ଢେଙ୍କାନାଳ,(ବି.ବି.ନୁ୍ୟଜ୍): କିଛିଦିନର ବ୍ୟବଧାନରେ ଢେଙ୍କାନାଳ ବନଖଣ୍ଡରେ ପୁଣି ନିରୀହ ଜୀବନ ନେଇଛି ଦନ୍ତା । ସୋମବାର ଢେଙ୍କାନାଳ ସଦର ବନାଞ୍ଚଳ ଗଦାଶିଳା ଫରେଷ୍ଟ ସେrନ ଇଲାକା ଗଇଲୋ, ବେଲପଡ଼ା ନିକଟରେ ଏକ ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣରେ ବଡ଼ବାପା-ପୁତୁରାଙ୍କ ମୃତୁ୍ୟ ହୋଇଛି । ବ୍ରାହ୍ମଣୀ ନଦୀରୁ ମାଛ ମାରି ଘରକୁ ଫେରୁଥିବା ବଡ଼ବାପା-ପୁତୁରାଙ୍କୁ ଦନ୍ତାହାତୀ ଦଳି ମାରିଦେଇଛି । ମୃତକ ହେଲେ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣୁଦେଇ ଗ୍ରାମର ଫଗୁ ଦେହୁରୀ(୫୫) ଓ ତାଙ୍କ ପୁତୁରା ଶିବପ୍ରସାଦ ଦେହୁରୀ(୨୨) । ଖବର ପାଇ ବନ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।
ସୂଚନା ଅନୁସାରେ, ଗୁଣୁଦେଇ ଗ୍ରାମର ଫଗୁ ଦେହୁରୀ ଏବଂ ପୁତୁରା ଶିବପ୍ରସାଦ ଦେହୁରୀ ପ୍ରତିଦିନ ବ୍ରାହ୍ମଣୀ ନଦୀରୁ ମାଛ ମାରିବାକୁ ଯାଇଥାନ୍ତି । ରାତିରେ ମାଛ ସଂଗ୍ରହ କରି ଭୋର୍ ସମୟରେ ଘରକୁ ଫେରନ୍ତି । ରବିବାର ସନ୍ଧ୍ୟାରେ ଉଭୟ ନଦୀକୁ ମାଛ ମାରିବାକୁ ଯାଇଥିଲେ । ମାଛ ଧରି ଆଜି ଭୋର୍ ବେଳେ ଗଇଲୋ ନିକଟରେ ଥିବା ଏକ ଫାର୍ମ ହାଉସ୍ ଦେଇ ଘରକୁ ଫେରୁଥିଲେ । ସେତିକି ବେଳେ ଦୁହେଁ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଅନ୍ଧାର ଭିତରେ ହାତୀକୁ ସେମାନେ ଦେଖିପାରିନଥିଲେ । ଫଳରେ ହାତୀ ଉଭୟଙ୍କୁ ଦଳି ଦେଇଥିଲା । ସେପଟେ ସକାଳ ସୁଦ୍ଧା ଦୁହେଁ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ । ପୂର୍ବାହ୍ନରେ କିଛି ଗାଈଚରାଳୀ ଉଭୟଙ୍କ ମୃତଦେହ ଦେଖିବା ପରେ ଘଟଣା ପ୍ରଘଟ ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେପଟେ ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରାଯାଇଥିବା ଜଣାଯାଇଛି । ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ବଡ଼ବାପା-ପୁତୁରାଙ୍କ ମୃତୁ୍ୟରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏହି ଗୋଟିକିଆ ଦନ୍ତାହାତୀ ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି । ଗତ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ମଠରଗଡ଼ି ସଂରକ୍ଷିତ ଜଙ୍ଗଲରୁ ବାହାରି ୫୫ ନଂ ଜାତୀୟ ରାଜପଥ ପାର୍ ହୋଇଥିଲା । ରେଳ ଲାଇନ୍ ପାର ହୋଇ ଗଇଲୋ ନଦୀକୂଳକୁ ଚାଲିଯାଇଥିବା ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିଲେ ହେଁ ଭୋର୍ ସମୟରେ ଘଟିଥିବା ଏପରି ଅଘଟଣକୁ ଏଡାଇ ପାରିନଥିଲେ । ସ୍ୱଳ୍ପ ସଂଖ୍ୟକ ବନ କର୍ମଚାରୀମାନେ କେବଳ ହାତୀପଲକୁ ଦେଖୁଛନ୍ତି ସିନା ଆୟତ୍ତ କରିପାରୁନାହାନ୍ତି । ଫଳରେ ଦୈନନ୍ଦିନ ଧନଜୀବନ ହାନି ନେଇ ଅସନ୍ତୋଷ ବୃଦ୍ଧି ପାଉଛି ।
Comments are closed, but trackbacks and pingbacks are open.