ଲାଠୋର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ମାଲପଡ଼ା ପଞ୍ଚାୟତ ଜଲପାଙ୍କେଲ ଗାଁରେ ବଜ୍ରାଘାତରେ ଏକ ଦମ୍ପତିଙ୍କ ମୃତୁ୍ୟ ଘଟିଛି । ଶନିବାର ସନ୍ଧ୍ୟାରେ ଫୁଲଝରସ୍ଥିତ ନିଜ ଚାଷ ଜମିକୁ ଉଭୟେ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଆଜି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାନୁଯାୟୀ ଜଲପାଙ୍କେଲ ଗାଁର ଶତ୍ରୁଘ୍ନ ପୁଟେଲ(୪୨) ଓ ସ୍ତ୍ରୀ କମୁନି(୩୮) ଗତକାଲି ଅପରାହ୍ନରେ ଫୁଲଝରସ୍ଥିତ ନିଜ ଚାଷ କାକୁଡ଼ି ବାଡ଼ିକୁ ଯାଇଥିଲେ । କାକୁଡ଼ି ବାଡ଼ିରେ ରାଞ୍ଜ ଦେଉଥିବା ବେଳେ ବର୍ଷା ଓ ଘଡଘଡି ହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ସେଠାରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ସ୍ତ୍ରୀ କମୁନିର ମୃତୁ୍ୟ ହୋଇଥିବା ବେଳେ ସ୍ୱାମୀ ଶତ୍ରୁଘ୍ନ ଗୁରୁତର ଆହତ ହୋଇଥିଲେ । ଏଣେ ରାତି ହୋଇଥିଲେ ସୁଦ୍ଧା ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବା ପାଇଁ ବାଡ଼ିକୁ ଯାଇଥିଲେ । ସେତେବେଳେ କମୁନିର ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ଶତ୍ରୁଘ୍ନ ଛଟପଟ ହେଉଥିଲେ । ଶତ୍ରୁଘ୍ନକୁ ତୁରନ୍ତ ଉଦ୍ଧାର କରି ପରିବାର ଲୋକେ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ଲାଠୋର ପୁଲିସ ପହଞ୍ଚି ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଦମ୍ପତିଙ୍କ ମୃତୁ୍ୟ ପରେ ତାଙ୍କ ବୃଦ୍ଧ ପିତାମାତା ଏବଂ ୩ ଶିଶୁ ଅସହାୟ ହୋଇପଡିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଲାଠୋର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.