ବଡ଼ଗୋରଡ଼ାରେ ଗୋରୁଙ୍କୁ ଅଜଣା ରୋଗ

Get real time updates directly on you device, subscribe now.

ଶରଣକୁଳ, (ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମରେ ଗତ ୧୫ଦିନ ଭିତରେ ଅଜଣା ରୋଗରେ ୨୩ଟି ଗାଈଙ୍କର ମୃତୁ୍ୟ ଘଟିଲାଣି । ଯାହାକୁ ନେଇ ଗୋପାଳକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ମୃତୁ୍ୟର କାରଣ ଜଣାପଡିନଥିବା ବେଳେ ଏହା ଥଣ୍ଡାଜନିତ ବୋଲି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।
ଖବରରୁ ପ୍ରକାଶ ଯେ, ବଡ଼ଗୋରଡ଼ା ଗ୍ରାମର ପ୍ରହ୍ଲାଦ ବେହେରା, ସନ୍ତୋଷ ସ୍ୱାଇଁ, ପ୍ରଦୁ୍ୟମ୍ନ ଲେଙ୍କା, ଗୋଲଣି ଲେଙ୍କା, ଅଭିମୁନ୍ୟ ବେହେରା, ନିରଂଜନ ପରିଡ଼ା, ବ୍ରଜ ମହାପାତ୍ର, ଇନ୍ଦ୍ରମଣି ବେହେରା, ହଜାରୀ ବେହେରା ପ୍ରମୁଖଙ୍କ ଗାଈ ଅଜଣା ରୋଗରେ ମୃତୁ୍ୟବରଣ କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କ କହିବାନୁଯାୟୀ ପ୍ରଥମେ ଗାଈମାନଙ୍କୁ ଥଣ୍ଡା ହେବା ପରେ ସେମାନେ ଥରୁଛନ୍ତି । ପରେ ଗଳାର ତଳ ଅଂଶ ଓ ଦେହ ଫୁଲିଯାଇ ମୃତୁ୍ୟବରଣ କରୁଛନ୍ତି । ଶରଣକୁଳ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଗ୍ରାମରେ ସବୁ ଗୃହପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟିକା ଦିଆଯାଇଥିଲେ ମଧ୍ୟ ରୋଗ ନିୟନ୍ତ୍ରଣ କରାଯାଇପାରି ନାହିଁ । ତେବେ ଶରଣକୁଳ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗୋପାଳକମାନଙ୍କୁ ସଚେତନ କରାଯାଇଛି । ଗୃହପାଳିତ ପ୍ରାଣୀମାନଙ୍କୁ ଥଣ୍ଡାରେ ନରଖି ଗୁହାଳରେ ରଖିବାକୁ ପରାମର୍ଶ ଦିଆଯାଇଛି । ଗୋରୁଗାଈଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅସୁବିଧା ଦେଖିଲେ ତୁରନ୍ତ ଜଣାଇବାକୁ କୁହାଯାଇଥିବା ପ୍ରାଣୀ ଚିକିତ୍ସକ ନୀଳକଣ୍ଠ ଦାସ ସୂଚନା ଦେଇଛନ୍ତି । ରାଜ୍ୟ ପ୍ରାଣୀରୋଗ ଅନୁସନ୍ଧାନକାରୀ ସଂସ୍ଥା ଫୁଲନଖରାରୁ ଏକ ବିଶେଷଜ୍ଞ ଦଳ ଗ୍ରାମକୁ ଆସି ଗାଈମାନଙ୍କର ରକ୍ତ ନମୁନା ସଂଗ୍ରହ କରି ନେଇଛନ୍ତି । ରିପୋର୍ଟ ଆସିବା ପରେ ରୋଗର ସଠିକ୍ କାରଣ ଜଣାପଡ଼ିବ ବୋଲି ପ୍ରାଣୀ ଚିକିତ୍ସକ ଶ୍ରୀ ଦାସ କହିଛନ୍ତି । ତେବେ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଯଥା ସମୟରେ ଉପଯୁକ୍ତ ଓ ଆବଶ୍ୟକ ପଦକ୍ଷେପ ନିଆନଯିବାରୁ ଏଭଳି ଅଘଟଣ ଘଟିଲା ବୋଲି କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons