ବଡ଼ଦାଣ୍ଡରୁ ଧରାପଡ଼ିଲେ ୨ ଲୁଟେରା, ଟଙ୍କା ଓ ବାଇକ ଜବତ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ହାବିଳ୍ଦାର୍ଙ୍କ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଚୋରି ମାମଲାରେ ମାତ୍ର ୧୫ ଦିନ ଭିତରେ ପୁଲିସକୁ ମିଳିଲା ସଫଳତା । କୁମ୍ଭାରପଡ଼ା ଥାନା ପୁଲିସ ଏହି ମାମଲାର ପର୍ଦ୍ଧାଫାସ୍ କରି ଦୁଇ ଜଣ ଲୁଟେରାଙ୍କୁ ଧରିଛି । ଅଭିଯୁକ୍ତ ଦୁହେଁ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର କୈଳାଶ ଦାସ (୨୧) ଓ ଜି.ଶ୍ରୀନୁ (୩୦) । ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଓ ଏକ ବାଇକ ଜବତ କରାଯାଇଛି ।

ଗତ ଅଗଷ୍ଟ ୨୨ ତାରିଖ । ହାବିଲଦାର୍ କାଳୀଚରଣ ମହାରଣା ତାଙ୍କ ଜିପିଏଫ୍ ଟଙ୍କା ଉଠାଇଥିଲେ । ସୁଭାଷ ବୋଷ ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ରୁ ୫ ଲକ୍ଷ ଟଙ୍କା ଉଠାଇ ପରେ ସେ ନିଜ ବାଇକ ଡିକିରେ ରଖିଥିଲେ । ପରେ ସେ ରିଜର୍ଭ ଆଡ଼କୁ ଆସୁଥିଲେ । ଏହାକୁ ନଜର୍ ରଖିଥିଲେ ୨ ଲୁଟେରା । କାଳୁଙ୍କୁ ଲୁଟେରା ପିଛା କରୁଥିଲେ ମଧ୍ୟ ସେ ଜାଣି ପାରି ନଥିଲେ । ବାରାକ୍ ନିକଟ ପୋଷ୍ଟ ଅଫିସ୍ ଠାରେ କାଳୁ ବାଇକ ରଖିଥିଲେ । କିଛି କାମରେ ପୋଷ୍ଟ ଅଫିସ୍ ଭିତରକୁ ସେ ଯାଇଥିଲେ । ବାସ୍ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ନେଲେ ଲୁଟେରା । ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଚୋରି କରି ନେଇ ପଳାଇଥିଲେ ।

ହେଲେ ସେ ଚୋରି କୌଶଳ ଏଭଳି ଥିଲା ଯେ, ଭିଆଇପି ରୋଡ଼ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ କେହି ଏ ସମ୍ପର୍କରେ ଜାଣିପାରି ନଥିଲେ । କିଛି ସମୟ ପରେ ଫେରିବାବେଳେ ଡିକି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିଥିଲେ କାଳୀଚରଣ । ଏନେଇ ସେ କୁମ୍ଭାରପଡା ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କ ସ୍ଥାପନ କରିଥିଲା । କିଛି ଦିନ ତଳେ ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରି ଲୁଟେରାଙ୍କ ସମ୍ପର୍କରେ ଖବର ଦେଇଥିଲେ । ଦୁଇ ଲୁଟେରା ବଡ଼ଦାଣ୍ଡସ୍ଥିତ ଏକ ଲଜ୍ରେ ରହୁଥିଲେ । ଆଉ ଏକ ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ ସରିଥିବାବେଳେ ପୂର୍ବରୁ ଖବର ପାଇଯାଇଥିଲା ପୁଲିସ । ଏହାପରେ ପୁଲିସ ସୋମବାର ଚଢଉ କରିଥିଲା । ଦୁଇ ଲୁଟେରାଙ୍କୁ ଲଜ୍ ଭିତରୁ କାବୁ କରିବାରେ ସକ୍ଷମ ହୋଇଥିବା ପୁଲିସ କହିଛି ।

ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ସହ ବାଇକ (ଓଡି-୩୨ଏ-୮୯୪୫) ଜବତ ହୋଇଛି । ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସେମାନେ ବିଭିନ୍ନ ଜିଲ୍ଲାରେ ଏକାଧିକ ଲୁଟପାଟ କରିଥିବା ସହ ଏହାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons