ପଟ୍ଟାଙ୍ଗି: ପଟ୍ଟାଙ୍ଗି ଥାନା ସିପାଇପୁଟ ଗାଁରେ ବଜ୍ରାଘାତରେ ୩ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ୨୦ଟି ଛେଳି ଓ ୧୯ ଗୋରୁଙ୍କ ମୃତୁ୍ୟ ହୋଇଛି । ଆହତମାନେ ହେଲେ ରାମଚନ୍ଦ୍ର ଗେମେଲ(୪୮), ଗୋପୀନାଥ ଖରା(୫୬) ଓ କତାନା ଖରା(୫୨) । ସେମାନଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସିପାଇପୁଟ ଗାଁରେ ରହୁଛନ୍ତି ୧୫ ପରିବାର । ପ୍ରତିଦିନ ୩ରୁ ୪ ପରିବାର ଗୋରୁଗୋଠ ଧରି ଚରାଇବାକୁ ନେଇଥାନ୍ତି । ଆଜି ରାମଚନ୍ଦ୍ର, କତାନା ଓ ଗୋପୀନାଥଙ୍କ ପାଳି ଥିବାରୁ ସେମାନେ ଗୋରୁଗୋଠ ଧରି ଗାଁ ନିକଟ ସେରୁବନ୍ଧ ପାହାଡ଼କୁ ଯାଇଥିଲେ । ଅପରାହ୍ଣ ଗୋଟାଏ ବେଳେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷା ଆସିବା ଦେଖି ୩ଜଣ ଗୋରୁଗୋଠ ନେଇ ଘରକୁ ଫେରୁଥିଲେ । ସାଢେ଼ ୨ଟା ବେଳେ ହଠାତ୍ ବଜ୍ରପାତ ହେବାରୁ ୨୦ଟି ଛେଳି ଓ ୧୯ଟି ଗୋରୁଙ୍କ ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଯାକ ଅଚେତ ହୋଇ ପଡ଼ିଯାଇଥିଲେ । କିଛି ସମୟ ପରେ କତାନା ଓ ଗୋପୀନାଥଙ୍କ ଚେତା ଫେରିବାରୁ ସେମାନେ ରାମଚନ୍ଦ୍ରଙ୍କ ନିକଟକୁ ଯାଇ ଦେଖିଥିଲେ । ସେ ଅଚେତ ଥିବା ଦେଖି ଗୋପୀନାଥଙ୍କୁ ଅପେକ୍ଷା କରିବାକୁ କହି କତାନା ଗାଁରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀ ପହଞ୍ଚି ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ରାମଚନ୍ଦ୍ରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ବଜ୍ରପାତରେ ୨୦ଟି ଛେଳି ଓ ୧୯ଗୋରୁଙ୍କ ମୃତୁ୍ୟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି । ଏହି ଘଟଣା ପୂରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.