ଧାମନଗର,(ବି.ବି.ନ୍ୟୁଜ୍): ବିଲକୁ ଯାଇ ଚାଷ କାମ କରୁଥିବା ବେଳେ ଆଜି ଦୁଇ ଜଣ ଚାଷୀ ପ୍ରାଣ ହରାଇଛନ୍ତି । ବଜ୍ରାଘାତରେ ସେମାନଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳର ଜଣେ ଚାଷୀଙ୍କ ଘର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ବୋଲି ଜଣାପଡ଼ିଛି ।
ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁରର ଗ୍ରାମର ଯୁଧିଷ୍ଠିର ନାୟକ (୫୬) ଆଜି ବିଲରେ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନରେ ବର୍ଷା ସହିତ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତରେ ଯୁଧିଷ୍ଠିରଙ୍କ କାନ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ବିଲରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ପରିବାର ଲୋକ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଧୁଷୁରୀ ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଥାନାରେ ୧୮/୧୯ ନଂରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଜ୍ରପାତଜନିତ ମୃତ୍ୟୁ କି ନୁହଁ, ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ସେହଭିଳି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମର ଭାସ୍କର ନାୟକଙ୍କ ପୁଅ ଅନ୍ତର୍ଯ୍ୟାମୀ (୪୨) ସକାଳେ ବିଲକୁ ଯାଇଥିଲେ । ଧାନ ରୁଆ କାମରେ ସହଯୋଗ କରୁଥିବା ବେଳେ ବଜ୍ରାଘାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କ ମୃତ ଘୋଣୋ କରିଥିଲେ । ଔପଦା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।
Comments are closed, but trackbacks and pingbacks are open.