ବଜ୍ରାଘାତରେ ୭ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

କେନ୍ଦୁଝର/ଭୋଗରାଇ/ବସ୍ତା,(ବି.ବି.ନୁ୍ୟଜ୍): ଶୁକ୍ରବାର ରାଜ୍ୟର କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ୭ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତିକେନ୍ଦୁଝର ଜିଲ୍ଲାରେ ୨ ଜଣ, ବାଲେଶ୍ୱର ଜିଲ୍ଲାରେ ୨ ଜଣ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୩ ଜଣଙ୍କ ମୃତୁ୍ୟ ହୋଇଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଗୁମୁରା ପଞ୍ଚାୟତ ସରୁପତଳା ଗାଁର ରାନ୍ଦା ମୁଣ୍ଡା (୩୫)ଙ୍କ ବଜ୍ରାଘାତରେ ମୃତୁ୍ୟ ଘଟିଛି । ଶୁକ୍ରବାର ଅପରାହ୍ନ ୨ଟାରେ ରାନ୍ଦା ବଳଦ ଖୋଜିବାକୁ ବିଲକୁ ଯାଇଥିଲେ । ଏହି ସମୟରେ ହଠାତ୍ ବର୍ଷା ହେବା ସହ ବଜ୍ରାଘାତ ହୋଇଥିଲା । ଏଥିରେ ରାନ୍ଦା ବିଲ ମଝିରେ ଟଳିପଡ଼ିଲେ । ପରିବାର ଲୋକେ ଏ ସମ୍ବନ୍ଧରେ ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ଝୁମ୍ପୁରା ଗୋଷ୍ଟୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଝୁମ୍ପୁରା ପୁଲିସ ଡାକ୍ତରଖାନାରୁ ମୃତଦେହ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ରାନ୍ଦା ଜଣେ ଦିନ ମଜୁରିଆ । ତାଙ୍କର ୩ଟି ଛୋଟ ସନ୍ତାନ ଅଛନ୍ତି ।
ସେହିପରି ଚମ୍ପୁଆ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁର ଜଣେ ମହିଳାଙ୍କ ବଜ୍ରାଘାତରେ ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ମହିଳା ହେଲେ ଉର୍ମିଳା ମୋଦି (୪୫) । ଉର୍ମିଳା ଓ ଯାତ୍ରୀ ମହାକୁଡ଼ ନାରଦପୁରସ୍ଥିତ ଷ୍ଟେଟ୍ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇ ଯାଇଥିଲେ । ଅପରାହ୍ନ ସାଢେ଼ ୧୨ଟାରେ ବ୍ୟାଙ୍କ କାମ ସାରି ଦୁହେଁ ଚାଲି ଚାଲି ଫେରିବାବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ଉର୍ମିଳାଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ସହ ଥିବା ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଜଗନ୍ନାଥପୁର ପଞ୍ଚାୟତ କରଞ୍ଜାଶୂଳ ଗ୍ରାମର ଜନୈକ ଚାଷୀ ବିଜୟ କୁମାର ବାରିକ (୬୪) ଙ୍କ ବଜ୍ରାଘାତରେ ମୃତୁ୍ୟ ହୋଇଛି । ମଧ୍ୟାହ୍ନ ୧୨ଟା ରେ ବିଜୟ ପରିବା କିଆରୀକୁ ଯାଇଥିଲାବେଳେ ବଜ୍ରପାତ ହୋଇଥିଲା । ସେ ଚେତଶୂନ୍ୟ ହୋଇ ସେହିଠାରେ ଟଳି ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବସ୍ତା ଥାନା ଅନ୍ତର୍ଗତ ରସଲପୁର ପଞ୍ଚାୟତର ବଡ଼ଧନାଡ଼ି ଗ୍ରାମର ସିଦ୍ଧାର୍ଥ ମାଝି(୧୯) ପାଖ ଏକ ଚିଙ୍ଗୁଡି ଝିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟିଥିଲା । ସେ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ କରିଛି ।
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥରା ଗ୍ରାମରେ ଆଜି ମଧ୍ୟାହ୍ନରେ ମାଛ ଧରିବାକୁ ଯାଇ ବଜ୍ରାଘାତରେ ୩ ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକମାନେ ହେଲେ ବଡ଼ପଥରା ଗ୍ରାମର ଯାମିନୀକାନ୍ତ ମହାନ୍ତ (୨୦), ଦିବ୍ୟଶଙ୍କର ମହାନ୍ତ (୨୭) ଓ କୌଶିକ ମହାନ୍ତ (୧୯) । ତିନିଜଣ ଯୁବକ ପୋଖରୀ ହୁଡ଼ାରେ ବସି ବନିସୀ ପକାଇ ମାଛ ଧରୁଥିଲେ । ଏହି ସମୟରେ ସମସ୍ତେ ବଜ୍ରାଘାତର ଶିକାର ହୋଇଥିଲେ । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ୩ ଯୁବକଙ୍କୁ ଖୁଣ୍ଟା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି । ନିକଟସ୍ଥ ହିଞ୍ଜଳଗଡ଼ିଆ ଗ୍ରାମର ଜନୈକା ମହିଳା ବଜ୍ରାଘାତରେ ଆହତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons