ ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୩ ପିଲାଙ୍କ ସହ ୭ଟି ଛେଳିର ମୃତୁ୍ୟ ହୋଇଥିଲା । ମୃତକ ପିଲାମାନେ ହେଲେ ଜଗନ୍ନାଥ ନାଏକଙ୍କ ପୁଅ ବାରସା ନାଏକ(୧୨), ରାଧା ନାଏକଙ୍କ ପୁଅ ସୁଜିତ ନାଏକ(୧୪), କାଳି ଚରଣ ନାଏକଙ୍କ ପୁଅ ବାବଲୁ ନାଏକ(୧୬) । ଘଟଣା ସମ୍ପର୍କରେ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର କଳାବାଦଲ ଛାଇ ହୋଇ ଯାଇଛି । ପରେ ଖବରପାଇ ଚାନ୍ଦୁଆ ଥାନା ପୁଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମକୁ ପଠାଇଥିବା ଜଣାପଡ଼ିଛି । ଅନ୍ୟପଟେ ବଜ୍ରପାତରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.